ବଲାଂଗୀର,ଏନ୍ଏନ୍ଏସ୍ : କରୋନାର ଭୟାବହତାକୁ ଦେଖି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ କଟକଣା ଜାରି କରିଛନ୍ତି । ହେଲେ ସରକାରଙ୍କ କଟକଣାକୁ ବେଖାତିର କରାଯାଉଥିବା ନଜିର ବଲାଂଗୀରରେ ଦେଖିବାକୁ ମିଳିଛି । ଗହଳି ନକରିବାକୁ ସରକାରଙ୍କ କଡା ନିର୍ଦ୍ଦେଶ ରହିଥିବା ସତ୍ୱେ ଏକା ସାଙ୍ଗରେ ଶହେରୁ ଅଧିକ ଶ୍ରମିକଙ୍କୁ ଜଣେ ବ୍ୟବସାୟୀ ନିଯୁକ୍ତ କରିଥିବା ଦେଖିବାକୁ ମିଳିଛି ।
ମିଳିଥିବା ସୂଚନା ଅନୁଯାୟୀ, ସହରର ଜଣେ ବ୍ୟବସାୟୀ ଗୋପାଳ ଅଗ୍ରୱାଲଙ୍କ ଏକ ସିମେଣ୍ଟ ଏଜେନ୍ସି ରହିଥିବାବେଳେ ସମ୍ବଲପୁର ରାସ୍ତାରେ ତାଙ୍କର ଏକ ଗୋଦାମ ରହିଛି । ଏହି ଗୋଦାମରେ ଆଜି ୧୦ ରୁ ଅଧିକ ସିମେଣ୍ଟ ବୋଝେଇ ଟ୍ରକ ଲାଗିଥିବା ବେଳେ ଗୋପାଳ ଅଗ୍ରୱାଲଙ୍କ ପୁଅ ଅଭିଷେକ ଶହେରୁ ଅଧିକ ଶ୍ରମିକ ଲଗାଇ ସିମେଣ୍ଟ ଅନଲୋଡିଂ କରୁଥିଲେ । ଗଣମାଧ୍ୟମ ପ୍ରତିନିଧି ସେଠାରେ ପହଂଚିବା ପରେ ଅଭିଷେକ ଫେରାର ହୋଇ ଯାଇଥିଲେ । ତେବେ ସେଠାରୁ ଯାଇ ସେ ତାଙ୍କ ପେଟ୍ରୋଲ ପମ୍ପରେ ମ୍ୟାନେଜର ଜରିଆରେ ପାଉଣା ପ୍ରଦାନ କରାଇଥିଲେ ।
ଶ୍ରମିକମାନଙ୍କୁ ପଚାରିବାରେ, ମାଲିକ ଆମକୁ କାମ କରିବା ପାଇଁ ଡାକିଛନ୍ତି ବୋଲି କହିଥିଲେ । ତେବେ କୌଣସି ପ୍ରକାର ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରାଯାଇନଥିବା ମଧ୍ୟ ଶ୍ରମିକମାନେ କହିଛନ୍ତି । ମାଲିକଙ୍କ ପୁଅ ଅଭିଷେକଙ୍କୁ ପଚରାଯିବାରେ ରେଲୱେ ଆମକୁ ଅନଲୋଡିଂ କରିବା ପାଇଁ ବୋଲି କହିଛନ୍ତି । ତେବେ ପ୍ରଶାସନ ଆମକୁ କିଛି ଗାଇଡଲାଇନ ଦେଇନାହିଁ ବୋଲି ପ୍ରଶାସନ ଉପରକୁ ଅଂଗୁଳି ଉଠାଇଛନ୍ତି । ପ୍ରଶାସନ ବୁଲି ବଲି ଦୋକାନ ବଜାର ବନ୍ଦ କରୁଛି । ଗହଳି ଥିଲେ ପୁଲିସ ଲୋକଙ୍କୁ ଘଉଡାଇ ଦେଉଛି । ହେଲେ ଏହା ଉପରେ କିଭଳି ନଜର ପଡିଲା ନାହିଁ ବୋଲି ଜନସାଧାରଣରେ ପ୍ରଶ୍ନ ହେଉଛି । ବର୍ତ୍ତମାନ ସମୟରେ ନିୟମ ଉଂଲ୍ଲଘନକାରୀଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ସରକାରୀ ନିର୍ଦ୍ଦେଶ ରହିଛି । ତେଣୁ ଘଟଣାର ଅନୁସନ୍ଧାନ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଦାବି ହେଉଛି ।