ବ୍ଲକସ୍ତରୀୟ ସମୂହ କ୍ରୀଡ଼ା ପ୍ରତିଯୋଗିତା ଉଦଯାପିତ

ରାମନାଗୁଡ଼ା,ଏନ୍‌ଏନ୍‌ଏସ୍‌: ରାୟଗଡ଼ା ଜିଲ୍ଲା ରାମନାଗୁଡ଼ା ବ୍ଲକ ସଦରରେ ଥିବା ମିନି ଷ୍ଟାଡିୟମରେ ବ୍ଲକସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି । ଏଥିରେ ରାମନାଗୁଡ଼ା ଗୋଷ୍ଠୀ ଶିକ୍ଷା ଅଧିକାରୀ ସୂଜନ ମଲ୍ଲିକ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହାର ଉଦଘାଟନ କରିଥିଲେ । ପ୍ରତିଯୋଗିତା ପ୍ରାରମ୍ଭରେ ଅତିଥିମାନେ ଜଗନ୍ନାଥ ଫୋଟଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ମଶାଲ ପଡ଼ିଆରେ ସ୍ଥାପନ କରାଯିବା ପରେ ପତାକା ଉତ୍ତୋଳନ କରିଥିଲେ । ପ୍ରତିଯୋଗିତା ପ୍ରାରମ୍ଭରେ ଶିକ୍ଷକ ତାଉଡୁ ମାଣ୍ଡାଙ୍ଗି ଜଗନ୍ନାଥଙ୍କ ଭଜନ ପରିବେଷଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥିଭାବେ ପିରାମିଡ୍ ଫାଉଣ୍ଡେସନ ଗାନ୍ଧୀ ଫୋଲ ଝାଡ଼ଖଣ୍ଡ ନେହା କୁମାରୀ, ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ସୂର୍ଯ୍ୟନାରାୟଣ ପ୍ରାଣିଗ୍ରାହୀ, ରାୟଗଡ଼ା ଆଇପି ହରିହର ପାତ୍ର ଓ ରାୟଗଡ଼ା ଜିସିଡି ହାଇସ୍କୁଲ ଖେଳ ଶିକ୍ଷକ ସୁନୀଲ କୁମାର ମହନ୍ତ ପ୍ରମୁଖ ମଞ୍ଚାସୀନ ଥୂଲେ । ଏଥିରେ ପୁରୁଷ ଓ ବାଳିକା ବର୍ଗରେ ଦୌଡ଼କୁଦ, ଡିସକସ ଥ୍ରୋ, ସଟଫୁଟ, ଲଙ୍ଗଜମ୍ପ, କବାଡ଼ି, ଖୋଖୋ, ଫୁଟବଲ, କ୍ରିକେଟ, ବ୍ୟାଡମିଣ୍ଟନ, ଚେସ, ଭଲିବଲ୍ ଓ ଯୋଗାସନ ଆଦି ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ଏହି କ୍ରୀଡ଼ା ସମାରୋହରେ ୧୨ଟି ପଞ୍ଚାୟତରେ ଥିବା ଉଚ୍ଚ ବିଦ୍ୟାଳୟ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୧୧ଜଣ ଖେଳ ଶିକ୍ଷକ ସହ ୧୧ଜଣ ଆଞ୍ଚଳିକ ସାଧନ ସଂଯୋଜକମାନେ ସମସ୍ତ କାର୍ଯ୍ୟ ପରିଚାଳନା କରିଥିଲେ । ମଞ୍ଚ ପରିଚାଳନା ଦାୟିତ୍ୱରେ ଶିକ୍ଷକ ଅଶ୍ୱିନୀ କୁମାର ତ୍ରିପାଠୀ, ରମେଶ ଚନ୍ଦ୍ର ମିଶ୍ର ଓ ଡମ୍ବୁରିଗୁଡ଼ା ପ୍ରାଥମିକ ବିଦ୍ୟାଳୟ ପ୍ରଧାନଶିକ୍ଷକ ଶିଶିର ପଣ୍ଡା ପରିଚାଳନା କରିଥିଲେ । ଏହି କ୍ରୀଡ଼ା ପ୍ରତିଯୋଗିତାରେ ୧୭ଟି ବିଦ୍ୟାଳୟରୁ ସମୁଦାୟ ୩୨୦ଜଣ ଛାତ୍ରଛାତ୍ରୀ ଭାଗ ନେଇଥିଲେ । ସେମାନଙ୍କ ମଧ୍ୟରୁ ୧୬୪ଜଣ ଛାତ୍ରଛାତ୍ରୀ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ହାସଲ କରିଥିବାବେଳେ ପ୍ରଥମ ସ୍ଥାନ ହାସଲ କରିଥିବା ୫୫ଜଣ ଛାତ୍ରଛାତ୍ରୀ ଜିଲ୍ଲାସ୍ତରୀୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଭାଗ ନେବେ ବୋଲି ସୂଚନା ମିଳିଛି । ଏଥିରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ଜିଲ୍ଲାସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାର ସୁଯୋଗ ପାଇବା ସହ ଜିଲ୍ଲାସ୍ତରରେ କୃତିତ୍ୱ ହାସଲ ଛାତ୍ରଛାତ୍ରୀଙ୍କୁ ରାଜ୍ୟସ୍ତରୀୟ ପ୍ରତିଯୋଗିତାକୁ ଯିବେ ବୋଲି ବିଇଓ ସୃଜନ ମଲ୍ଲିକ ସୂଚନା ଦେଇଛନ୍ତି । ପ୍ରତିଯୋଗିତାରେ ଭାଗ ନେଉଥିବା ପ୍ରତିଯୋଗୀ ଜୀବନରେ ଶୃଙ୍ଖଳିତ ହେବାସହ ସୁସ୍ଥ ଶରୀର ଗଠନ କରିବାରେ ସଫଳ ହେବେ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ । ୨ ଦିନ ଧରି ଚାଲିଥିବା ଉଦଯାପନୀ କାର୍ଯ୍ୟକ୍ରମରେ ରାମନାଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଭାରପ୍ରାପ୍ତ ଚିକିତ୍ସାଧିକାରୀ ସୌରଭ ମହାପାତ୍ର ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥିଭାବେ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୂଚନା ମଲ୍ଲିକ ଓ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଦାମୋଦର ହିମିରିକା ସମ୍ମାନିତ ଅତିଥିଭାବେ ଯୋଗ ଦେଇଥିଲେ । ଏଥିରେ ୧୭ଟି ବିଦ୍ୟାଳୟ ଛାତ୍ରଛାତ୍ରୀମାନେ ଭାଗ ନେଇଥିଲେ । ଅତିଥିମାନେ ନିଜ ବକ୍ତବ୍ୟରେ ଖେଳାଳି ଶ୍ରେଷ୍ଠତ୍ୱ ହାସଲ କରିବାକୁ ହେଲେ ଶୃଙ୍ଖଳିତ ହେବାକୁ ପଡ଼ିବ ବୋଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଚିକିତ୍ସାଧିକାରୀ ଶ୍ରୀ ମହାପାତ୍ର ପରାମର୍ଶ ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ଅଶ୍ୱିନୀ ତ୍ରିପାଠୀ ସ୍ୱାଗତ ଭାଷଣ ଦେଇଥିବାବେଳେ ନରେନ୍ଦ୍ର ନାଥ ନାୟକ ସଭା ପରିଚାଳନା କରିଥିଲେ । ଆଞ୍ଚଳିକ ସାଧନ ସଂଯୋଜକ ରମେଶ ମିଶ୍ର ଧନ୍ୟବାଦ ଦେଇଥିଲେ ।