ବଲାଙ୍ଗିର,ଏନ୍ଏନ୍ଏସ୍ : ସ୍ଥାନୀୟ କୋଶଲ କଳା ମଣ୍ଡଳ ପଡିଆ ଠାରେ କଳା ଓ ସଂସ୍କୃତିର ମହାପର୍ବ ବିଂଶତମ ବଲାଙ୍ଗିର ଲୋକଉତ୍ସବର ଉଦଯାପିତ ହୋଇଯାଇଛି । ଜିଲ୍ଲାପାଳ ତଥା ଲୋକ ଉତ୍ସବ ସମିତିର ଅଧ୍ୟକ୍ଷ ଅରିନ୍ଦମ ଡାକୁଆଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ସରକାରଙ୍କ ଯୋଜନା ଓ ସମନ୍ୱୟ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଯୋଗଦେଇ ବଲାଙ୍ଗିର ଜିଲ୍ଲାକୁ ଏକ ଉନ୍ନତ ଜିଲ୍ଲା ଭାବେ ପରିଗଣିତ କରିବା ପାଇଁ ସମ୍ମିଳିତ ଉଦ୍ୟମର ଆବଶ୍ୟକତା ରହିଛି ବୋଲି କହିଥିଲେ।
ଏହି ମହାନ ଉତ୍ସବରେ କଳା ଓ କଳାକାରଙ୍କୁ ପ୍ରୋତ୍ସାହିତ କରିବା। ବିଭିନ୍ନ କାର୍ଯ୍ୟକ୍ରମରେ ସୁଯୋଗ ଦେବା ଆମ ସମସ୍ତଙ୍କ ଦାୟିତ୍ୱ ହେଉ ବୋଲି ତାଙ୍କ ମଧ୍ୟ ସେ ତାଙ୍କ ବକ୍ତବ୍ୟରେ କହିଥିଲେ। ଓରମାସ ପକ୍ଷରୁ ଅନୁଷ୍ଠିତ ପଲ୍ଲିଶ୍ରୀ ମେଳା ଓ ହସ୍ତତନ୍ତ ମେଳାକୁ ମନ୍ତ୍ରୀ ଶ୍ରୀ ବେହେରା ବୁଲି ଦେଖିଥିଲେ। ସଭାରେ ଅନ୍ୟତମ ବରେଣ୍ୟ ଅତିଥି ଭାବେ ମହିଳା ଓ ଶିଶୁ କଲ୍ୟାଣ,ମିଶନ ଶକ୍ତି ବିଭାଗର ମନ୍ତ୍ରୀ ଟୁକୁନି ସାହୁ ଯୋଗଦେଇ ମହିଳାମାନଙ୍କୁ ମିଶିନ ଶକ୍ତି ମାଧ୍ୟମରେ ସଶକ୍ତି କରଣ କରିବା ପାଇଁ ରାଜ୍ୟ ସରକାର ବୁହୁବିଧ ପଦକ୍ଷେପ ଗ୍ରହଣ କରିଛନ୍ତି। ଏଥି ପାଇଁ ସମସ୍ତଙ୍କ ସହଯୋଗର ଆବଶ୍ୟକତା ରହିଛି। ମହିଳାମାନଙ୍କୁ ସାମାଜିକ ଓ ଅର୍ଥନୈତିକ ପ୍ରଗତି ଦିଗରେ ଅଗ୍ରସର ହୋଇ ବର୍ତମାନ ଯୋଜନା ମାଧ୍ୟମରେ ଆଗେଇ ଆସି ଆତ୍ମନିର୍ଭରଶୀଳ ହେବାକୁ ମନ୍ତ୍ରୀ ଶ୍ରୀମତୀ ସାହୁ ଆହ୍ୱାନ ଦେଇଥିଲେ।
ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମର ଅଧ୍ୟକ୍ଷା ଶ୍ରୀମୟୀ ସ୍ୱେତାସ୍ନିଗ୍ଧା ମିଶ୍ର ଯୋଗଦେଇ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ବଲାଙ୍ଗିର ମୁଖ୍ୟାଳୟରୁ ହରିଶଙ୍କର ପର୍ଯ୍ୟନ୍ତ ଓଟିଡିସି ତରଫରୁ ଆସନ୍ତା ମାସ ଫେବୃଆରୀ ଶେଷ ସୁଦ୍ଧା ବସ ଗଡ଼ିବ ପାଇଁ ପଦକ୍ଷେପ ନିଆଯାଉଛି ବୋଲି ସୂଚନା ଦେଇଥିଲେ। ବଲାଙ୍ଗିରର ପର୍ଯ୍ୟଟନସ୍ଥଳୀର ରକ୍ଷଣାବେକ୍ଷଣା ଦାୟିତ୍ୱ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ଦେବା ପାଇଁ ଗୁରୁତ୍ୱାରୋପ କରିଥିଲେ। ଚଳଚିତ୍ର ନିର୍ମାତା ଓ ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର ଯୋଗଦେଇ କଳାକାର ଜୀବନର ଅନୁଭୂତି କହିଥିଲେ। କାଶ୍ମୀରର କଳାକାରମାନେ ବଲାଙ୍ଗିରକୁ ଆସି ଏଇ କିଛି ଦିନ ମଧ୍ୟରେ ଏଠିକାର ଚାଲିଚଳନ ଓ ଖାଦ୍ୟପେୟକୁ ବେଶ ପସନ୍ଦ କରୁଥିବା ଓ ଏହାକୁ ଆନନ୍ଦରେ ଖାଉଥିବା ଦେଖି ଜଣେ କଳାକାର ଭାବେ ସେ ତାଙ୍କ ଅନୁଭବ ଦର୍ଶକଙ୍କ ଆଗରେ ବଖାଣିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ଟିଟିଲାଗଡ ଉପ ଜିଲ୍ଲାପାଳ ସୁଧାକର ନାୟକ, ପାଟଣାଗଡ଼ ଉପ ଜିଲ୍ଲାପାଳ ସୋମନାଥ ପ୍ରଧାନ, ବଲାଙ୍ଗିର ଉପ ଜିଲ୍ଲାପାଳ ସଂଜୟ ମିଶ୍ର ମଂଚାସିନ ହୋଇଥିଲେ। ଏହି ଅବସରରେ ଟିଟିଲାଗଡର ବିଶିଷ୍ଟ କଳାକାର ଶିବ ସିଂ ଭୋଇଙ୍କୁ ମାନପତ୍ର ଓ ଉପଢୌକନ ଦେଇ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ। ଅନ୍ତିମ ଦିବସର ଅତିଥି କଳାକାର ଭାବେ ବିଶିଷ୍ଟ କଳା ସାଧକ ନୀଳମଣୀ ସାହୁ ମଂଚାସୀନ ଥିଲେ। ପ୍ରାରମ୍ଭରେ ଅତିଥି ପରିଚୟ ଡ. ଶ୍ରୀକର ମିଶ୍ର ପ୍ରଦାନ କରିବା ସହ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଜିଲ୍ଲା ସଂସ୍କୃତି ଅଧିକାରୀ ତଥା ଲୋକ ଉତ୍ସବ ସମିତିତର ସମ୍ପାଦକ ବିଜୟ କୁମାର ଶତପଥି ଧନ୍ୟବାଦ ଦେଇଥିଲେ। ସଭା ପ୍ରାରମ୍ଭରୁ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ପାଳନ ଅବସରରେ ରାମଧୂନ ପରିବେଷଣ କରାଯାଇଥିଲା।
ଆକାଶବାଣୀ କଳାକାର ବ୍ରହ୍ମାନନ୍ଦ ବନଛୋରଙ୍କ ନେତୃତ୍ୱରେ ତଥା ନବୀନ କୁଅଁରଙ୍କ ନିର୍ଦ୍ଦେଶନାରେ ସ୍ୱରୂପା ସିଂ,ସୋମ କୁମାର ବାବୁ,ଉସାରାଣୀ ବାରିକ, କୁମୁଦିନୀ ପୃଷ୍ଟି, ରୋମା ସାହୁ, ଶ୍ୱେତପଦ୍ମା ସାହୁ, ଅଞ୍ଜନ କୁମାର ଓ ସାଥୀ ସଙ୍ଗୀତ ପରିବେଷଣ କରିଥିଲେ। ବାଦ୍ୟଯନ୍ତ୍ରରେ ବିକାଶ ଷଡଙ୍ଗୀ, ରମାକାନ୍ତ ଧରୁଆ, ମୁନମୁନ ପଟେଲ, ସରୋଜ ନାଗ, ଉଦୟ ପଟେଲ ଓ ସାଥୀ ସହଯୋଗ କରିଥିଲେ। ସଭା ପରେ ସାଂସ୍କୃତିକ ବିଚିତ୍ରା ଅନୁଷ୍ଠିତ ହୋଇଥିଲା । ଏଥିରେ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର କଦମପଡା, ଆଇଡିଏମ ପବ୍ଲିକ ସ୍କୁଲ, ନଟରାଜ କଳାପରିଷଦ, କାଶ୍ମୀର ଏନଜେଡସିସି ରୋଫ ଡେନ୍ସ, ହରିଆଣା ଏନଜେଡସିସି ଫାଗ ଡେନ୍ସ, ପଞ୍ଚମ ବଲାଙ୍ଗିର, ଶିକାରୀ ଡାନ୍ସ, ଝୁମର, ପରମ୍ପରା ବଲାଙ୍ଗିର, କାଳୀ ପ୍ରସାଦ ଷଡଙ୍ଗୀ ଓ ସାଥୀ, ଡିସିସି ନବରଙ୍ଗପୁର, ଡିସିସି ଫୁଲବାଣୀ, ସାତବହନୀ ପାଟଣାଗଡ, ଝଙ୍କାର ସଙ୍ଗୀତ ମହାବିଦ୍ୟାଳୟ ପାଟଣାଗଡ଼ ଓ ଡିସିସି ସୁନ୍ଦରଗଡ଼ ଲୋକନୃତ୍ୟ ପରିବେଷଣ କରିଥିଲେ । ସାଂସ୍କୃତିକ ବିଚିତ୍ରା କାର୍ଯ୍ୟକ୍ରମକୁ କୁମୁଦ ବିହାରୀ ବେଦବାକ, ସରୋଜ ବିଶ୍ୱାଲ,ସ୍ନେହା ପ୍ରତ୍ୟାଷା ନନ୍ଦ,ଅର୍ଜୁନ ସାହୁ, ପ୍ରତୀତି ମିଶ୍ର,ଲିଲି ପଟେଲ, ଜିତେନ୍ଦ୍ର ଛତ୍ରିଆ,ଐଶ୍ୱର୍ଯ୍ୟା ଦାସ ଓ ସୁଧୀର ନାଏକ ପ୍ରମୁଖ ପରିଚାଳନା କରିଥିଲେ ।