ମାଜିଷ୍ଟ୍ରେଟଙ୍କ ଡ୍ରାଇଭରର ଝୁଲନ୍ତା ମୃତଦେହ ଉଦ୍ଧାର

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ(ସିଜେଏମ)ଙ୍କ ଡ୍ରାଇଭରର ଝୁଲନ୍ତା ମୃତଦେହକୁ ପୁଲିସ ଉଦ୍ଧାର କରିଛି। ମୃତ ଡ୍ରାଇଭର ଜଣକ ସମ୍ବଲପୁର ପଡ଼ିଆବାହାଲର ନେପାଳ ଚଣ୍ଡେଲ(୩୦) ବୋଲି ଜଣାପଡ଼ିଛି। ନେପାଳ ରହୁଥିବା ବେହେରାମାଲସ୍ଥିତ ଭଡ଼ା ଘରୁ ତାଙ୍କର ମୃତଦେହ ପୁଲିସ ଉଦ୍ଧାର କରିଛି। ମିଳିଥିବା ରିପୋର୍ଟ ମୁତାବକ, ଗତ ଗୁରୁବାର ସକାଳେ ନେପାଳ ଜିଲ୍ଲାର ବିଭିନ୍ନ କୋର୍ଟର ମାଜିଷ୍ଟ୍ରେଟଙ୍କୁ ନେଇ ଲଇକେରା ଯାଇ ଅପରାହ୍ନରେ ଝାରସୁଗୁଡ଼ା ଫେରିଥିଲେ। ତେବେ ଗତକାଲି ସଂନ୍ଧ୍ୟାରେ ତାଙ୍କର ମୃତଦେହ ଏକ ଗାମୁଛା ସାହାଯ୍ୟରେ ପଙ୍ଖାରେ ଝୁଲୁଥିବା ଦେଖି ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ନେପାଳଙ୍କ ପରିବାର ଲୋକଙ୍କୁ ଖବର ଦେବାସହ ତାଙ୍କ ଉପସ୍ଥିତିରେ ଆଜି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଏହାସହ ଟାଉନ ଥାନାରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।