ଡଙ୍ଗା ବୁଡି ଘଟଣାରେ ନିଖୋଜ ଧୀବରର ମୃତ ଦେହ ଉଦ୍ଧାର

ଦେବଗଡ଼,ଏନ୍ଏନ୍ଏସ୍: ବାରକୋଟ ଥାନା ଅନ୍ତର୍ଗତ ପଡିଆନାଳୀ ଗ୍ରାମ ନିକଟରେ ଥିବା ରେଙ୍ଗାଲି ନଦୀବନ୍ଧ ଜଳ ଭଣ୍ଡାରରେ ଗତ କାଲି ସନ୍ଧ୍ୟାରେ ଝଡ଼ତୋଫାନ କାରଣରୁ ଡ଼ଙ୍ଗାବୁଡି ଜଣେ ଧୀବର ନିଖୋଜ ଥିବାବେଳେ ଆଜି ସକାଳେ ଅଗ୍ନିଶମ ବାହିନୀ ଉକ୍ତ ଧୀବରର ମୃତ ଦେହ ଉଦ୍ଧାର କରିଛି। ତେବେ ପ୍ରତିକୂଳ ପାଗ ଓ ଅନ୍ଧାର ଯୋଗୁଁ ଗତ କାଲି ଉଦ୍ଧାର କାର୍ଯ୍ୟ ହୋଇପାରିନଥିଲା।

ସୂଚନା ଅନୁଯାୟୀ ବାଲିରୋଇ ଗ୍ରାମର ୧୦/୧୫ ଜଣ ଧୀବର ମାଛ ମାରିବାକୁ ରେଙ୍ଗାଲି ଜଳ ଭଣ୍ଡାରକୁ ଯାଇଥିବା ବେଳେ ଅପରାହ୍ଣରେ ଝଡ଼ତୋଫାନ ହେବାରୁ ପବନ ଯୋଗୁଁ ସମସ୍ତଙ୍କ ଡ଼ଙ୍ଗା ଜଳ ଭଣ୍ଡାରରେ ବୁଡି ଯାଇଥିଲା। ତେବେ ଝଡ଼ ଆରମ୍ଭ ପୂର୍ବରୁ କେତେକ ଧୀବର କୂଳକୁ ଫେରି ଆସିଥିବା ବେଳେ ସଂବାରୁ ହରିଜନ, ରଜନୀ ଧୀବର, ମଙ୍ଗଳୁ ଧୀବର, ଦୁଃଖବନ୍ଧୁ ସାମଲ ଓ ହେମନ୍ତ ଧୀବର ସମେତ ଅନ୍ୟ କେତେକ ବୁଡ଼ିଯାଇଥିଲେ। କୂଳରେ ଥିବା କେତେକ ଧୀବର ଏହା ଦେଖି ଗ୍ରାମବାସୀ ଓ ଦମକଳ ବାହିନୀ ସହାୟତାରେ ସେମାଙ୍କୁ ଉଦ୍ଧାର କରିଥିଲେ। ଏଥିରେ ଦୁଃଖବନ୍ଧୁ ଗୁରୁତର ଥିବାବେଳେ ହେମନ୍ତ ନିଖୋଜ ହୋଇଯାଇଥିଲେ। ଅନୁରୂପ ଭାବେ ବଡ଼ତଇଲା ଗ୍ରାମର ୫ ଜଣ ଧୀବର ଗ୍ରାମ ନିକଟ ରେଙ୍ଗାଲି ଜଳଭଣ୍ଡାରରେ ମାଛ ଧରିବାକୁ ଯାଇଥିବା ବେଳେ ଝଡ଼ତୋଫାନ କାରଣରୁ ସେମାନଙ୍କ ଡ଼ଙ୍ଗା ଜଳଭଣ୍ଡାରରେ ବୁଡି ଯାଇଥିଲା। ସେହିପରି ପାଣପୋଷି ଗ୍ରାମ ନିକଟସ୍ଥ ଜଳ ଭଣ୍ଡାରରେ ୨ଟି ଡ଼ଙ୍ଗା ବୁଡି ଯାଇଥିଲା। ଗ୍ରାମବାସୀଙ୍କ ସହାୟତାରେ ସେମାଙ୍କୁ ଉଦ୍ଧାର କରାଯାଇଥିବା ବେଳେ ସେମାନଙ୍କ ଡ଼ଙ୍ଗା ଜଳ ଭଣ୍ଡାରରେ ବୁଡି ଯାଇଥିଲା।

ଗତକାଲି ଝଡ଼ ତୋଫାନ ପ୍ରଭାବ ରେ ଜଳ ଭଣ୍ଡାର ମଧ୍ୟରେ ମୋଟ ୧୮ ଟି ଡ଼ଙ୍ଗା ବୁଡି ଯାଇଥିବା ବେଳେ ଗ୍ରାମବାସୀ ଓ ଦମକଳ ବାହିନୀ ସହାୟତା ରେ ୧୭ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ନିଖୋଜ ହେମନ୍ତ ଧୀବରଙ୍କ ମୃତ ଦେହ ଆଜି ଉଦ୍ଧାର କରାଯାଇଛି। ତେବେ ମୃତ ଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବାକୁ ଥିବାବେଳେ ଗ୍ରାମରେ ଶୋକାକୂଳ ପରିବେଶ ଦେଖାଦେଇଛି। ତେବେ ଡଙ୍ଗାବୁଡି ହୋଇ କ୍ଷତି ଗ୍ରସ୍ତ ହୋଇଥିବା ପରିବାର ନିକଟକୁ ଆଜି ଜିଲ୍ଲା ବିଜେଡି ସଭାପତି ରୋମାଞ୍ଚ ରଞ୍ଜନ ବିଶ୍ୱାଳ ପହଞ୍ଚି ସରକାରୀ ସହାୟତା ପାଇଁ ଆଶ୍ୱାସନା ଦେବାସହ ମୃତକଙ୍କ ପରିବାରକୁ ଆର୍ଥିକ ସହାୟତା କରିଛନ୍ତି। ତେବେ ଧୀବର ମାନଙ୍କ ଜୀବନ ଜୀବିକା ଶୈଳୀରେ ସୁଧାର ପାଇଁ ସରକାରଙ୍କ ପକ୍ଷରୁ ବହୁ ଯୋଜନା ରହିଥିଲେ ମଧ୍ୟ ଜିଲ୍ଲା ମତ୍ସ୍ୟ ବିଭାଗର ସ୍ଥାଣୁତା ପାଇଁ ଜିଲ୍ଲାର ଗରିବ ଧୀବରଙ୍କ ନିକଟକୁ କୌଣସି ଯୋଜନା ପହଞ୍ଚୁ ନଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି।