କାଳ ସାଜୁଛି ଘନ କୁହୁଡି, ମଝି ସମୁଦ୍ରରେ ପିଟିହେଲା ଡଙ୍ଗା

ଭୁବନେଶ୍ୱର,ଏନ୍ଏନ୍ଏସ୍: ଚଳିତ ବର୍ଷ ରାଜ୍ୟରେ ଘନ କୁହୁଡି ଯୋଗୁଁ ଭୟଙ୍କର ଦୁର୍ଘଟଣା ଘଟିବା ସହ ପ୍ରାଣହାନୀ ହୋଇଛି। ନିକଟରେ ଘନ କୁହୁଡି ଯୋଗୁଁ ଏକ ବଡ଼ଧରଣର ଟ୍ରେନ୍ ଦୁର୍ଘଟଣାରୁ ବର୍ତ୍ତିଗଲା ଏଲଟିଟି ଏକ୍ସପ୍ରେସ୍। ସେହିପରୀ ଯାତ୍ରୀବାହୀ ଲଞ୍ଚ୍ ସମୁଦ୍ର ମଝିରେ ଫସିଗଲା। ଏହାର କେଇ ଘଣ୍ଟା ନଯାଉଣୁ ଆଜି ପୁଣି ଘଟିଛି ଅଘଟଣ। ଗୋପାଳପୁର ସମୁଦ୍ରରେ ରବିବାର ଭୋର ସମୟରେ ଘନ କୁହୁଡି ଓ ଉଚ୍ଚ ଜୁଆର ଯୋଗୁଁ ଦୁଇଟି ଡ଼ଙ୍ଗା ପରସ୍ପର ମଧ୍ୟରେ ଧକ୍କା ହୋଇ ଚାରି ଜଣ ମତ୍ସ୍ୟଜୀବୀ ସାମାନ୍ୟ ଆହତ ହୋଇଥିବା ଜଣାପଡିଛି।

ଗୋପାଳପୁର ନିକଟବର୍ତ୍ତୀ ଚମାଖଣ୍ଡି ଥାନା ଅନ୍ତର୍ଗତ ରେଉକୁତୁରୁ ଗ୍ରାମର ୨ଜଣ ଗତ ଶନିବାର ସଂଧ୍ୟାରେ ସମୁଦ୍ରରେ ମାଛ ଧରି ଫେରିଥିଲେ। କିନ୍ତୁ ରାତି ବଢିଯାଇଥିବାରୁ ସେମାନଙ୍କ ଡଙ୍ଗା ଦୁଇଟିକୁ କୂଳକୁ ନ ଆଣି ସେଠାରୁ ମାତ୍ର ୧୦୦ ମିଟର ଦୂରରେ ସମୁଦ୍ର ମଧ୍ୟରେ ଲଗଂର ପକାଇ ରଖିଥିଲେ। ରବିବାର ଭୋର ସାଢେ ପାଞ୍ଚଟା ବେଳେ ଅନ୍ୟ ଏକ ଡଙ୍ଗା ସାହାଯ୍ୟରେ ନିଜର ତିନିଜଣ ମତ୍ସ୍ୟଜୀବୀଙ୍କୁ ସାଙ୍ଗରେ ନେଇ ସମୁଦ୍ରରେ ଲଙ୍ଗର ପକାଇ ରଖାଯାଇଥିବା ଦୁଇଟି ଫାଇବର ଡଙ୍ଗାକୁ ଆଣିବା ନିମନ୍ତେ ଯାଇଥିଲେ।

ତିନୋଟି ଡଙ୍ଗାକୁ ସାଙ୍ଗରେ ଧରି ମତ୍ସ୍ୟଜୀବୀମାନେ କୂଳକୁ ଫେରୁଥିବା ସମୟରେ ଘନ କୁହୁଡି ଏବଂ ସମୁଦ୍ରରେ ଉଚ୍ଚ ଲହଡି ଯୋଗୁଁ ଦୁଇଟି ଡଙ୍ଗା ପରସ୍ପର ମଧ୍ୟରେ ଧକ୍କା ଖାଇଥିଲେ। ଫଳରେ ଗୋଟିଏ ଡଙ୍ଗା ଦୁଇ ଖଣ୍ଡ ହୋଇଯାଇଥିବା ବେଳେ ଅନ୍ୟ ଏକ ଡଙ୍ଗା ଭାସି ଭାସି ଆସି କୂଳରେ ଓଲଟି ପଡିଥିଲା। ଯଦ୍ୱାରା ଉକ୍ତ ଦୁଇ ଡଙ୍ଗାରେ ରହିଥିବା ୬ ଲକ୍ଷ ଟଙ୍କାର ଦୁଇଟି ଜାଲ ଏକ ଲକ୍ଷ ୨୦ ହଜାର ଟଙ୍କାର ଦୁଇଟି ମୋଟର ନଷ୍ଟ ହେବା ସହ ପ୍ରାୟ ଦେଢ଼ ଲକ୍ଷ ଟଙ୍କାର ଡଙ୍ଗା ନଷ୍ଟ ହୋଇଥିବା ପ୍ରକାଶ କରିଛନ୍ତି।

ଏହି ଘଟଣା ଜଣାପଡ଼ିବା ପରେ ଛତ୍ରପୁରରୁ ଜିଲ୍ଲା ମତ୍ସ୍ୟ ଅଧିକାରୀ ଓ ସହକାରୀ ମତ୍ସ୍ୟ ଅଧିକାରୀ ଗୋପାଳପୁର ପହଞ୍ଚି ଘଟଣାର ତଦନ୍ତ କରିବା ସହ ଡଙ୍ଗା ମାଲିକଙ୍କ ସହ ଆଲୋଚନା କରିଥିଲେ। ଏହି ଘଟଣାର ତଦନ୍ତ କରାଯାଇ ବିଭାଗକୁ ରିପୋର୍ଟ ତଲବ କରାଯିବା ପରେ ଯାହା ସହାୟତା ଆସିବ ତାହାକୁ ମତ୍ସ୍ୟଜୀବୀଙ୍କୁ ପ୍ରଦାନ କରାଯିବ ବୋଲି କହିଥିଲେ।