ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ କରୋନା ଆକ୍ରାନ୍ତ ପ୍ରେମିକାକୁ ଭେଟି ବେନ୍ତୁଲ ପହଂଚିଥିବା ଯୁବକର କରୋନା ରିପୋର୍ଟ ନେଗେଟିଭ ଆସିଛି। କିନ୍ତୁ ଯୁବକକୁ ଏବେ ଆଠନେର ହସ୍ପିଟାଲର ଆେଇସୋଲେସନ ୱାର୍ଡରେ ରଖାଯାଇଛି।
ସ୍ୱାସ୍ଥ୍ୟ ବିଭାଗର ସୂଚନାନୁଯାୟୀ, ଆଠନେର ବ୍ଲକସ୍ଥିତ ମାଣ୍ଡବୀର ଯୁବକ ମେ’ ୧୦ରେ ଭୋପାଳରେ ରହୁଥିବା ପ୍ରେମିକାଙ୍କୁ ଦେଖା କରିବାକୁ ଯାଇଥିଲେ। ଆଉ ସେହିଦନ ହିଁ ଯୁବତୀଙ୍କର କରୋନା ରିପୋର୍ଟ ପଜିଟିଭ ଆସିବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ଯୁବକକୁ ଭୋପାଳରେ କ୍ୱାରେଣ୍ଟାଇନ କରାଯାଇଥିଲା। କିନ୍ତୁ ମେ’ ୧୩ରେ ସେ ଭୋପାଳରୁ ଚାଲିଚାଲି ମଣ୍ଡୀଦୀପ ପହଂଚି ସେଠାରେ ଏକ ଟ୍ରକରେ ବେତୁଲ ଆଉ ପରେ ତାତ୍ପୀ ଘାଟିରୁ ବାଇକ ଯୋଗେ ବାପା ଓ ସାଙ୍ଗ ସହ ଘରେ ପହଂଚିଥିଲେ।
ଜଣେ ଯୁବକ କରୋନା ସଂକ୍ରମିତ ପ୍ରେମିକାକୁ ଭେଟି ଗାଁ ଆସିଥିବା ଖବର ମିଳିବା ପରେ ସେଠାରେ ଆତଙ୍କ ସୃଷ୍ଟି ହୋଇଥିଲା। ସ୍ୱାସ୍ଥ୍ୟ ବିଭାଗ ଯୁବକ ସହ ତା’ ସମ୍ପର୍କରେ ଆସିଥିବା ଲୋକଙ୍କ ନମୁନା ସଂଗ୍ରହ କରି ଯାଂଚ ପାଇଁ ପଠାଇ ଦେଇଥିଲା। ଆଉ ଯୁବକ ଜଣଙ୍କର ରିପୋର୍ଟ ନେଗେଟିଭ ଆସିବା ପରେ ବି ତାଙ୍କୁ ହସ୍ପିଟାଲର ଆଇସୋଲେସନ ୱାର୍ଡରେ ରଖାଯାଇଛି। ପରେ ଯଦି ତାଙ୍କଠାରେ ଲକ୍ଷଣ ଦେଖାଯାଏ ପୁଣି ଥରେ କରୋନା ଟେଷ୍ଟ କରାଯିବ।