ମୁମ୍ବାଇ,ଏଜେନ୍ସି: ବଲିଉଡ୍ ଅଭିନେତା ଇରଫାନ ଖାନଙ୍କ ଆଜି ଦେହାନ୍ତ ଆଜି ହୋଇଛି। ଦୀର୍ଘଦିନରୁ ସେ ବ୍ରେନ୍ କ୍ୟାନସରରେ ପୀଡ଼ିତ ଥିଲେ। ତେବେ ମଙ୍ଗଳବାର ସେ ହଠାତ୍ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ମୁମ୍ବାଇର କୋକିଳାବେନ୍ ଧୀରୁଭାଇ ଅମ୍ବାନୀ ହସ୍ପିଟାଲ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ମୃତ୍ୟୁ ବେଳକୁ ତାଙ୍କୁ ୫୪ ବର୍ଷ ହୋଇଥିଲା।
ପ୍ରତିଭାବାନ୍ ବଲିଉଡ୍ ଅଭିନେତା ଇର୍ଫାନ୍ ଖାନ୍ଙ୍କର ପରଲୋକ ହୋଇଯାଇଛି। ମୃତ୍ୟୁବେଳକୁ ତାଙ୍କୁ ୫୩ ବର୍ଷ ହୋଇଥିଲା। ୨୦୧୮ରେ ଇର୍ଫାନଙ୍କୁ ନ୍ୟୁରୋଏଣ୍ଡୋକ୍ରାଇନ୍ ଟ୍ୟୁମର ନାମକ ଏକ ବିରଳ ବ୍ରେନ୍ କ୍ୟାନ୍ସର ହୋଇଥିବା ଜଣା ପଡ଼ିବା ପରେ ଚିକିତ୍ସା ପାଇଁ ସେ ଲଣ୍ଡନ ଯାଇଥିଲେ। ସେଠାରୁ ଫେରି ସେ ‘ଅଂଗ୍ରେଜୀ ମିଡିୟମ୍’ ଫିଲ୍ମର ସୁଟିଂ ଶେଷ କରିଥିଲେ। ମାର୍ଚ୍ଚ ମାସରେ ଏହି ଫିଲ୍ମଟି ପ୍ରେକ୍ଷାଳୟକୁ ଆସିଥିଲା। ନିକଟରେ ସେ ପୁଣି ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ମଙ୍ଗଳବାର ମୁମ୍ବାଇସ୍ଥିତ କୋକିଳାବେନ୍ ହସ୍ପିଟାଲ୍ର ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ବୁଧବାର ସକାଳେ ତାଙ୍କର ପରଲୋକ ହୋଇଯାଇଛି। କୋଲୋନ୍ ଇନ୍ଫେକ୍ସନରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଗତ ଶନିବାର ଇର୍ଫାନ୍ଙ୍କ ମା’ ସଇଦା ବେଗମ୍ (୯୫)ଙ୍କର ମୃତ୍ୟୁ ହୋଇଥିଲା। ତେବେ ମା’ଙ୍କ ଶେଷକୃତ୍ୟରେ ଯୋଗ ଦେଇପାରିନଥିଲେ ଇର୍ଫାନ। ପରଲୋକଗତ ଇର୍ଫାନଙ୍କ ପରିବାରରେ ପତ୍ନୀ ସୁତପା ଓ ପୁଅ ବାବିଲ୍ ଏବଂ ଅୟାନ୍ ରହିଛନ୍ତି।
୧୯୬୭, ଜାନୁଆରୀ ୭ରେ ରାଜସ୍ଥାନର ଜୟପୁରରେ ଜନ୍ମିତ ଇର୍ଫାନଙ୍କ ବାପା ଥିଲେ ୟାସିନ୍ ଅଲ୍ଲୀ ଖାନ୍ ଓ ମା’ଙ୍କ ନାମ ଥିଲା ସଇଦା ବେଗମ୍। ଅଭିନୟ ଜଗତକୁ ଆସିବା ପୂର୍ବରୁ ଇର୍ଫାନ ଭଲ କ୍ରିକେଟ୍ ଖେଳୁଥିଲେ। ତେବେ ଅର୍ଥାଭାବ କାରଣରୁ ତାଙ୍କର ଖେଳ ଜୀବନ ଆଗକୁ ବଢ଼ିପାରି ନଥିଲା। ପରିବାରର ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ନ ଥିବାରୁ ସେ ଟ୍ୟୁସନ୍ କରି ପାଠ ପଢ଼ୁଥିଲେ। ଜୟପୁରରେ ଏମ୍ଏ ଶିକ୍ଷା ଶେଷ କରି ସେ ୧୯୮୪ରେ ଦିଲ୍ଲୀସ୍ଥିତ ନ୍ୟାସନାଲ୍ ସ୍କୁଲ୍ ଅଫ୍ ଡ୍ରାମାରେ ଯୋଗଦେଇ ଅଭିନୟରେ ତାଲିମ ଗ୍ରହଣ କଲେ।
ଅଭିନୟର ପ୍ରବଳ ଆକର୍ଷଣ ତାଙ୍କୁ ମୁମ୍ବାଇ ଟାଣି ଆଣିଲା। ଫିଲ୍ମରେ ଅଭିନୟ ପୂର୍ବରୁ ସେ ‘ଚାଣକ୍ୟ’, ‘ଭାରତ ଏକ ଖୋଜ୍’, ‘ଚନ୍ଦ୍ରକାନ୍ତା’, ‘ଶ୍ରୀକାନ୍ତ’ ଆଦି ଧାରାବାହିକରେ ଅଭିନୟ କରିଥିଲେ। ଫିଲ୍ମରେ ସୁଯୋଗ ପାଇଁ ଅନେକ ସଂଘର୍ଷ ପରେ ତାଙ୍କୁ ୧୯୮୮ରେ ମୁକ୍ତିପ୍ରାପ୍ତ ମୀରା ନାୟରଙ୍କ ‘ସଲାମ୍ ବମ୍ବେ’ରେ ଏକ ଛୋଟିଆ ଚରିତ୍ରରେ ଅଭିନୟ ସୁଯୋଗ ମିଳିଲା। ଏହାପରେ ଆଉ ପଛକୁ ଫେରି ଚାହିଁନଥିଲେ ଇର୍ଫାନ। ନିଖୁଣ ଅଭିନୟ କରି ସେ ଉଭୟ ଦର୍ଶକ ଓ ସମୀକ୍ଷକଙ୍କ ଦୃଷ୍ଟି ଆକର୍ଷଣ କରିବାରେ ଲାଗିଲେ। ଇର୍ଫାନଙ୍କ ଅଭିନୀତ ଅନ୍ୟାନ୍ୟ ଫିଲ୍ମ ମଧ୍ୟରେ ରହିଛି ‘ମକବୁଲ୍’, ‘ଲାଇଫ୍ ଇନ୍ ଏ ମେଟ୍ରୋ’, ‘ଦ ଲଞ୍ଚ ବକ୍ସ’, ‘ପିକୁ’, ‘ତଲୱାର’, ‘ପାନ୍ ସିଂହ ତୋମାର’, ‘ହିନ୍ଦୀ ମିଡିୟମ୍’ ଓ ‘ଅଂଗ୍ରେଜୀ ମିଡିୟମ୍’।
ଆମେରିକୀୟ ଓ ବ୍ରିଟିଶ୍ ଫିଲ୍ମରେ ମଧ୍ୟ ଅଭିନୟ ପ୍ରତିଭା ପ୍ରମାଣିତ କରିଛନ୍ତି ଇର୍ଫାନ। ଫିଲ୍ମ ବ୍ୟତୀତ ଏକାଧିକ ମଞ୍ଚ ନାଟକରେ ମଧ୍ୟ ସେ ଅଭିନୟ କରିଛନ୍ତି। ନିଖୁଣ ଅଭିନୟ ପାଇଁ ଅନେକ ପୁରସ୍କାର ଓ ସମ୍ମାନ ଲାଭ କରିଥିବା ଇର୍ଫାନଙ୍କୁ ୨୦୧୧ରେ ଭାରତ ସରକାର ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରିଥିଲେ। ତାଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କଂଗ୍ରେସ ନେତା ରାହୁଲ ଗାନ୍ଧୀ, ପ୍ରିୟଙ୍କା ଭଦ୍ରାଙ୍କ ସମେତ ସିନେ ବ୍ୟକ୍ତିତ୍ୱ ଅମିତାଭ ବଚ୍ଚନ, ଅନୁପମ ଖେର, ଲତା ମଙ୍ଗେସକର, ଶାହରୁଖ୍ ଖାନ୍, ପରେଶ ରାୱଲ, ଆୟୁଷ୍ମାନ ଖୁରାନା, ସୁଜିତ ସରକାର, ସବାନା ଆଜ୍ମୀ, ଅଜୟ ଦେବଗନ, ଅକ୍ଷୟ କୁମାର, ତାପସୀ ପନ୍ନୁ ପ୍ରମୁଖ ଗଭୀର ଶୋକବ୍ୟକ୍ତ କରିଛନ୍ତି।