ଖଜୁରୀପଡ଼ା,ଏନ୍ଏନ୍ଏସ୍: କନ୍ଧମାଳ ଜିଲ୍ଲାର ଖଜୁରୀପଡ଼ା ବ୍ଲକ୍ ଅନ୍ତର୍ଗତ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟ ଖଜୁରୀପଡ଼ାରେ ଆନ୍ତର୍ଜାତୀୟ ବାଳିକା ଦିବସ ପାଳିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଖଜୁରୀପଡ଼ା ବ୍ଲକ୍ ବିଭିନ୍ନ କ୍ଲଷ୍ଟରରୁ ଆସିଥିବା ଛାତ୍ରଛାତ୍ରୀଙ୍କୁ ନେଇ ବାଳିକାଙ୍କ ସଚେତନତା ପାଇଁ ଏକ ପଦଯାତ୍ରା କରାଯାଇଥିଲା । ଏହାସହିତ ଏକ ସଭାର ଆୟୋଜନ କରାଯିବା ସହ ବିଭିନ୍ନ ପ୍ରତିଯୋଗିତା କାର୍ଯ୍ୟକ୍ରମ କରାଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଖଜୁରୀପଡ଼ା ଗୋଷ୍ଠୀ ଶିକ୍ଷାଧିକାରୀ ବିନୋଦ ବିହାରୀ ଦିଗାଲ, ସମ୍ମାନିତ ଅତିଥିଭାବେ ଖଜୁରୀପଡ଼ା ଉଚ୍ଚ ବିଦ୍ୟାଳୟ ପ୍ରଧାନଶିକ୍ଷୟିତ୍ରୀ ଶିବାରାଣୀ ମଲ୍ଲିକ, ଅତିରିକ୍ତ ଶିକ୍ଷାଧିକାରୀ ନାସୁ କହଁର, ଜ୍ୟେତ୍ସ୍ନା ରାଣୀ ମଲିକ ଓ ଆରତୀ ଦେବୀ ଯୋଗ ଦେଇଥିଲେ । ଅତିଥିବୃନ୍ଦ ଛାତ୍ରଛାତ୍ରୀଙ୍କୁ ବାଳିକା ଦିବସ ପାଳନର ମହତ୍ତ୍ୱ ବିଷୟରେ ବୁଝାଇଥିଲେ । ଆଗାମୀ ଦିନରେ ବାଳିକାଙ୍କ ପ୍ରତି ହେଉଥିବା ବିଭିନ୍ନ ଅତ୍ୟାଚାର ମୁକାବିଲା କରି ଜଣେ ଦକ୍ଷ ବାଳିକା ହିସାବରେ ସମାଜ ସେବାରେ ଲୋକଙ୍କର ହିତକର କାର୍ଯ୍ୟ କରିବେ ସେହି ସମ୍ବନ୍ଧରେ ଅବଗତ କରାଯାଇଥିଲା । ଏହାସହ ପୂର୍ବରୁ ଆୟୋଜିତ ହୋଇଥିବା ସଂଗୀତ, ପ୍ରବନ୍ଧ, ସ୍ଲୋଗାନ ଓ ଲେଖକ ପ୍ରତିଯୋଗିତାରେ କୃତକାର୍ଯ୍ୟ ହାସଲ କରିଛନ୍ତି ସେହି ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବଣ୍ଟନ କରିଥିଲେ । ଗତକାଲି ଆୟୋଜନ କରାଯାଇଥିବା ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀମାନେ ରାଇକିଆ ବ୍ଲକରେ ଅନୁଷ୍ଠିତ ହେଉଥିବା ଜିଲ୍ଲାସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପାଇଁ ପ୍ରେରଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ପିରିକୁଡ଼ି ପଞ୍ଚାୟତ ସିଆରସି ଇନ୍ଦ୍ରମଣି ନାୟକ ପରିଚାଳନା କରିଥିବାବେଳେ ଖଜୁରୀପଡ଼ା ବ୍ଲକ୍ ବିଭିନ୍ନ ପଞ୍ଚାୟତର ସିଆରସି ଓ ଶିକ୍ଷକ ଶିକ୍ଷୟିତ୍ରୀମାନେ ଯୋଗ ଦେଇଥିଲେ । ଦୁତୀ ମେଣ୍ଡି ପଞ୍ଚାୟତ ସିଆରସି ରଘୁନାଥ କହଁର ଧନ୍ୟବାଦ ଦେଇଥିଲେ ।