ଚିଲିକାରେ ଡ଼ଙ୍ଗା ବୁଡ଼ି ଘଟଣା,୪ ଗିରଫ: କାଲିଠୁ ସମସ୍ତ ଡ଼ଙ୍ଗାର କାଗଜପତ୍ର ଯାଞ୍ଚ

ବାଲୁଗାଁ,ଏନ୍ଏନ୍ଏସ୍: ଗତକାଲି ଚିଲିକା ମଝିରେ ଡ଼ଙ୍ଗା ବୁଡ଼ି ୩ ଜଣ ଗୁରୁତର ହେବା ଘଟଣାରେ ପ୍ରଶାସନ ପକ୍ଷରୁ ବାଲୁଗାଁ ଥାନାରେ ଏତଲା ପରେ ମାମଲାରେ ପୋଲିସ ଡ଼ଙ୍ଗା ମାଲିକ ସମେତ ୪ ଜଣଙ୍କୁ ଗିରଫ କରିଛି । ସେହିପରି ଆଜି ପ୍ରଶାସନ ପକ୍ଷରୁ ଏନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ବାଲୁଗାଁ ଫିସରୀ ଡ଼ିଏଫଓଙ୍କ କାର୍ୟ୍ୟାଳୟରେ ଅନୁଷ୍ଠିତ ଏହି ବୈଠକରେ ତହସିଲଦାର, ଡ଼ିଏଫଓଙ୍କ ସମେତ ଆଇଡ଼ବ୍ଲ୍ୟୁଡ଼ି ଇଂଞ୍ଜିନିୟର ଓ ସିଡ଼ିଏ ପ୍ରମୁଖ ଉପସ୍ଥିତ ଥିଲେ । ବୈଠକର ନିଷ୍ପତି ଅନୁଯାୟୀ, ଗତକାଲି ଯାତ୍ରୀ ନେଇ ଯାଇଥିବା ତିନି ଜଣ ଡ଼ଙ୍ଗା ମାଲିକଙ୍କ ନାମରେ ଥାନାରେ ଏତଲା ଦିଆଯିବ ।

ସେହିପରି ଆସନ୍ତା କାଲି ଠାରୁ ଚିଲିକାରେ ଚଳାଚଳ କରୁଥିବା ସମସ୍ତ ଡ଼ଙ୍ଗାର କାଗଜପତ୍ର ଯାଂଚ୍ କରିବାକୁ ପ୍ରଶାସନିକ ନିଷ୍ପତି ଗ୍ରହଣ କରାଯାଇଛି । ଯଦି କୌଣସି ଡ଼ଙ୍ଗା ମାଲିକ ଯାଂଚ୍ ବେଳେ ଆବଶ୍ୟକ କାଗଜପତ୍ର ଦେଖାଇ ନପାରନ୍ତି, ତେବେ ତାଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ବୈଠକରେ ସ୍ଥିର ହୋଇଛି । ଅନ୍ୟପକ୍ଷରେ ପ୍ରଶାସନ ପକ୍ଷରୁ ବାଲୁଗାଁ ଥାନାରେ ଏ ସଂକ୍ରାନ୍ତରେ ଏତଲା ପରେ ପୋଲିସ ୧୮/୨୦ ରେ ଏକ ମାମଲା ରୁଜ୍ଜୁ କରିବା ସହ ଘଟଣାରେ ଡ଼ଙ୍ଗା ମାଲିକ ସମେତ ୪ ଜଣଙ୍କୁ ଗିରଫ କରିଛି ।

ସେମାନେ ହେଲେ ଅଶୋକ ଜାଲି, ସୁଦର୍ଶନ ଜାଲି, ନବଘନ ଜାଲି ଏବଂ ବିଶାଖା ଜାଲି । ପ୍ରକାଶ ଥାଉ କି, ଗତକାଲି ଚିଲିକାରେ ଡ଼ଙ୍ଗା ବୁଡ଼ି ଘଟଣାରେ ୩ ଜଣ ଗୁରୁତର ହୋଇଥିଲେ । ଗୁରୁତର ମାନଙ୍କୁ ପ୍ରଥମେ ବାଲୁଗାଁ ଡ଼ାକ୍ତରଖାନା ଏବଂ ପରେ ତନ୍ମଧ୍ୟରୁ ଦୁଇ ଜଣଙ୍କୁ ଅଧିକ ଚିକିତ୍ସା ନିମନ୍ତେ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ଏବେ ସେମାନେ ସମ୍ପୂର୍ଣ୍ଣ ସୁସ୍ଥ ଥିବା ଜଣାପଡିଛି ।