ଦିଲ୍ଲୀର ଘରୋଇ ହସ୍ପିଟାଲରେ ହୋଇପାରିବ ବ୍ଲାକ ଫଙ୍ଗସ ଚିକିତ୍ସା

  • ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ବ୍ଲାକ ଫଙ୍ଗସ ରୋଗୀଙ୍କୁ ନେଇ ଏକ ବଡ ଘୋଷଣା କରିଛନ୍ତି। କେଜରିୱାଲ ଘୋଷଣା କରିଛନ୍ତି ଯେ, ଏଣିକି ବ୍ଲାକ ଫଙ୍ଗସ ରୋଗୀଙ୍କ ଚିକିତ୍ସା ଦିଲ୍ଲୀର ଘରୋଇ ହସ୍ପିଟାଲରେ ମଧ୍ୟ ହୋଇପାରିବ। ସୂଚନା ଅନୁଯାୟୀ, ଦିଲ୍ଲୀ ସରକାରଙ୍କ ଆରୋଗ୍ୟ କୋଷର କ୍ୟାସଲେସ ଯୋଜନାରେ ବ୍ଲାକ ଫଙ୍ଗସ ରୋଗକୁ ମଧ୍ୟ ସାମିଲ କରାଯାଇଛି।
    ଯାହାଦ୍ୱାରା ଯଦି କୌଣସି ବ୍ଲାକ ଫଙ୍ଗସ ରୋଗୀ ସରକାରୀ ହସ୍ପିଟାଲରେ ଲଗାତାର ସାତ ଦିନ ଧରି ଚିକିତ୍ସା ସୁବିଧା ନପାଆନ୍ତି ତେବେ ସେମାନଙ୍କର ମାଗଣାରେ ଘରୋଇ ହସ୍ପିଟାଲରେ ଚିକିତ୍ସା କରାଯିବ। ତେବେ ଏଥିପାଇଁ ଦିଲ୍ଲୀ ନାଗରିକ ହୋଇଥିବା ବାଧ୍ୟତାମୂଳକ କରାଯାଇଥିବାବେଳେ ତାଙ୍କ ପାଖରେ ଦିଲ୍ଲୀର ଭୋଟର କାର୍ଡ ଥିବା ନିତାନ୍ତ ଆବଶ୍ୟକ। ସୂଚନା ଥାଉ କି, କରୋନା ର ଦ୍ୱିତୀୟ ଲହରରେ ଦେଶରେ ବ୍ଲାକ ଫଙ୍ଗସ ରୋଗୀଙ୍କ ସଂଖ୍ୟା ବହୁତ ବଢିଯାଇଥିଲା। ଏହି ରୋଗ ହେଲେ ରୋଗୀଙ୍କ ଆଖିରେ ସଂକ୍ରମଣ ହୋଇଯାଇଥାଏ। ଆଉ ଠିକ ସମୟରେ ଅପରେସନ ନକଲେ ଦୃଷ୍ଟିଶକ୍ତି ମଧ୍ୟ ଚାଲିଯାଇଥାଏ।