ନୟାଗଡ,ଏନ୍ଏନ୍ଏସ୍: ପ୍ରଶାସନର ସହଯୋଗରେ ଆଜି ପ୍ରବାସୀ ଶ୍ରମିକର ଶବ ଗାଁରେ ପହଞ୍ଚିଛି। ସୂଚନା ଅନୁସାରେ ଦଶପଲ୍ଲା ଥାନା ଅନ୍ତର୍ଗତ ଘୋଳାହାଣ୍ଡି ଗାଁର ଶତ୍ରୁଘ୍ନ ପ୍ରଧାନ ଓରଫ ବାବୁ(୨୯)ଙ୍କୁ ଗତ ୨୭ ତାରିଖ ପଞ୍ଚାବ ଲୁଧିଆନା ଜିଲ୍ଲା ଦୋରଥାନା ଅନ୍ତର୍ଗତ କଦଟୀକା ଅଞ୍ଚଳରେ ହତ୍ୟା କରାଯାଇଥିଲା। ସେ ସେଠାକାର ଏକ ମଦ ଦୋକାନରେ କାର୍ୟ୍ୟରତ ଥିଲେ। ଦୋରା ପୁଲିସ ସୂଚନା ଅନୁସାରେ ଏହି ହତ୍ୟାକାଣ୍ଡରେ ୪ଜଣ ସମ୍ପୃକ୍ତି ଥିବା ଜଣାପଡ଼ିବା ପରେ ପୁଲିସ ୨ଜଣ ହତ୍ୟାକାରୀଙ୍କୁ ଗିରଫ କରିଥିବା ପରିବାର ଲୋକଙ୍କୁ ଜଣାଇଥିଲା।
ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକ କିଭଳି ଶବ ଗାଁ’କୁ ଆଣିବେ ଚିନ୍ତାରେ ଥିବା ବେଳେ ଦଶପଲ୍ଲା ତହସିଲଦାର ଅକ୍ଷୟ କୁମାର ଖେମୁଣ୍ଡୁ ନୟାଗଡ଼ ଜିଲ୍ଲା ରେଡକ୍ରସ୍ ପାଣ୍ଠି ଓ ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡରୁ ପଞ୍ଜାବରୁ ଶବ ଆଣିବା ପାଇଁ ୩୦ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରିବା ପରେ ରବିବାର ଦିନ ଅପରାହ୍ନରେ ଏକ ସ୍ୱତନ୍ତ୍ର ଆମ୍ବୁଲାନ୍ସ ଯୋଗେ ଶବଟି ଶ୍ରମିକଙ୍କ ଜନ୍ମମାଟି ଘୋଳାହାଣ୍ଡିରେ ପହଞ୍ଚିଛି। ଶବ ଗାଁ’ରେ ପହଞ୍ଚିବା ପରେ ଶୋକାକୂଳ ବାତାବରଣ ସୃଷ୍ଟି ହୋଇଛି।