ବ୍ଲକ ଓ ତହସିଲକୁ ଅନିଦ୍ଦିଷ୍ଟ କାଳ ପାଇଁ ବନ୍ଦ କରିବେ ପଞ୍ଚାୟତ ପ୍ରତିନିଧି

ଦେବଗଡ,ଏନ୍ଏନ୍ଏସ୍: ଦେବଗଡ ଜିଲ୍ଲା ରିଆମାଳ ବ୍ଲକ କାର୍ଯ୍ୟାଳୟରେ ୮ମାସ ଧରି ଅଧିକାରୀ ନଥିବାରୁ ଉନ୍ନୟନ କାର୍ଯ୍ୟ ସଂପୂର୍ଣ୍ଣ ବାଧାପ୍ରାପ୍ତ ହେବା ସହ ଅଂଚଳର ବିକାଶରେ ପ୍ରତିବନ୍ଧକ ସୃଷ୍ଟି ହୋଇଛି। ସମସ୍ୟାର ସମାଧାନ ପାଇଁ ବ୍ଲକର ନିର୍ବାଚିତ ପ୍ରତିନିଧିମାନେ ପଂଚାୟତ ରାଜ ବିଭାଗ ଠାରୁ ଜିଲ୍ଲା ପ୍ରଶାସନ ପର୍ଯ୍ୟନ୍ତ ବାରମ୍ବାର ଅଭିଯୋଗ କରିଥିଲେ । କିନ୍ତୁ କୌଣସି ସୁଫଳ ନ ମିଳିବାରୁ ମଂଗଳବାର ଠାରୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ରିଆମାଳ ବ୍ଲକ କାର୍ଯ୍ୟାଳୟ ସମେତ ତହସିଲ କାର୍ଯ୍ୟାଳୟରେ ପଂଚାୟତ ପ୍ରତିନିଧି ମାନେ ମିଳିତ ଭାବେ ତାଲା ପକାଇବାର ନିଷ୍ପତ୍ତି ନେଇଛନ୍ତି।

ରିଆମାଳ ବ୍ଲକ କାର୍ଯ୍ୟାଳୟ ସମ୍ମଳନୀ କକ୍ଷରେ ଆୟୋଜିତ ରିଆମାଳ ବ୍ଲକ ଅଧ୍ୟକ୍ଷା ରୀତାଞ୍ଜଳୀ ହାତୀ ଙ୍କ ଅଧ୍ୟକ୍ଷତାରେ ପଂଚାୟତ ପ୍ରତିନିଧି ଙ୍କ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରିଆମାଳ ବ୍ଲକର ସମସ୍ତ ପଂଚାୟତର ନିର୍ବାଚିତ ଜନ ପ୍ରତିନିଧି ମାନେ ଉପସ୍ଥିତ ରହି ରିଆମାଳ ବ୍ଲକରେ ନିଯୁକ୍ତ ବିଡିଓ ଶିବ ଟପୋଙ୍କ ପଦୋନ୍ନତି ହୋଇ ସେ ଏଠାରୁ ଯିବା ପରେ ଗତ୨୫ ଫେବୃୟାରୀ ଠାରୁ ବିଡିଓ ଦାଇତ୍ୱରେ ସ୍ଥାନୀୟ ତହସିଲଦାର ବିମଳା ବିରୁଡି ଦାୟିତ୍ୱରେ ରହିଛନ୍ତି। ମାତ୍ର ବିରୁଡି ବିଭିନ୍ନ ଆଳ ଦେଖାଇ ବ୍ଲକ କାର୍ଯ୍ୟ କରୁ ନଥିବା ବେଳେ ଏ ନେଇ କୈାଣସି ଅଭିଯୋଗ କଲେ ସେ ବିରକ୍ତ ହେଉଥିବାରୁ ଏହି ବୈଠକରେ କ୍ଷୋଭ ପ୍ରକାଶ ପାଇଥିଲା।

ସେହିପରି ବ୍ଲକରେ ଏବିଡିଓ,ଜିପିଓ,ସହକାରୀ ଯନ୍ତ୍ରୀ ,କିରାଣୀ ଏପରିକି ପିଅନ ଭଳି ପଦବୀ ଖାଲି ପଡିଥିବାରୁ ବ୍ଲକର ବିକାଶ କାର୍ଯ୍ୟ ଆଗେଇପାରୁ ନଥିବା ଏକ ସମ୍ବାଦିକ ସମ୍ମିଳନୀରେ ବ୍ଲକ ଅଧ୍ୟକ୍ଷା ରୀତାଞ୍ଜଳୀ ହାତୀ ପ୍ରକାଶ କରିବା ସହ ଅଂଚଳର ନିର୍ବାଚିତ ଜନ ପ୍ରତିନିଧି ଙ୍କ ସମସ୍ୟାର ସମାଧାନ ନେଇ ଜିଲ୍ଲା ପ୍ରଶାସନ ଉଦ୍ୟମ କରୁ ନଥିବା ଅଭିଯୋଗ କରି ଏହାର ପ୍ରତିବାଦରେ ମଂଗଳବାର ଠାରୁ ଅନିଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ରିଆମାଳ କାର୍ଯ୍ୟାଳୟ ସମତେ ତହସିଲ କାର୍ଯ୍ୟାଳୟ ରେ ତାଲା ପକାଇବାକୁୁ ପଂଚାୟତ ପ୍ରତିନିଧିମାନେ ନିଷ୍ପତ୍ତି ନେଇଥିବା ପ୍ରକାଶ କରିଛନ୍ତି ।