ବକ୍ସିଂ ଡେ’ ଦ୍ୱିତୀୟ ଟେଷ୍ଟ; ପଦାର୍ପଣ କରିବେ ଶୁଭମନ ଗିଲ୍

ମେଲବୋର୍ଣ୍ଣ,ଏଜେନ୍ସି: ଆଜିଠାରୁ ଭାରତ ଓ ଅଷ୍ଟ୍ରେଲିଆ କ୍ରିକେଟ୍‌ ଦଳ ମଧ୍ୟରେ ଆରମ୍ଭ ହେବାକୁ ଯାଉଛି ବକ୍ସିଂ ଡେ’ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌। ପ୍ରଥମ ଟେଷ୍ଟରେ ଭାରତୀୟ ଦଳ ପରାସ୍ତ ହୋଇଥିବା ବେଳେ ଦ୍ୱିତୀୟ ଟେଷ୍ଟ ନିମନ୍ତେ ଭାରତୀୟ ଦଳରେ ୪ଟି ପରିବର୍ତ୍ତନ ହୋଇଛି। ବକ୍ସିଂ ଡେ’ ଟେଷ୍ଟ ନିମନ୍ତେ ଶୁକ୍ରବାର ଚୂଡାନ୍ତ ଭାରତୀୟ ଏକାଦଶ ଘୋଷିତ ହୋଇଛି।

ବକ୍ସିଂ ଡେ’ ଟେଷ୍ଟ ନିମନ୍ତେ ଭାରତୀୟ ଦଳରେ ଯୁବ ବ୍ୟାଟସମ୍ୟାନ୍‌ ଶୁଭମନ‌ ଗିଲ୍‌, ୱିକେଟ କିପର ଋିଷଭ ପନ୍ତ, ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଓ ଦ୍ରୁତ ବୋଲର ମହମ୍ମଦ ସିରାଜ‌ଙ୍କୁ ସାମିଲ କରାଯାଇଛି। ଗିଲ୍ ଓ ସିରାଜଙ୍କ ନିମନ୍ତେ ଏହା ପଦାର୍ପଣ ଟେଷ୍ଟ ହେବ। ଅନ୍ୟପକ୍ଷରେ ଆଶ୍ଚର୍ଯ୍ୟଜନକ ଭାବେ ଦ୍ୱିତୀୟ ଟେଷ୍ଟରେ ବ୍ୟାଟସମ୍ୟାନ୍‌ କେଏଲ୍‌ ରାହୁଲଙ୍କୁ ଭାରତୀୟ ଦଳରେ ସ୍ଥାନ ମିଳିନାହିଁ। ପ୍ରଥମ ଟେଷ୍ଟର ଦୁଇଟି ଇନିଂସରେ ବିଫଳ ହୋଇଥିଲେ ଯୁବ ଓପନର୍‌ ପୃଥ୍ବୀ ସ’। ତେଣୁ ତାଙ୍କ ସ୍ଥାନରେ ଶୁଭମନ‌ଙ୍କୁ ସାମିଲ କରାଯାଇଛି।

ଭାରତ ତରଫରୁ ମୟଙ୍କ ଅଗ୍ରୱାଲଙ୍କ ସହ ବ୍ୟାଟିଂ ଓପନ୍‌ କରିବେ ଶୁଭମନ ଗିଲ୍। ସେହିପରି ବ୍ୟକ୍ତିଗତ କାରଣରୁ ପ୍ରଥମ ଟେଷ୍ଟ ଖେଳି ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲି ସ୍ୱଦେଶ ଫେରିଥିଲେ। କୋହଲିଙ୍କ ସ୍ଥାନରେ କେଏଲ୍‌ ରାହୁଲ ବକ୍ସିଂ ଡେ’ ଟେଷ୍ଟରେ ଭାରତୀୟ ଦଳରେ ସ୍ଥାନ ପାଇବେ ବୋଲି ଆଶା କରାଯାଉଥିଲା। ତେବେ କୋହଲିଙ୍କ ସ୍ଥାନରେ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଡ଼ାଙ୍କୁ ସାମିଲ କରାଯାଇଛି। ରାହୁଲ ଭାରତୀୟ ଦଳରେ ସ୍ଥାନ ନ ପାଇବା ଅନେକ କ୍ରିକେଟ୍‌ ପ୍ରେମୀଙ୍କୁ ଚକିତ କରିଛି। ଅନ୍ୟପଟେ ପ୍ରଥମ ଟେଷ୍ଟରେ ବ୍ୟାଟିଂ କରୁଥିବା ବେଳେ ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସାମିଙ୍କ ହାତର ଏକ ହାଡ଼ ଭାଙ୍ଗି ଯାଇଥିବାରୁ ତାଙ୍କ ସ୍ଥାନରେ ମହମ୍ମଦ ସିରାଜଙ୍କୁ ସାମିଲ କରାଯାଇଛି। ନବଦୀପ ସୈନିଙ୍କୁ ପଛରେ ପକାଇ ସିରାଜ୍‌ ଭାରତୀୟ ଦଳରେ ସ୍ଥାନ ପାଇବାକୁ ସକ୍ଷମ ହୋଇଛନ୍ତି।

କୋହଲିଙ୍କ ଅନୁପସ୍ଥିତିରେ ରାହାଣେ ଭାରତୀୟ ଦଳର ନେତୃତ୍ବ ନେବାକୁ ଥିବା ବେଳେ ସେ ୪ନଂ ସ୍ଥାନରେ ବ୍ୟାଟିଂ କରିବେ। ଏଥିସହିତ ବକ୍ସିଂ ଡେ’ ଦ୍ୱିତୀୟ ଟେଷ୍ଟରେ ଭାରତୀୟ ଦଳ ଭଲ ପ୍ରଦର୍ଶନ କରିବ ବୋଲି ରାହାଣେ ଆଶାବ୍ୟକ୍ତ କରିଛନ୍ତି।

ଭାରତର ଚୂଡ଼ାନ୍ତ ଏକାଦଶ: ଅଜିଙ୍ଗ୍ୟା ରାହାଣେ (ଅଧିନାୟକ), ମୟଙ୍କ ଅଗ୍ରୱାଲ୍‌, ଶୁଭମନ‌ ଗିଲ୍‌, ଚେତେଶ୍ୱର ପୂଜାରା, ହନୁମା ବିହାରୀ, ଋିଷଭ ପନ୍ତ‌(ୱିକେଟ କିପର), ରବୀନ୍ଦ୍ର ଜାଡେଜା, ରବିଚନ୍ଦ୍ରନ୍‌ ଅଶ୍ୱିନ୍‌, ଉମେଶ ଯାଦବ, ଯଶପ୍ରୀତ୍‌ ବୁମରା ଓ ମହମ୍ମଦ ସିରାଜ୍‌।