ଭିଜିଲାନ୍ସ ଜାଲରେ ମାଲକାନଗିରି ଜିଲ୍ଲା ପଡିଆ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ବିପିଏମ

ମାଲକାନଗିରି,ଏନ୍ଏନ୍ଏସ୍: ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ପଡିଆ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ବିପିଏମ। କାର୍ଯ୍ୟାଳୟରେ ଭଡାରେ ଲାଗିଥିବା ଗାଡିର ବିଲ ପାସ କରାଇବା ପାଇଁ ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଛନ୍ତି। ସୂଚନା ଅନୁସାରେ ଆଜି ପଡିଆ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ବ୍ଲକ୍ ପ୍ରୋଜେକ୍ଟ ମ୍ୟାନେଜର ଶ୍ରୀମନ୍ତ ଅତିବଢି ବିଲ ପାସ କରାଇବା ପାଇଁ ଗାଡି ମାଲିକ ରାଜେଶ କୁମାର ଦାସଙ୍କୁ ୨୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏ ବିଷୟରେ ଶ୍ରୀ ଦାସ ଦୁର୍ନୀତି ନିବାରଣ ବିଭାଗ ନିକଟରେ ଅଭିଯୋଗ କରିଥିଲେ।

ଦୁର୍ନୀତି ନିବାରଣ ବିଭାଗର ଅଧିକାରୀମାନେ ଏକ ଜାଲ ବିଛାଇଥିଲେ। ବିପିଏମ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଚଢ଼ଉ କରି ଟଙ୍କା ସହ ତାଙ୍କୁ ଧରିଥିଲେ। ଭିଜିଲାନ୍ସ ବିଭାଗ ପକ୍ଷରୁ ଶ୍ରୀମନ୍ତଙ୍କୁ ଅଟକ ରଖି ପଚରାଉଚୁରା କରାଯାଉଥିବା ଜଣାପଡ଼ିଛି।