ବୋଲେରୋ-ସ୍କୁଟି ମୁହାଁମୁହିଁ ଧକ୍କା : ଜଣେ ଜିଆରଏସ ମୃତ

ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲାର ମାଥିଲି ଥାନା ପାଙ୍ଗାମ ନିକଟସ୍ଥ ୩୨୬ ଜାତୀୟ ରାଜପଥରେ ଆଜି ଏକ ବୋଲେରୋ ଓ ସ୍କୁଟିର ମୁହାଁମୁହିଁ ଧକ୍କାରେ ଜଣଙ୍କର ମୃତ୍ୟୁ ଘଟିଛି। ମାଥିଲି ଥାନାର କିଛି କର୍ମଚାରୀ କୌଣସି କାମରେ ଏକ ବୋଲେରୋ ଯୋଗେ ମାଲକାନଗିରି ଆସି ଫେରୁଥିଲେ। ଏହି ସମୟରେ ପାଙ୍ଗାମରୁ ଏକ ସ୍କୁଟିରେ ନାୟକଗୁଡ଼ା ଜିଆରଏସ ବାଲାରାଜୁ ସାହୁ ନିଜ ପଞ୍ଚାୟତକୁ ଯାଉଥିଲେ। ଉଭୟ ମୁହାଁମୁହିଁ ଧକ୍କା ହେବା ଯୋଗୁ ଜିଆରଏସଙ୍କ ମୃତ୍ୟୁ ଘଟିଥିବାବେଳେ ଦୁର୍ଘଟଣାରେ ବୋଲେରୋଟି ଓଲଟି ପଡ଼ିଥିଲା। ଏଥିସହିତ ଥାନାର ୩ଜଣ ପୁଲିସ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ପ୍ରଥମେ ମାଥିଲି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯିବା ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ କୋରାପୁଟ ସ୍ଥାନାନ୍ତରିତ କରାଯାଇଛି। ଗ୍ରାମବାସୀମାନେ ଉତ୍ତ୍ୟକ୍ତ ହୋଇ ଜାତୀୟ ରାଜପଥ ୩୨୬କୁ ଗଛ ପକାଇ ଅବରୋଧ କରିଛନ୍ତି।