କିରିତମାଲରୁ ବାରହା, ନୁଆଁଡ଼ିହିରୁ ହରିଣ ଉଦ୍ଧାର

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ କିତିରମାଲ ଗ୍ରାମର ଯୁବକମାନେ ଏକ ବାରହାକୁ ଉଦ୍ଧାର କରି ନିକଟସ୍ଥ ଜଙ୍ଗଲରେ ଛାଡ଼ିଛନ୍ତି। ସୂଚନାନୁଯାୟୀ, କିରିତମାଲ ଗ୍ରାମର ଦିନବନ୍ଧୁ ପ୍ରଧାନଙ୍କ ବିଲରେ ଥିବା କୂଅରେ ଶନିବାର ରାତିରେ ଏକ ଜଙ୍ଗଲି ବାରହା ପଡ଼ି ଯାଇଥିଲା। ରାତି ସାରା ବାହାରକୁ ନଆସି ପାରି କୂଅ ଭିତରେ ପଡ଼ି ରହିଥିବା ବାରହାକୁ ସକାଳୁ ନିଜ ବିଲକୁ ଯାଇଥିବା ସମୟରେ ଦିନବନ୍ଧୁ ଦେଖି ଗ୍ରାମବାସୀଙ୍କୁ ଏବିଷୟରେ ଅବଗତ କରାଇଥିଲେ। ପରେ ଗ୍ରାମର ଯୁବକମାନେ ବାରହାକୁ ଉଦ୍ଧାର କରି ନିକଟସ୍ଥ ଜଙ୍ଗଲରେ ଛାଡ଼ି ଦେଇଥିଲେ।


ସେହିପରି ଗାନ୍ଧିଛକ ନିକଟସ୍ଥ ନୂଆଁଡ଼ିହି ଗ୍ରାମରେ ଶୁକ୍ରବାର ଏକ ହରିଣ ଉଦ୍ଧାର ହୋଇଥିଲା। ଗ୍ରାମ ନିକଟରେ ଏକ ହରିଣ ବୁଲୁଥିବା ଦେଖି ଗ୍ରାମବାସୀମାନେ ବନ ବିଭାଗକୁ ଖବର ଦେବା ପରେ ବନ ବିଭାଗ କର୍ମଚାରୀ ଆସି ହରିଣକୁ ବୁଡ଼ିପଦର ଜଙ୍ଗଲରେ ଛାଡ଼ିଥିଲେ। ପ୍ରକାଶଯୋଗ୍ୟ ଯେ, ଲକଡାଉନ ଯୋଗୁଁ ଲୋକେ ଘରେ ରହୁଥିବାବେଳେ ଯାନବାହାନ ଚଳାଚଳ ମଧ୍ୟ କମ ହେଉଛି। ଫଳରେ ଜଙ୍ଗଲରେ ରହୁଥିବା ବାରହା, ହରିଣ, ଠେକୁଆ ଆଦି ପ୍ରାଣୀ ଗାଁ ତଥା ସହର ଭିତରକୁ ବେଳେବେଳେ ନିର୍ଭୟରେ ପଶି ଆସୁଛନ୍ତି।