ପିଲା କଳିରୁ ହେଲା ରକ୍ତପାତ, ମହିଳା ଗୁରୁତର

ଖୋର୍ଦ୍ଧା,ଏନ୍ଏନ୍ଏସ୍: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ବୋରି ଗାଁ’ରେ ଆଜି ଏକ ଅମାନବୀୟ ଘଟଣା ଦେଖିବାକୁ ମିଳିଛି। ଆଜି ଦୁଇ ପରିବାର ମଧ୍ୟରେ ପିଲା କଳିକୁ ନେଇ ରକ୍ତାତ ପରିସ୍ଥିତି ସୃଷ୍ଟି ହୋଇଛି। ସୂଚନା ଅନୁସାରେ ସେମାନେ ହେଲେ ଉକ୍ତ ଗାଁ’ର ସରୋଜିନୀ ପାଇକରା ଓ ଚିତ୍ରସେନ ରାଉତରା। କୌଣସି କାରଣରୁ ଦୁଇ ପରିବାର ମଧ୍ୟରେ ପୂର୍ବରୁ ଶତ୍ରୁତା ରହି ଆସିଥିଲା। ସରୋଜିନୀ ପାଇକରା ଯେକି ଜଣେ ବିଧବା ସ୍ତ୍ରୀ ଲୋକ ହୋଇଥିବା ବେଳେ ତାଙ୍କର ଗୋଟେ ପୁଅ ବାହାରେ ରୁହନ୍ତି।

ସେହିପରି ଗୋଟିଏ ଝିଅ ଯାହାର ବାହାଘର ସରିଥିଲେ ମଧ୍ୟ ଆଜି ଝଗଡା ସମୟରେ ସେ ତାଙ୍କ ମାଙ୍କ ଘର ବୋରି ଗାଁ’ରେ ଉପସ୍ଥିତ ଥିଲେ। ତେବେ ଉକ୍ତ ପରିବାର ମଧ୍ୟରେ ଆଜି ପ୍ରଥମେ ପିଲା କଳିକୁ ନେଇ ଯୁକ୍ତିତର୍କ ଓ ପରେ ରକ୍ତପାତ ହୋଇଛି। ହେଲା ଭଳି ପରିସ୍ଥିତି ଉପୁଜି ଥିଲା। ଚିତ୍ରସେନ ରାଉତରା ଓ ତାଙ୍କ ପତ୍ନୀ ବବିତା ରାଉତରା ରାଗରେ ଉତ୍‌କ୍ଷିପ୍ତ ହୋଇ ମାରଣାସ୍ତ୍ର ଧରି ସରୋଜିନୀଙ୍କୁ ଆକ୍ରମଣ କରି ରକ୍ତାକ୍ତ କରିଦେଇଥିଲେ। ଆକ୍ରମଣ ଶିକାର ହୋଇଥିବା ସରୋଜିନୀଙ୍କ ପରିବାର ତରଫରୁ ଏନେଇ ବାଣପୁର ଥାନାରେ ଏକ ମାମଲା ରୁଜୁ କରାଯାଇଥିବା ବେଳେ ପୁଲିସ ଏହାର ତଦନ୍ତ ଚଳାଇଛି। ତେବେ ସରୋଜିନୀଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଭୁବନେଶ୍ୱର ମେଡ଼ିକାଲକୁ ପଠାଯାଇଛି।