ରକ୍ତଦାନ କରି ପ୍ରସୂତିଙ୍କ ଜୀବନ ବଞ୍ଚାଇଲେ ଜିଲ୍ଲାପାଳ

ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲା ସୀମାନ୍ତବର୍ତୀ ଛତିଶଗଡ ସୁକୁମା ଜିଲ୍ଲାପାଳ ଚନ୍ଦନ କୁମାର ଜଣେ ଆଦିବାସୀ ପ୍ରସୂତିଙ୍କୁ ରକ୍ତଦାନ କରି ଜୀବନ ଦାନ ଦେଇଥିବା ଘଟଣା ଏହି ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ସୁକୁମା ଜିଲ୍ଲାପାଳ ଚନ୍ଦନ କୁମାର ଜଣେ ପ୍ରସବ ମହିଳାଙ୍କୁ ଏ ପ୍ଲସ ଗ୍ରୁପର ରକ୍ତ ନଥିବାରୁ ତାଙ୍କ ପରିବାର ବର୍ଗ ରକ୍ତ ପାଇଁ ଏଣେତେଣେ ଘୁରି ବୁଲୁଥିବା ସୂଚନା ପାଇବା ପରେ ନିଜେ ଜିଲ୍ଲାପାଳ ସୁକୁମା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯାଇଥିଲେ।

ତେବେ ତାହାର ରକ୍ତହୀନତା ହୋଇ ପରିସ୍ଥିତି ଜଟିଳଥିବା ଜାଣିବାକୁ ପାଇଥିଲେ। ମାଓପ୍ରବଣ ଦୁର୍ଗମ ଅଞ୍ଚଳର ଚିନ୍ତଲନାରର ଜଣେ ଆଦିବାସୀ ମହିଳାଙ୍କୁ ତୁରନ୍ତ ଜିଲ୍ଲାପାଳ ରକ୍ତ ଦାନ କରିବା ପରେ ଡାକ୍ତରମାନେ ତାଙ୍କୁ ରକ୍ତ ଦେଇଥିଲେ। ତେବେ ବର୍ତ୍ତମାନ ମହିଳାଙ୍କ ପରିସ୍ଥିତିରେ ସୁଧାର ଆସିଛି। ଜିଲ୍ଲାପାଳଙ୍କ ଏହି ମହତ କାମ ପାଇଁ ପ୍ରଶଂସାର ସୁଅ ଛୁଟିଛି।

ଏନେଇ ଜିଲ୍ଲାପାଳ ଚନ୍ଦନ କୁମାର କହିଛନ୍ତି, ଏହା ଏକ ସାଧାରଣ କଥା, ପ୍ରଥମେ ମୁଁ ଜଣେ ମଣିଷ ପରେ କେଉଁ ପଦପଦବୀର ଅଧିକାରୀ। ମାନବିକତା ଥିବା ଜଣେ ମଣିଷ ହିସାବରେ ଜଣକୁ ମୁଁ ରକ୍ତ ଦେଇଛି। ଏହାକୁ ନେଇ ଏତେ ଚର୍ଚ୍ଚା କରିବା ଅନୁଚିତ। ରକ୍ତଦାନ ଏକ ମହାନ ଦାନ। ସବୁ ବର୍ଗର ଲୋକେ ସାମିଲ ହୋଇ ରକ୍ତଦାନ କରିବା ଉଚିତ ବୋଲି ସେ ପ୍ରକାଶ କରିଛନ୍ତି।