ଏଲ୍‌ପିଜି ଲିକ୍‌ରୁ ହୋଇଥିଲା ବିସ୍ଫୋରଣ

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ରାଜଭବନ ନିକଟସ୍ଥ ଇଣ୍ଡିଆନ ଅଏଲ ପେଟ୍ରୋଲ ପମ୍ପ୍ ବିସ୍ଫୋରଣ ଘଟଣାର ପ୍ରାଥମିକ ତଦନ୍ତ ଶେଷ ହୋଇଛି । ରିଫିଲିଙ୍ଗ ଚାଲିଥିବା ବେଳେ ଏଲ୍‌ପିଜି ଲିକ୍ ହେବାରୁ ବିସ୍ଫୋରଣ ଘଟିଥିଲା ବୋଲି ପେସୋ (ପେଟ୍ରୋଲିୟମ ଆଣ୍ଡ ଏକ୍ସପ୍ଲୋସିଭ ସେଫ୍ଟି ଅର୍ଗାନାଇଜେସନ) ଡେପୁଟି ଚିଫ୍ କଣ୍ଟ୍ରୋଲର ରୁଆବ୍ ଅଲ୍ଲୀ ସୂଚନା ଦେଇଛନ୍ତି ।

ଶ୍ରୀଅଲ୍ଲୀଙ୍କ କହିବାନୁସାରେ, ଟାଙ୍କିରେ ପ୍ରଥମେ ହାଇଡ୍ରୋଜେନ୍ ଗ୍ୟାସ୍ ଭର୍ତ୍ତି ହୋଇଥିଲା । ତାପରେ ନାଇଟ୍ରୋଜେନ୍ ଗ୍ୟାସ୍ ଫିଲିଙ୍ଗ ମଧ୍ୟ ସଫଳ ହୋଇଥିଲା । କିନ୍ତୁ ଯେତେବେଳେ ଏଲ୍‌ପିଜି ରିଫିଲିଙ୍ଗ ହେଲା ସେତେବେଳେ ଲିକ୍ ହୋଇ ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣ ବେଳେ ଟାଙ୍କିରେ ସାଢେ ୪ ଟନ୍ ଏଲ୍‌ପିଜି ଓ ୧୦ ହଜାର ଲିଟର ପାଣି ଥିଲା । ତେବେ ଘଟଣାର ଅଧିକ ତଦନ୍ତ ଜାରି ରହିଛି । ଫିଲିଂ ଷ୍ଟେସନ ପରିସରରେ ଛାନ୍‌ଭିନ୍ କରାଯାଉଛି । ମୃତକଙ୍କ ବାବଦରେ ମଧ୍ୟ ତଦନ୍ତ କରାଯାଉଛି । ଆହତ ଲୋକଙ୍କୁ ଚିକିତ୍ସା ପରେ ପଚରାଉଚରା କରାଯିବ । ପରେ ବିସ୍ତୃତ ରିପୋର୍ଟ ପ୍ରଦାନ କରାଯିବ ବୋଲି ସେ କହିଛନ୍ତି ।

ସେହିପରି ବିସ୍ଫୋରଣରେ ଗୁରୁତର ଆହତ ହୋଇ କଟକ ବଡ ମେଡିକାଲରେ ଚିକିତ୍ସିତ ହେଉଥିବା ୩ ଜଣଙ୍କ ମଧ୍ୟରୁ ଜଣକର ମୃତ୍ୟୁ ଘଟିଛି । ମୃତକ ଜଣକ ଗଞ୍ଜାମ ଆସିକା ରଘୁନାଥ ନଗରର ସତ୍ୟାନନ୍ଦ ନାୟକ ଓରଫ ସତ୍ୟ (୩୭) । ତାଙ୍କ ଶରୀରର ପାଖାପାଖି ୬୦ ଭାଗ ପୋଡ଼ି ଯାଇଥିଲା । ସ୍ୱତନ୍ତ୍ର ଡାକ୍ତରୀ ଟିମ ତାଙ୍କୁ ଚିକିତ୍ସା କରୁଥିବା ବେଳେ ଗୁରୁବାର ଭୋରୁ ତାଙ୍କର ମୃତ୍ୟୁ ଘଟିଥିଲା । ସେହିପରି ଅନ୍ୟ ଜଣଙ୍କର ପତ୍ତା ମିଳୁନାହିଁ । ନିଖୋଜ ଥିବା ଯୁବକ ଜଣକ ଗଞ୍ଜାମ ଅଞ୍ଚଳର ସୀମାଞ୍ଚଳ ପରିଡ଼ା । ବିସ୍ଫୋରଣ ସ୍ଥଳରୁ ତାଙ୍କର ମନିପର୍ସ ଓ ଏଟିଏମ୍ ମିଳିଛି । ହେଲେ ତାଙ୍କର କୌଣସି ଖୋଜ ଖବର ମିଳିପାରୁନାହିଁ ।

ପୁଲିସ କମିଶନର କହିଛନ୍ତି, ଦୁର୍ଘଟଣା ସମୟରେ ପେଟ୍ରୋଲ ଟାଙ୍କିରେ (ରିଫିଲିଙ୍ଗ କାମରେ) ୪ ଜଣ କାମ କରୁଥିଲେ । ଏହି କର୍ମଚାରୀମାନଙ୍କୁ ଇଣ୍ଡିଆନ୍ ଅଏଲ୍ ପକ୍ଷରୁ ନିୟୋଜିତ କରାଯାଇଥିଲା । ସେମାନଙ୍କ ମଧ୍ୟରୁ ଗୁରୁବାର ଜଣେ କଟକ ଏସ୍‌ସିବିରେ ମୃତ୍ୟୁ ବରଣ କରିଥିବା ବେଳେ ଅନ୍ୟ ଜଣେ ଚିକିତ୍ସିତ ହେଉଛନ୍ତି । ସେହିଭଳି ଆଉ ଜଣେ ସୁରକ୍ଷିତ ଥିବା ବେଳେ ପୁଲିସ ତାଙ୍କ ସହ ଯୋଗାଯୋଗରେ ରହିଛି । ତେବେ ଏହି ୪ ଜଣଙ୍କ ମଧ୍ୟରୁ ଜଣଙ୍କର ପତ୍ତା ମିଳୁନାହିଁ । ତେଣୁ ପୁଲିସ ତାଙ୍କୁ ନିରୁଦ୍ଦିଷ୍ଟ ବୋଲି ଗ୍ରହଣ କରିଛି । ସେହିପରି ଘଟଣାସ୍ଥଳରୁ ପୁଲିସକୁ ମଣିଷ ଶରୀରର କିଛି ଅଂଶ ବିଶେଷ ମିଳିଛି । ସେଗୁଡ଼ିକ କାହାର ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନାହିଁ । ତେଣୁ ମିଳିଥିବା ଶରୀର ଅଂଶ (ମାଂସଖଣ୍ଡ) କୁ ଫୋରେନ୍‌ସିକ୍ ପରୀକ୍ଷା ଲାଗି ପଠାଯାଇଛି । ଯଦି ଫୋରେନ୍ସିକ୍ ପରୀକ୍ଷାରୁ ମୃତକଙ୍କ ପରିଚୟ ସଂପର୍କରେ ସୂଚନା ନ ମିଳେ, ତେବେ ଡିଏନ୍‌ଏ ଟେଷ୍ଟ୍ କରାଯିବ । ଏହା ଫଳରେ ଶରୀରର ଅଂଶ କାହାର ତାହା ସ୍ପଷ୍ଟ ହୋଇଯିବ ।

ସେ କହିଥିଲେ, ଗୁରୁବାର ସକାଳ ସୁଦ୍ଧା ଏଲ୍‌ପିଜିକୁ ସଫଳତାର ସହ ବାହାର କରାଯାଇଥିଲା । ସନ୍ଧ୍ୟା ସୁଦ୍ଧା ଡିଜେଲ ଓ ପେଟ୍ରୋଲ ଟାଙ୍କିକୁ ମଧ୍ୟ ଖାଲି କରାଯାଇଛି । ଆସନ୍ତାକାଲି ଠାରୁ ବିସ୍ଫୋରଣ ଯୋଗୁଁ ସୃଷ୍ଟି ହୋଇଥିବା ଗର୍ତ୍ତ ଓ ମାଟିସ୍ତୁପ ତଳେ କ’ଣ ରହିଛି ତାହା ଖୋଳାଯାଇ ଦେଖାଯିବ । ତା’ ମଧ୍ୟରେ ଶରୀର ଅଂଶ ଅଛି କି ନାହିଁ ପୁଲିସ୍ କୁକୁର ଲଗାଇ ଯାଞ୍ଚ କରାଯିବ । ସଂପୂର୍ଣ୍ଣ ବୈଜ୍ଞାନିକ ପ୍ରଣାଳୀରେ ଘଟଣାର ତଦନ୍ତ କରାଯିବ । ତେବେ ପେଟ୍ରୋଲ ପମ୍ପ୍‌ରୁ ଇନ୍ଧନକୁ ବାହାର କରାଯିବା ପରେ ତାହା ଏବେ ବିପଦ ମୁକ୍ତ ରହିଛି । ଏନେଇ ଅଗ୍ନିଶମ ବିଭାଗ ଓ ଆଇଓସିଏଲ ଅଧିକାରୀଙ୍କ ଠାରୁ ସୂଚନା ମିଳିବା ପରେ ସିଲ୍ ଥିବା ରାସ୍ତାକୁ ଖୋଲିଦିଆଯାଇଛି । ଗତକାଲି ଠାରୁ ଏଜିରୁ ରାଜଭବନ ଓ ରାଜଭବନରୁ ଗୋପବନ୍ଧୁ ଛକ ଯାଏ ରାସ୍ତାକୁ ସିଲ୍ କରାଯାଇଥିଲା ବୋଲି ପୁଲିସ କମିସନର ଡ. ଷଡ଼ଙ୍ଗୀ କହିଛନ୍ତି ।

ଅନ୍ୟପକ୍ଷରେ ଦୁର୍ଘଟଣାରେ ମୃତାହତଙ୍କ ଲାଗି ଇଣ୍ଡିଆନ ଅଏଲ ଅନୁକମ୍ପା ମୂଳକ ସହାୟତା ରାଶୀ ଘୋଷଣା କରିଛି । ମୃତକଙ୍କ ପରିବାରକୁ ୮ ଲକ୍ଷ ଟଙ୍କା, ଗୁରୁତରଙ୍କୁ ୪ ଲକ୍ଷ ଟଙ୍କା ଓ ସାମାନ୍ୟ ଆହତଙ୍କୁ ୧ ଲକ୍ଷ ଟଙ୍କାର କ୍ଷତି ପୂରଣ ଦିଆଯିବ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିର୍ଦ୍ଦେଶ ପରେ ଆଇଓସିଏଲ୍ ଏହି ସହାୟତା ରାଶି ଘୋଷଣା କରିଛି । ଏହି ଘଟଣାର ତଦନ୍ତ ପାଇଁ ଶ୍ରୀ ପ୍ରଧାନ ଗତକାଲି ନିର୍ଦ୍ଦେଶ ଦେଇଛନ୍ତି ।