ଚିଙ୍ଗୁଡ଼ି ବେପାରୀଙ୍କ ଉପରକୁ ବୋମାମାଡ଼

ଭଦ୍ରକ,ଏନ୍ଏନ୍ଏସ୍: ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ଅନ୍ତର୍ଗତ ବାଲୁକିରି ଛକ ନିକଟରେ ଜଣେ ଚିଙ୍ଗୁଡ଼ି ବେପାରୀଙ୍କ ଉପରକୁ ଗତକାଲି ବିଳମ୍ବିତ ରାତିରେ ବୋମାମାଡ଼ ହୋଇଛି। ଏଥିରେ ଚିଙ୍ଗୁଡ଼ି ବେପାରୀଙ୍କ ସହିତ ଜଣେ ଚିଙ୍ଗୁଡ଼ି ଚାଷୀ ଗୁରୁତର ଆହତ ହୋଇଛନ୍ତି। ଆହତମାନେ ହେଲେ ବିଦ୍ୟାଧର ସାମଲ ଓ ଚିଙ୍ଗୁଡ଼ି ଚାଷୀ ସୁଦର୍ଶନ ସେଠୀ । ଉଭୟଙ୍କ ଘର ଯୋଗୀ ପୋଖରୀ ଗାଁରେ ବୋଲି ଜଣା ପଡ଼ିଛି।

ସୂଚନା ଅନୁସାରେ ବିଦ୍ୟାଧର ଚାନ୍ଦବାଲି- ଧାମରା ରାସ୍ତାର ବାଲୁକିରି ନିକଟରେ ଥିବା ନିଜ ଚିଙ୍ଗୁଡ଼ି ପୋଖରୀ ନିକଟରେ ଛିଡ଼ା ହୋଇଥିବାବେଳେ ତାଙ୍କ ସହିତ ଚିଙ୍ଗୁଡ଼ି ଚାଷୀ ସୁଦର୍ଶନ ଓ ଆଉ ୩୩ ଜଣ ଯୁବକ ଠିଆ ହୋଇଥିଲେ। ଏହି ସମୟରେ ଦୁର୍ବୃତ୍ତମାନେ ବିଦ୍ୟାଧରଙ୍କ ଉପରକୁ ୩ଟି ବୋମା ଫିଙ୍ଗି ଥିଲେ। ଏଥିରେ ବିଦ୍ୟାଧର ଓ ସୁଦର୍ଶନ ଗୁରୁତର ଆହତ ହୋଇଥିଲେ। ଉଭୟଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପ୍ରଥମେ ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଏହାପରେ ସେମାନଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଛି। ଘଟଣାସ୍ଥଳରେ ଚାନ୍ଦବାଲି ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।