ନୂଆଦିଲ୍ଲୀ: କରୋନା ସଂକ୍ରମଣର ତୃତୀୟ ଲହର ମଧ୍ୟରେ ନୂଆ ଓମିକ୍ରନ୍ ଭ୍ୟାରିଏଣ୍ଟ ସମସ୍ତଙ୍କ ଚିନ୍ତା ବଢ଼ାଇଛି। ସେଥିପାଇଁ ଅନେକ ଦେଶରେ ଏହାର ମୁକାବିଲା ପାଇଁ ବୁଷ୍ଟର ଡୋଜ୍ ପ୍ରଦାନ କରାଯାଉଛି। ଇତିମଧ୍ୟରେ ଔଷଧ ନିର୍ମାତା କମ୍ପାନୀ ଏଷ୍ଟ୍ରୋଜେନିକା ଦ୍ୱାରା ପ୍ରସ୍ତୁତ ‘ଭ୍ୟାକ୍ସଜେବ୍ରିୟା’ ଭ୍ୟାକ୍ସିନକୁ ନେଇ ଏକ ଖାସ୍ ତଥ୍ୟ ସାମ୍ନାକୁ ଆସିଛି।
ଏଷ୍ଟ୍ରୋଜେନିକାର କହିବାନୁସାରେ, ‘ଭ୍ୟାକ୍ସଜେବ୍ରିୟା’କୁ କରୋନା ଭ୍ୟାକ୍ସିନର ତୃତୀୟ ଡୋଜ୍ ରୂପେ ଦିଆଯାଉଛି। ଏହା ଓମିକ୍ରନ୍ ଭ୍ୟାରିଏଣ୍ଟ ସମେତ ବିଟା, ଆଲଫା, ଡେଲଟା ଓ ଗାମା ବିରୋଧରେ ଏକ ଉଚ୍ଚ ଆଣ୍ଟିବଡି ଉତ୍ପନ୍ନ କରୁଛି। ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଦ୍ୱାରା କରାଯାଇଥିବା ରିସୋର୍ଚ୍ଚରୁ ଏହି ତଥ୍ୟ ସାମ୍ନାକୁ ଆସିଛି। ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞଙ୍କ ସହ ମିଶି ଏଷ୍ଟ୍ରୋଜେନିକା ଏହି ଭ୍ୟାକ୍ସିନକୁ ପ୍ରସ୍ତୁତ କରିଛନ୍ତି। ଗତ ମାସ ପ୍ରୟୋଗଶାଳାରେ କରାଯାଇଥିବା ଅଧ୍ୟୟନରୁ ‘ଭ୍ୟାକ୍ସଜେବ୍ରିୟା’ର ବୁଷ୍ଟର ଡୋଜ୍ ଦ୍ରୁତ ଗତିରେ ବ୍ୟାପୁଥିବା ଓମିକ୍ରନ୍ ବିରୋଧରେ ବେଶ୍ ପ୍ରଭାବୀ ବୋଲି ଜଣାପଡ଼ିଛି।