ଫିରିଙ୍ଗିଆ,ଏନ୍ଏନ୍ଏସ୍: ଫିରିଙ୍ଗିଆ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ବ୍ଲକସ୍ତରୀୟ ସଙ୍କଳ୍ପ ସପ୍ତାହ ପାଳିତ ହୋଇଯାଇଛି । ପଞ୍ଚାୟତ ସମିତି ଅଧ୍ୟକ୍ଷା ନମିତା କହଁର ମୁଖ୍ୟଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଅନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରଶ୍ମି ରଞ୍ଜନ ମହନ୍ତ ମହିଳା ଓ ଶିଶୁ ବିକାଶ ଅଧିକାରିଣୀ ହରପ୍ରିୟା ମେହେର ଓ କୃଷି ଅଧିକାରୀ ଟିକେଶ୍ୱର ଭୋଇଙ୍କ ସମେତ ଅନ୍ୟାନ୍ୟ ଅଧିକାରୀମାନେ ମଞ୍ଚାସିନ ଥିଲେ । ଏହି କାର୍ଯ୍ୟକ୍ରମରେ ମିଶନ ଶକ୍ତି, କୃଷି ବିଭାଗ, ସ୍ୱାସ୍ଥ୍ୟ ବିଭାଗ, ଶିକ୍ଷା ବିଭାଗ, ଓଡ଼ିଶା ଜୀବିକା ମିଶନ ଅଧିକାରୀ, ସମିତି ସଭ୍ୟ, ୱାର୍ଡ ମେମ୍ବର, କୃଷକ ସାଥୀ, ମହିଳା ଚାଷୀ ଓ ସ୍ୱୟଂ ସହାୟକ ଗୋଷ୍ଠୀ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ବିଶେଷ କରି ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ସ୍ୱଛତା ଓ କୃଷିର ବିକାଶ କରିବା ଦିଗରେ ଲକ୍ଷ୍ୟ ରଖାଯାଇଛି । ମହିଳାମାନେ କିଭଳି ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ଲୋନ ଦେଣନେଣ କରି ଆତ୍ମନିର୍ଭରଶୀଳ ହେବେ ଏବଂ ସରକାରଙ୍କ ଦ୍ୱାରା ବିଭିନ୍ନ ବିଭାଗର ଯୋଜନା ଗୁଡ଼ିକୁ କାର୍ଯ୍ୟକାରୀ କରି ତା’ର ଲାଭ ଉଠେଇବେ ଯେମିତିକି ଉଦ୍ୟାନ କୃଷି ଓ କୃଷି ଯାନ୍ତ୍ରିକକରଣ ଇତ୍ୟାଦି ଉପରେ କିଭଳି ରିହାତି ମିଳିବ ସେନେଇ ଆଲୋଚନା କରାଯାଇଥିଲା । ବର୍ତ୍ତମାନ କାଳିଆ ଯୋଜନା, ପ୍ରଧାନମନ୍ତ୍ରୀ କିସାନ ଯୋଜନାରେ ଆବଶ୍ୟକ ହେଉଥିବା ଜମିପଟ୍ଟା ଆଧାର ଇତ୍ୟାଦି ନେଇ ମୋ ସେବା କେନ୍ଦ୍ରରେ ପଞ୍ଜିକରଣ କରାଇ ଚାଷୀମାନେ କିଭଳି ଉପକୃତ ହେବେ ସେନେଇ ପରାମର୍ଶ ଦିଆଯାଇଥିଲା । ମହିଳା ଚାଷୀମାନେ ମୋ ବଗିଚାରେ ସବୁଜ ପନିପରିବା ଚାଷ କରିବା ସହ ମୋ ପୋଖରୀରେ ମାଛ ଚାଷ କରି ଲାଭବାନ ହେବେ । କାର୍ଯ୍ୟକ୍ରମ ଜରିଆରେ ନିଜେ ସ୍ୱାବଲମ୍ବୀ ହେବାସହ ଆର୍ôଥକ ଉନ୍ନତି ପାଇଁ ଚେଷ୍ଟା କରିବା ନିମନ୍ତେ ଗୁରୁତ୍ୱ ଦିଆଯାଇଥିଲା । କାର୍ଯ୍ୟକ୍ରମକୁ ଓଡ଼ିଶା ଜୀବିକା ମିଶନର ଫିରିଙ୍ଗିଆ ବ୍ଲକ ସଂଯୋଜକ ସଂଗ୍ରାମ କେଶ୍ୱରୀ ସାହୁଙ୍କ ସହ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ କୈଳାସ ଚନ୍ଦ୍ର ପାଢ଼ୀ ପରିଚାଳନା କରିଥିଲେ ।