ବରଗଡ଼,ଏନ୍ଏନ୍ଏସ୍: ବ୍ଲକ କାର୍ଯ୍ୟାଳୟ ମାନଙ୍କରେ ଚାଲିଥିବା ବ୍ୟାପକ ଦୁର୍ନୀତିକୁ ବିରୋଧ କରି ବ୍ଲକ କଂଗ୍ରେସ କମିଟି ଆଜି ବରଗଡ଼ ବ୍ଲକ କାର୍ଯ୍ୟାଳୟ ଘେରାଉ କରିଛି । ବ୍ଲକ କାର୍ଯ୍ୟାଳୟରେ ଦୁର୍ନିତୀ ବନ୍ଦ ନକଲେ ଆଗାମୀ ଦିନରେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ଚେତାବନୀ ଦିଆଯାଇଛି । ପ୍ରାରମ୍ଭରେ ବରଗଡ଼ ବ୍ଲକ କଂଗ୍ରେସ କମିଟି ପକ୍ଷରୁ ସ୍ଥାନୀୟ ଲୋକ ମଣ୍ଡପ ପଡ଼ିଆରୁ ଏକ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିବା ପରେ ବ୍ଲକ କାର୍ଯ୍ୟାଳୟକୁ ପହଞ୍ଚିଥିଲା । ଏହି ଶୋଭାଯାତ୍ରାରେ ପିସିସି ସଦସ୍ୟ ନିପନ ଦାସ, ବରିଷ୍ଠ ନେତା ହରଦୀପ ସିଂଙ୍କ ସହ ବହୁ ନେତା ଓ କର୍ମୀ ସାମିଲ ହୋଇଥିଲେ। ସେଠାରେ କାର୍ଯ୍ୟାଳୟକୁ ଘେରାଉ କରି ଆୟୋଜିତ ଏକ ସାଧାରଣ ସଭାରେ ନେତାଗଣ ସରକାରୀ ଅଧିକାରୀଙ୍କ ଉପରେ ଖୁବ୍ ବର୍ଷିଥିଲେ । ଭତ୍ତା, ଆବାସ ଓ ହରିଶ୍ଚନ୍ଦ୍ର ପରି ଯୋଜନାର ବ୍ୟାପକ ଦୁର୍ନୀତି କରି ଅଯୋଗ୍ୟ ହିତାଧୀକାରୀ ତଥା ବିଜେଡି କର୍ମୀଙ୍କୁ ପ୍ରଦାନ କରାଯାଉଥିବା ଅଭିଯୋଗ କରିଥିଲେ । ସେହିପରି ବ୍ଲକକୁ ଆସୁଥିବା ଲକ୍ଷାଧିକ ଟଙ୍କା ହଡ଼ପ କରି ବିନା ଟେଣ୍ଡରରେ କାର୍ଯ୍ୟାଦେଶ ହେଉଥିବା ଅଭିଯୋଗ ହେଉଛି । ବ୍ଲକରେ ଚାଲିଥିବା ପିସି କାରବାର ବନ୍ଦ କରାନଗଲେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର ହେବ ବୋଲି ଚେତାବନୀ ଦିଆଯାଇଛି ।