୩ ଗୁରୁତରଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଇଲେ ବ୍ଲକ ଅଧ୍ୟକ୍ଷା

ଦେବଗଡ଼,ଏନ୍ଏନ୍ଏସ୍: ମାନବିକତା ଦେଖାଇଲେ ରିଆମାଳ ବ୍ଲକ ଅଧ୍ୟକ୍ଷା। ଆଜି ଅପରାହ୍ନ ପ୍ରାୟ ୩ଟା ସମୟରେ ଏମସିଏଲ କାର୍ଯ୍ୟରେ ନିୟୋଜିତ ଏକ ପିକଅପ ଭ୍ୟାନ ଝାରସୁଗୁଡ଼ାରୁ ତାଳଚେର ପଟକୁ ଯାଉଥିବାବେଳେ ରିଆମାଳ ଥାନା ଅନ୍ତର୍ଗତ ରତନପୁର ଗ୍ରାମ ନିକଟ ବୁଲାଣିଠାରେ ୩ ବାଇକ ଆରୋହୀଙ୍କୁ ଧକ୍କା ଦେଇଥିଲା। ସେମାନେ ହେଲେ ରିଆମାଳ ଥାନା ଅନ୍ତର୍ଗତ ଡଙ୍ଗାଘାଟ ଗ୍ରାମର ଅର୍ଜୁନ ଦାସ (୨୯), ସଞ୍ଜୟ ଦାସ(୨୦) ଓ ଶିଶୁ ନରେନ୍ଦ୍ର ପେଣ୍ଠେଇ (୫)। ଫଳରେ ବାଇକରେ ଥିବା ଶିଶୁ ସମେତ ଅନ୍ୟ ୨ଜଣ ରାସ୍ତା ଉପରକୁ ଛିଟିକି ପଡ଼ି ଗୁରୁତର ହୋଇ ରାସ୍ତାକଡ଼ରେ ପଡ଼ି ରହିଥିଲେ। ଏହି ସମୟରେ ବ୍ଲକରୁ କାର୍ଯ୍ୟ ସାରି ଦେବଗଡ଼ ଅଭିମୁଖେ ଫେରୁଥିବା ରିଆମାଳ ବ୍ଲକ ଅଧ୍ୟକ୍ଷା ରୀତାଞ୍ଜଳୀ ହାତୀ ରାସ୍ତାକଡ଼ରେ ଗୁରୁତରଙ୍କୁ ପଡ଼ିଥିବା ଦେଖି ସେଠାରେ ଅଟକିବା ସହ ସେମାନଙ୍କୁ ସାହାଯ୍ୟ ପାଇଁ ପୁଲିସ ଓ ଆମ୍ବୁଲାନ୍ସକୁ ଖବର ଦେଇଥିଲେ। ମାତ୍ର ଆମ୍ବୁଲାନ୍ସ ବିଳମ୍ବିତ ହେଉଥିବା ଦେଖି ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ହାତୀ ସମସ୍ତ ଗୁରୁତରଙ୍କୁ ଚିକିତ୍ସା ପାଇଁ ନିଜ ଗାଡ଼ିରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିବା ସହ ସେମାନଙ୍କ ଚିକିତ୍ସା ବ୍ୟବସ୍ଥା କରାଇଥିଲେ। ମାତ୍ର ଅବସ୍ଥା ଗୁରୁତର ଥିବାରୁ ଅଧିକ ଚିକିତ୍ସା ନିମନ୍ତେ ସେମାନଙ୍କୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି।