ବିହାର, ଉତ୍ତରପ୍ରଦେଶରେ ଜଳପ୍ରଳୟ: ମୃତ୍ୟୁ ସଂଖ୍ୟା ୮୬ ଟପିଲା

ପାଟନା: ଗତ ସପ୍ତାହକ ମଧ୍ୟରେ ବିହାର ଓ ଉତ୍ତରପ୍ରଦେଶରେ ପ୍ରବଳ ବର୍ଷା ହେବା ଫଳରେ ୮୬ରୁ ଅଧିକ ଲୋକ ମୃତ୍ୟୁବରଣ କରିଛନ୍ତି। ଉତ୍ତରପ୍ରଦେଶର ପୂର୍ବାଞ୍ଚଳ ଓ ବିହାରର ଅଧିକାଂଶ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇ ଜନଜୀବନକୁ ବିପର୍ଯ୍ୟସ୍ତ କରିଛି। ଗତ ୨୪ ଘଣ୍ଟା ଧରି ବିହାରରେ ପ୍ରବଳ ବର୍ଷା ହେବା ଫଳରେ ପ୍ରମୁଖ ସହରଗୁଡ଼ିକର ରାସ୍ତାଘାଟରେ ଟ୍ରାଫିକ୍ ଜାମ୍ ହୋଇଛି। ବର୍ଷାଜଳ ନିଷ୍କାସନ ହୋଇନପାରି ହଜାର ହଜାର ଲୋକଙ୍କ ଯାତାୟାତରେ ପ୍ରତିବନ୍ଧକ ସୃଷ୍ଟି କରିଛି।

ପରିସ୍ଥିତି ଏପରି ହୋଇଛି ଯେ ପାଟନାବାସୀଙ୍କୁ ଉଦ୍ଧାର ଓ ଥଇଥାନ କରିବା ପାଇଁ ଉଦ୍ଧାରକାରୀ ଟିମ୍ ପକ୍ଷରୁ ସଡ଼କରେ ଡଙ୍ଗା ଚଳାଇବାକୁ ପଡୁଛି। ବର୍ଷାଜଳ ଯୋଗୁଁ ସଡ଼କରେ ଯାନବାହନ ଓ ଟ୍ରେନ୍ ଚଳାଚଳ ବ୍ୟାହତ ହୋଇଛି। ସ୍କୁଲ ଓ ଅଫିସଗୁଡ଼ିକ ବନ୍ଦ ହୋଇଯାଇଛି। ଡାକ୍ତରଖାନାରେ ରୋଗୀସେବା ବ୍ୟାହତ ହୋଇଛି।

ଇଷ୍ଟ୍ ସେଣ୍ଟ୍ରାଲ ରେଳବାଇ କର୍ତ୍ତୃପକ୍ଷଙ୍କ ସୂଚନାନୁସାରେ ୧୨ଟି ଟ୍ରେନ୍ ଚଳାଚଳକୁ ବାତିଲ କରାଯାଇଛି। ୭ଟି ଟ୍ରେନ୍ ଚଳାଚଳକୁ କାଣ୍ଟଛାଣ୍ଟ କରାଯିବା ସହ ୨୦ଟି ଟ୍ରେନ୍ର ରୁଟ୍ ପରିବର୍ତ୍ତନ କରାଯାଇଛି। ମୁଜାଫରପୁର, ପଶ୍ଚିମ ଚମ୍ପାରନ୍, ପୂର୍ବ ଚମ୍ପାରନ୍, ଦରଭଙ୍ଗା, ଗୟା, ଭୋଜପୁର ଓ ଭାଗଲପୁରର ବହୁଗ୍ରାମରେ ବନ୍ୟାଜଳ ପଶିଯିବା ଫଳରେ ଲୋକମାନେ ଚରମ ଦୁର୍ଦ୍ଦଶାର ସମ୍ମୁଖୀନ ହୋଇଛନ୍ତି। ସହରର ତଳି ଅଞ୍ଚଳରେ ଥିବା ଘରଗୁଡ଼ିକରେ ବର୍ଷା ଓ ନର୍ଦ୍ଦମା ପାଣି ପଶିଯାଇଛି। ବିହାରର ଅଧିକାଂଶ ଜିଲ୍ଲାରେ ବନ୍ୟା ପରିସ୍ଥିତି ଉପୁଜିଥିବାରୁ ୧୮ଟି ଏନଡିଆରଏଫ୍ ଟିମକୁ ମୁତୟନ କରାଯାଇଛି।

ପ୍ରତ୍ୟେକ ଜିଲ୍ଲାର ଜିଲ୍ଲାପାଳଙ୍କୁ ଆଲର୍ଟ କରାଯାଇଛି ବୋଲି ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବିଭାଗର ପ୍ରମୁଖ ସଚିବ ପ୍ରତ୍ୟୟ ଅମ୍ରିତ କହିଛନ୍ତି। ନାଳନ୍ଦା ମେଡିକାଲ କଲେଜ ହସ୍ପିଟାଲ, ଗର୍ଦନୀବାଗ ହସ୍ପିଟାଲ ସମେତ ବହୁ ସରକାରୀ ଡାକ୍ତରଖାନାରେ ପାଣି ପଶିଯିବା ଫଳରେ ରୋଗୀସେବା ବାଧାପ୍ରାପ୍ତ ହୋଇଛି।

ଆମ୍ବୁଲାନ୍ସ ଚଳାଚଳ ବାଧା ପାଇବା ଫଳରେ ଲୋକମାନେ ହାତଟଣା ଶଗଡ଼ ସାହାଯ୍ୟରେ ଅକ୍ସିଜେନ୍ ସିଲିଣ୍ଡର ସମେତ ଅନ୍ୟାନ୍ୟ ଦରକାରୀ ସାମଗ୍ରୀଗୁଡ଼ିକ ନେବାଆଣିବା କରୁଛନ୍ତି। ଗତ ୭ ଦିନ ଧରି ବିହାରରେ ପ୍ରବଳ ବର୍ଷା ହେବା ଫଳରେ ଗଙ୍ଗା ସମେତ ଅନ୍ୟାନ୍ୟ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଆହୁରି ୨୪ ଘଣ୍ଟା ଧରି ବର୍ଷା ହେବ ବୋଲି ପାଣିପାଗ ଅଫିସ ପୂର୍ବାନୁମାନ କରିଛି।