ଜୀବନ ବିନ୍ଦୁ ପକ୍ଷରୁ ରକ୍ତଦାନ ଶିବିର ଉଦଯାପିତ: ୧୨୧ ୟୁନିଟ ରକ୍ତ ସଂଗୃହିତ

ଦେବଗଡ଼,ଏନ୍ଏନ୍ଏସ୍: କରୋନା ସଂକ୍ରମଣକୁ ରୋକିବା ପାଇଁ ସାମାଜିକ ଦୂରତା ଉଦ୍ଦେଶ୍ୟରେ ସାରା ଦେଶକୁ ଲକଡାଉନ କରା ଯାଇଥିବା ବେଳେ ସରକାର ଜନସାଧାରଣଙ୍କ ଠାରୁ ସହଯୋଗ କାମନା କରିଥିଲେ। ଲକଡାଉନ ଥିବାରୁ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆସୁଥିବା ରୋଗୀମାନେ ହସ୍ପିଟାଲରେ ରକ୍ତର ଅଭାବରୁ ଅସୁବିଧାରେ ପଡୁଛନ୍ତି। ଏହି ପରିସ୍ଥିତିରେ ସ୍ୱେଚ୍ଚାସେବୀ ସଂଗଠନ ପକ୍ଷରୁ ରକ୍ତଦାନ ଶିବିର ଆୟୋଜନ କରାଯାଉ ନଥିବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ରକ୍ତଭାରରେ ଥିବା ଗଚ୍ଛିତ ରକ୍ତର ପରିମାଣ କମୁଥିବା ଜଣାପଡିଛି। ଏ ନେଇ ଗତ ୩ ତାରିଖଠାରୁ ଜିଲ୍ଲା ବିଜେଡି ଜୀବନ ବିନ୍ଦୁ ଓ ବିଜୁ ଯୁବ ବାହିନୀ ପକ୍ଷରୁ ରକ୍ତ ଭାରଠାରେ ଆରମ୍ଭ ହୋଇଥିବା ରକ୍ତଦାନ ଶିବିର ଆଜି ଉଦଯାପିତ ହୋଇଯାଇଛି।

ଉଦଯାପନୀ ଦିବସରେ ୩୧ ଜଣ ଦଳୀୟ କର୍ମୀ ସ୍ୱେଚ୍ଛାକୃତ ରକ୍ତ ଦାନ କରିଥିବା ବେଳେ ଏହି ଶିବିରରେ ମୋଟ ୧୨୧ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା। ଉଦଯାପନୀ ଦିବସରେ ଆଜି ପୂର୍ବାହ୍ଣରେ ଜିଲ୍ଲା ବିଜେଡି ସଭାପତି ରୋମାଞ୍ଚ ରଞ୍ଜନ ବିଶ୍ୱାଳ ରାଜ୍ୟ ପରିଷଦ ସଦସ୍ୟ ଇଂ ସୁଜିତ କୁମାର ପ୍ରଧାନ, ଜିଲ୍ଲା ବିଜେଡି କୃଷକ ସେଲ ସଭାପତି ଇଂ ଚିତ୍ତ ରଞ୍ଜନ ପ୍ରଧାନ, ନଗର ବିଜେଡି ସଭାପତି ଶୁକଦେବ ଭଞ୍ଜଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ରକ୍ତଦାନ ଶିବିରରେ ବିଜୁ ଯୁବ ବାହିନୀ ସଦସ୍ୟ ଓ ଦଳୀୟ କର୍ମୀମାନେ ସ୍ୱେଚ୍ଛାକୃତ ରକ୍ତଦାନ କରିଥିଲେ। ସେହିପରି ଜିଲ୍ଲା ରକ୍ତ ଭାର ଅଧିକାରୀ ଡାକ୍ତର ଅମିତ କୁମାର ମହାପାତ୍ର ଶିବିରକୁ ପରିଚାଳନା କରିଥିଲେ।