ଭୁବନେଶ୍ୱର, ଏନ୍ଏନ୍ଏସ୍: ରାଜ୍ୟରେ ଗଣଶିକ୍ଷା କ୍ଷେତ୍ରରେ ସଂସ୍କାର ଆଣିବା ଲାଗି ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି। ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାଦାନ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବା ସାଙ୍ଗକୁ ସ୍କୁଲ ଗୁଡିକର ଭିତ୍ତିଭୂମି, ପିଲାଙ୍କ ଲାଗି ଆବଶ୍ୟକ ମୌଳିକ ବ୍ୟବସ୍ଥା ସଜାଡିବା ପାଇଁ ମଧ୍ୟ ବିଭାଗ ପକ୍ଷରୁ ଅର୍ଥ ବ୍ୟୟ ହେଉଛି। ତେବେ ରାଜ୍ୟରେ ମାଟ୍ରିକରେ ପାସ୍ ହାର ବୃଦ୍ଧି ପାଇଁ ଖୁବଶୀଘ୍ର ଏକ ନୂତନ ବ୍ୟବସ୍ଥା ଲାଗୁ କରାଯିବ। ଅଷ୍ଟମରୁ ପାସ୍ ଫେଲ୍ ଲାଗୁ କରାଯିବ। ଏନେଇ ବିଭାଗ ପକ୍ଷରୁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହେଉଥିବା ବେଳେ ଆସନ୍ତା ଶିକ୍ଷାବର୍ଷରୁ ଏହି ବ୍ୟବସ୍ଥାକୁ ଲାଗୁ କରାଯିବ ବୋଲି ମଧ୍ୟ ନିଷ୍ପତ୍ତି ହୋଇଛି।
ପୂର୍ବରୁ ପାସଫେଲ୍ ଉଚ୍ଛେଦ ହୋଇଥିବାରୁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ପରୀକ୍ଷାରେ ଫେଲ କରାଯାଉନଥିଲା। ଫଳରେ ପରୀକ୍ଷା ଦେବାର ଭୟ ପିଲାଙ୍କ ପାଖରେ ନଥିବାରୁ ଏହାର ପ୍ରଭାବ ମାଟ୍ରିକ ପରୀକ୍ଷାରେ ପଡ଼ୁଥିଲା। ମାଟ୍ରିକ ପରୀକ୍ଷାରେ ସଂସ୍କାର ଆଣିବା ଲାଗି ରାଜ୍ୟ ସରକାର ବହୁ ପଦକ୍ଷେପ ଗ୍ରହଣ କରିଥିବା ବେଳେ ଆସନ୍ତା ବର୍ଷରୁ ମାଟ୍ରିକ ପରୀକ୍ଷା ଦେବା ପୂର୍ବରୁ ଛାତ୍ରଛାତ୍ରୀଙ୍କ ଲାଗି ପରୀକ୍ଷାରେ ନୂତନ ବ୍ୟବସ୍ଥା ଆରମ୍ଭ ହେବ। ମାଟ୍ରିକ ପରୀକ୍ଷାରେ କପି ରୋକିବା ଲାଗି ଯେପରି ସେଟ୍ ପ୍ରଶ୍ନପତ୍ର ରହୁଛି ସେହିପରି ସେଟ୍ ପ୍ରଶ୍ନପତ୍ର ଅଷ୍ଟମ ଶ୍ରେଣୀ ଷାଣ୍ମାଷିକ ପରୀକ୍ଷାରୁ ଆରମ୍ଭ ହେବ। ତେବେ ଏଥିରେ ୩ଟି ସେଟର ପ୍ରଶ୍ନପତ୍ର ରହିବ। ମାଟ୍ରିକ ପରୀକ୍ଷା ଦେବା ସମୟରେ ଅନେକ ପରୀକ୍ଷାର୍ଥୀ ପରୀକ୍ଷା ପରିଚାଳନା ନେଇ ଭୟ ପ୍ରକଟ କରୁଥିବାରୁ ପିଲାଙ୍କ ମନରୁ ଭୟ ଦୂର କରିବା ସହ ମାଟ୍ରିକ ପରୀକ୍ଷା ପୂର୍ବରୁ ପିଲାଙ୍କୁ ସେଟ୍ ପ୍ରଶ୍ନପତ୍ର ସମ୍ପର୍କରେ ଅବଗତ କରାଯିବ। ଯାହାକୁ ମଧ୍ୟ ସବୁ ସ୍ତରରେ ସ୍ୱାଗତ କରାଯାଇଛି।
ରାଜ୍ୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୫୮ହଜାର ୮୯ଟି ସ୍କୁଲ ରହିଛି। ତେବେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ରାଜ୍ୟରେ ମୋଟ୍ ଛାତ୍ରଛାତ୍ରୀଙ୍କ ସଂଖ୍ୟା ୫୯ଲକ୍ଷ ୭୨ହଜାର ୮୭୦ ଥିବା ବେଳେ ଅଷ୍ଟମରେ ପିଲାଙ୍କ ସଂଖ୍ୟା ରହିଛି ୩ଲକ୍ଷ ୫୬ହଜାର ୨୧୭। ପାସଫେଲ୍ ବ୍ୟବସ୍ଥା ଲାଗୁ ହେବା ପରେ ଅଷ୍ଟମ ଶ୍ରେଣୀ ପରୀକ୍ଷାରେ ଦୁର୍ବଳ ପ୍ରଦର୍ଶନ ପିଲାଙ୍କୁ ଫେଲ୍ କରାଯିବ। ତେବେ ସରକାରୀ ସ୍କୁଲ ଗୁଡିକରେ ଦୁର୍ବଳ ପିଲାଙ୍କ ଲାଗି ଉଜ୍ଜଳ-ଉତଥାନ ଭଳି ସ୍ୱତନ୍ତ୍ର ଶିକ୍ଷାଦାନ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଛି। ଏହାବ୍ୟତୀତ ଗଣିତ, ବିଜ୍ଞାନ, ଇଂରାଜି ଏବଂ ସାହିତ୍ୟ ବିଷୟରେ ପିଲାମାନଙ୍କର ଦକ୍ଷତା -ଜ୍ଞାନ ବୃଦ୍ଧି ଲାଗି ଅତିରିକ୍ତ ଶିକ୍ଷାଦାନର ବ୍ୟବସ୍ଥା ହେଉଛି। ଅଷ୍ଟମ ଶ୍ରେଣୀରୁ ସେଟ୍ ପ୍ରଶ୍ନପତ୍ର ପ୍ରଚଳନ ଲାଗି ଗଣଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ହୋଇଥିବା ବେଳେ ଏହାର ପ୍ରଶ୍ନପତ୍ର ଏସସିଇଆରଟି ପ୍ରସ୍ତୁତ କରିବାକୁ ମଧ୍ୟ କୁହାଯାଇଛି। ଏନେଇ ଏକ ୮ଜଣିଆ କମିଟି ଗଠନ କରାଯିବ। ଅଷ୍ଟମ ପରୀକ୍ଷାରେ ପ୍ରତି ଶ୍ରେଣୀରେ ୩ପ୍ରକାର ପ୍ରଶ୍ନପତ୍ର ପିଲାଙ୍କୁ ଦିଆଯିବ। ପରୀକ୍ଷାକେନ୍ଦ୍ରରେ ମଧ୍ୟ ଗୋଟିଏ ଧାଡିରେ ୩ଜଣ ପରୀକ୍ଷାର୍ଥୀ ବସିବେ। ଅଧିକ ପିଲାଙ୍କୁ ଗୋଟିଏ ଧାଡିରେ ରଖାଯିବ ନାହିଁ। ପିଲାଙ୍କୁ ସେଟ୍ ପ୍ରଶ୍ନ ଦିଆଯିବା ପରେ ପ୍ରତି ପରୀକ୍ଷାର୍ଥୀଙ୍କ ପାଶ୍ୱର୍ରେ କିମ୍ବା ଆଗଧାଡି ଓ ପଛ ଧାଡ଼ିରେ ଯେପରି ସମାନ ସେଟ୍ ପ୍ରଶ୍ନପତ୍ର ଦିଆଯିବ ନାହିଁ ସେଥିଲାଗି ଗୁରୁତ୍ୱ ଦିଆଯିବ। ମାଟ୍ରିକ ପରୀକ୍ଷା ଭଳି ଯଦିଓ ପିଲାଙ୍କୁ ଆଡମିଟ୍ କାର୍ଡ ଦିଆଯିବ ନାହିଁ ମାତ୍ର ଯାଞ୍ଚ ପ୍ରକ୍ରିୟା, ଶ୍ରେଣୀରେ ପ୍ରଶ୍ନପତ୍ର ଏବଂ ଉତ୍ତରଖାତା ବାଣ୍ଟିବା, ନିର୍ଦ୍ଧାରିତ ସମୟରେ ଉତ୍ତରଖାତା ସଂଗ୍ରହ କରିବା ଆଦି ମାଟ୍ରିକ ପରୀକ୍ଷା ଭଳି କରାଯିବ। ଏହି ସେଟ୍ ପ୍ରଶ୍ନପତ୍ର ଏବଂ ଉତ୍ତରଖାତା ଲାଗି ସମସ୍ତ ଅର୍ଥ ବିଭାଗ ପକ୍ଷରୁ ଖର୍ଚ୍ଚ କରାଯିବ। ତେବେ ପ୍ରତି ପିଲା ପିଛା ପ୍ରାୟ ୧୧ଟଙ୍କା ବାବାଦରେ ମୋଟ୍ ରାଜ୍ୟରେ କେବଳ ଅଷ୍ଟମ ଶ୍ରେଣୀ ବାର୍ଷିକ ପରୀକ୍ଷାରେ ଖର୍ଚ୍ଚ ହେବ ୩୯ଲକ୍ଷ ୧୮ହଜାର ୩୮୭ଟଙ୍କା।
ଏହି ବ୍ୟବସ୍ଥା ସମ୍ପର୍କରେ ସ୍କଲ ଓ ଗଣଶିକ୍ଷା ବିଭାଗର ଅଧିକାରୀଙ୍କ କହିବା ଅନୁଯାୟୀ, ରାଜ୍ୟରେ ସମଗ୍ର ଶିକ୍ଷା ଯୋଜନାରେ ସବୁ ସ୍କୁଲକୁ ଗୁରୁତ୍ୱ ଦିଆଯାଉଥିବା ବେଳେ ଶିକ୍ଷାଦାନ ପଦ୍ଧତିରେ ସଂସ୍କାର ଆସିଛି। ଶିକ୍ଷକ ଏବଂ ଛାତ୍ରଛାତ୍ରୀଙ୍କ ଆଧାରଲିଙ୍କ ହେବା ପରେ ରାଜ୍ୟର ସବୁ ସ୍କୁଲର ତଥ୍ୟ ବିଭାଗୀୟ ୟୁଡାଇସରେ ରହିଛି। ଅଷ୍ଟମରୁ ଏପରି ଅଭନବ ପ୍ରୟାସ ଲାଗୁ କରିବା ପରେ ରାଜ୍ୟରେ ମଧ୍ୟ ଜିରୋ ରେଜଲ୍ଟ ମିଶନ ଏକ ପ୍ରକାର ସଫଳ ହେବ। ମାଟ୍ରିକ ପରୀକ୍ଷାକୁ ନେଇ ପିଲାଙ୍କ ମଧ୍ୟରେ ଥିବା ଭୟ ଏହି ବ୍ୟବସ୍ଥା ମାଧ୍ୟମରେ ଦୂର ହେବ ବୋଲି ସମ୍ଭାବନା ରହିଛି।