କେନ୍ଦ୍ର କର୍ମଚାରୀଙ୍କୁ ମିଳିବ ବୋନସ୍

ନୂଆଦିଲ୍ଲୀ,ଏଜେନ୍ସି: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ପ୍ରଡକ୍ଟିଭିଟି ଲିଙ୍କଡ ଓ ନନ୍ ପ୍ରଡକ୍ଟଭିଟି ଲିଙ୍କଡ ବୋନସ ୨୦୧୯-୨୦ ଘୋଷଣା କରିଛନ୍ତି। ଏହି ବୋନସକୁ ଗେଜେଟେଡେ ଓ ନନ୍ ଗେଜେଟେଡେ କର୍ମଚାରୀଙ୍କୁ ଦିଆଯିବ। ଏହାଦ୍ୱାରା ପ୍ରାୟ ୩୦.୬୭ ଲକ୍ଷ କର୍ମଚାରୀ ଲାଭବାନ ହେବେ। କ୍ୟାବିନେଟର ଏହି ନିଷ୍ପତ୍ତି ଦ୍ୱାରା ସରକାରଙ୍କ ଉପରେ ଅତିରିକ୍ତ ୩,୭୩୭ କୋଟି ଟଙ୍କାର ରାଜସ୍ୱ ବୋଝ ପଡ଼ିବ ବୋଲି କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଦକର ସୂଚନା ଦେଇଛନ୍ତି।

ସେ କହିଛନ୍ତି, ବିଜୟାଦଶମୀ ପୂର୍ବରୁ ଡାଇରେକ୍ଟ ବେନିଫିଟ୍ ଟ୍ରାନ୍ସଫର(ଡିବିଟି) ସିଷ୍ଟମ ଦ୍ୱାରା ଏହି ବୋନସ ପ୍ରଦାନ କରାଯିବ। ଏହାପୂର୍ବରୁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କର୍ମଚାରୀଙ୍କ ପାଇଁ ଏଲଟିସି କ୍ୟାଶ ଭାଉଚର ସ୍କିମ ଓ ସ୍ୱତନ୍ତ୍ର ପୂଜା ଆଡଭାନ୍ସ ସ୍କିମ ଘୋଷଣା କରିଥିଲେ। ଦେଶ କରୋନା ସଙ୍କଟ ମଧ୍ୟରେ ଗତି କରୁଥିବାରୁ କେନ୍ଦ୍ର ସରକାର ପୂଜା ପାଇଁ ବୋନସ ଦେବେ କି ନାହିଁ, ତା’କୁ ସନ୍ଦେହ ଉପୁଜିଥିଲା। ଏପରି କି କରୋନାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ନିଜ କର୍ମଚାରୀଙ୍କ ମହଙ୍ଗା ଭତ୍ତା ମଧ୍ୟ ବନ୍ଦ କରିଦେଇଥିଲେ। ହେଲେ ଆଜି କେନ୍ଦ୍ର ସରକାର ପିଏଲବି ଓ ନନ୍ ପିଏଲବି ଘୋଷଣା କରିଛନ୍ତି।

ପିଏଲବି ଦ୍ୱାରା ରେଲବାଇ, ପୋଷ୍ଟ, ପ୍ରତିରକ୍ଷା, ଇପିଏଫଓ ଓ ଇଏସଆଇସିରେ କାମ କରୁଥିବା ୧୬.୯୭ ଲକ୍ଷ ନନ୍ ଗେଜେଟେଡ୍ କର୍ମଚାରୀଙ୍କୁ ବୋନସ ମିଳିବ। ସେହିପରି ନନ୍ ପିଏଲବି ଦ୍ୱାରା ୧୩.୭୦ ଲକ୍ଷ ନନ୍ ଗେଜେଟେଡ୍ କେନ୍ଦ୍ରୀୟ କର୍ମଚାରୀଙ୍କୁ ବୋନସ ମିଳିବ।