ସଇଁନ୍ତଲା,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକର ଶତାଧିକ ଲୋକେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବାଦ ପଡ଼ିବା ପ୍ରତିବାଦରେ ଆଜି ସାଂସଦଙ୍କ ବ୍ଲକ ପ୍ରତିନିଧି ଅକ୍ଷୟ ରଣାଙ୍କ ନେତୃତ୍ୱରେ ବ୍ଲକ କାର୍ଯ୍ୟାଳୟ ଘେରାଉ ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏହିକ୍ରମେ ଶତାଧିକ ଲୋକେ ସ୍ଥାନୀୟ ବ୍ଲକ ଛକରୁ ବିରାଟ ଶୋଭାଯାତ୍ରାରେ ବାହାରି ବ୍ଲକ କାର୍ଯ୍ୟାଳୟରେ ପହଞ୍ଚି ପ୍ରଶାସନ ବିରୁଦ୍ଧରେ ନାରାବାଜି କରିଥିଲେ । ବଡ଼ ବଡ଼ିଆ ଲୋକଙ୍କୁ ଆବାସ ଯୋଜନାରେ ସାମିଲ କରାଯାଉଛି ଏବଂ ଗରିବ ଲୋକଙ୍କୁ ଅଣଦେଖା କରାଯିବାକୁ ନେଇ ସେମାନେ ଗର୍ଜିଥିଲେ । ଏନେଇ ବିଡ଼ିଓ ଚନ୍ଦ୍ର ମଣି ନାଗଙ୍କୁ ବିଜେପି ଦଳ ପକ୍ଷରୁ ଏକ ଦାବୀପତ୍ର ମଧ୍ୟ ପ୍ରଦାନ କରାଯାଇଛି । ଏଥିସହିତ ତୁରନ୍ତ ସମସ୍ୟାର ସମାଧାନ ସାଙ୍ଗକୁ ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କୁ ସାମିଲ କରାନଗଲେ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲେଇ ଆନ୍ଦୋଳନ କରିବେ ବୋଲି ଜିଲ୍ଲା ସାଧାରଣ ସମ୍ପାଦକ ମୁକେଶ ଜୈନ, ରାଜ୍ୟଯୁବ ମୋର୍ଚ୍ଚା ସଦସ୍ୟ ନୃସିଂ ସିଂହ, ସଇଁନ୍ତଲା ମଣ୍ଡଳ ସଭାପତି ଦୈତାରୀ ଭୋଇ, କରୁଣା ପଶାୟତ, ଗଦାଧର ବଗର୍ତ୍ତି, ଲବେନ୍ଦ୍ର ବେହେରା, ରବୀନ୍ଦ୍ର ସାହୁ ଓ ସୁବାସ ବେହେରା ପ୍ରମୁଖ ସାମିଲ ହୋଇ ଚେତାବନୀ ଦେଇଛନ୍ତି ।