ପାଟଣା,ଏନ୍ଏନ୍ଏସ୍: ଦୃଷ୍ଟିହୀନ ଶିକ୍ଷକ କଲେ ରକ୍ତଦାନ । ଲକଡାଉନ ଯୋଗୁ ରକ୍ତ ଭଣ୍ଡାରରେ ରକ୍ତର ଅଭାବ ଦେଖାଯାଉଥିବାରୁ ଜଣେ ଦିବ୍ୟାଙ୍ଗ ଶିକ୍ଷକ ରକ୍ତଦାନ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି। ରକ୍ତ ଅଭାବରେ ଯେପରି କାହାରି ମୃତ୍ୟୁ ନହୁଏ ଏହି ସଙ୍କଳ୍ପ ନେଇ ୫ ବର୍ଷ ହେବ ସେ ରକ୍ତଦାନ କରି ଆସୁଛନ୍ତି। ମେଡିକାଲର ରୋଗୀ ହୁଅନ୍ତୁ କି ଦୁର୍ଘଟଣା ଗ୍ରସ୍ତ ବ୍ୟକ୍ତି ରକ୍ତ ଦରକାର ଖବର ପାଇଲେ ରକ୍ତଦାନ କରିବାକୁ ସେ ତୁରନ୍ତ ମେଡିକାଲ ପର୍ଯ୍ୟନ୍ତ ଯାଆନ୍ତି। ଏହି ଦିବ୍ୟାଙ୍ଗ ଶିକ୍ଷକ ହେଲେ କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ କଣ୍ଟିଆପଡ଼ା ପଞ୍ଚାୟତ ମାନପୁର ଗ୍ରାମର ପୁରୁଷୋତ୍ତମ ମହାକୁଡ଼ଙ୍କ ପୁଅ କୁନା ମହାକୁଡ଼। ସେ ଚମ୍ପୁଆ ଆଦର୍ଶ ବିଦ୍ୟାଳୟରେ ସାମାଜିକ ବିଜ୍ଞାନ ପଢ଼ାନ୍ତି। ଜଣେ ଦିବ୍ୟାଙ୍ଗ ହୋଇ ମଧ୍ୟ ନିଜ ରକ୍ତରେ ଅନ୍ୟକୁ ବଞ୍ଚାଇବା ପାଇଁ ଚେଷ୍ଟା ଜାରି ରଖିଥିବାରୁ ପାଟଣା ବିଧାୟକ ଜଗନ୍ନାଥ ନାୟକ, ବିଜେଡି ରାଜ୍ୟ ସମ୍ପାଦକ ଆଶିଷ ଚକ୍ରବର୍ତ୍ତୀ, ବ୍ଲକ ବିଜେଡି ସଭାପତି ମାଧବାନନ୍ଦ ପୃଷ୍ଟି, କଣ୍ଟିଆପଡ଼ା ପଞ୍ଚାୟତ ସଭାପତି ମଧୁସୂଦନ ମହାନ୍ତ, ସରପଞ୍ଚ ଚକ୍ରଧର ନାୟକ,ତୁରୁମୁଙ୍ଗା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଆୟୁଷ ଡାକ୍ତର ସୁବାଷ ଚନ୍ଦ୍ର କର ସାଧୁବାଦ ଜଣାଇବା ସହିତ ଉଜ୍ୱଳ ଭବିଷ୍ୟତ କାମନା କରିଛନ୍ତି।