କିଏଭ୍,ଏଜେନ୍ସି: ରୁଷ୍ ଆକ୍ରମଣ ମଧ୍ୟରେ ବ୍ରିଟିଶ୍ ପ୍ରଧାନମନ୍ତ୍ରୀ ବୋରିସ୍ ଜନ୍ସନ୍ ୟୁକ୍ରେନ୍ ଗସ୍ତରେ ଆସି ଶନିବାର ରାଜଧାନୀ କିଏଭ୍ରେ ପହଞ୍ଚିଛନ୍ତି। କିଏଭ୍ରେ ସେ ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍ସ୍କିଙ୍କୁ ସାକ୍ଷାତ୍ କରିଛନ୍ତି। ଜେଲେନ୍ସ୍କିଙ୍କ ମୁଖ୍ୟ ସହଯୋଗୀ ଆନ୍ଦ୍ରି ସିବିହା ଫେସ୍ବୁକ୍ରେ ଏହି ସାକ୍ଷାତକାରର ଏକ ଫଟୋ ପୋଷ୍ଟ୍ କରିଛନ୍ତି। ଫଟୋରେ ଉଭୟ ଜନ୍ସନ୍ ଓ ଜେଲେନ୍ସ୍କି ଏକ ବୃହତ୍ ଟେବଲ୍ ନିକଟରେ ପରସ୍ପର ସାମ୍ନାରେ ବସିଥିବା ଦେଖିବାକୁ ମିଳିଛି।
ଫେବୃଆରୀ ୨୪ର ରୁଷ୍ ଆକ୍ରମଣ ପରଠାରୁ ଇଂଲଣ୍ଡ ୟୂକ୍ରେନ୍କୁ ଅସ୍ତ୍ରଶସ୍ତ୍ର ଯୋଗାଇବା ସମେତ ସମସ୍ତ କ୍ଷେତ୍ରରେ ସହାୟତା କରିବାରେ ଅଗ୍ରଣୀ ଭୂମିକା ତୁଲାଇ ଆସିଛି। ସେହିପରି ରୁଷ୍ ବିରୋଧରେ କଟକଣା ଲାଗୁ କରିବାରେ ମଧ୍ୟ ଇଂଲଣ୍ଡ ଆଗରେ ରହିଛି। ଶୁକ୍ରବାର ଇୟୁ ଅଧ୍ୟକ୍ଷ ଉର୍ସୁଲା ଭନ୍ ଡର୍ ଲେୟେନ୍ ଏବଂ ଶନିବାର ସକାଳେ ଅଷ୍ଟ୍ରିଆ ଚାନ୍ସେଲର୍ କାରି ନେହାମର୍ଙ୍କ କିଏଭ୍ ଗସ୍ତ ପରେ ପରେ ହିଁ ଜନ୍ସନ୍ ୟୁକ୍ରେନ୍ ଗସ୍ତରେ ଆସିଛନ୍ତି।