ହସ୍ପିଟାଲରେ ଡାକ୍ତର ଦାବି ନେଇ ମନ୍ତ୍ରୀ ଟୁକୁନିଙ୍କୁ କଳାପତକା ପ୍ରଦର୍ଶନ, ୬ ଜଣ ଅଟକ

ଦେଓଗାଁ,ଏନ୍ଏନ୍ଏସ୍: ତୁଷୁରା ଡାକ୍ତରଖାନା ପ୍ରତି ସ୍ୱାସ୍ଥ୍ୟ ବିଭାଗ ଅବହେଳା କରୁଥିବାର ପ୍ରତିବାଦରେ ତୁଷୁରାରେ ଜନ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ଡାକ୍ତରଖାନାରେ ଡାକ୍ତର ଅଭାବ ପୂରଣ କରିବା ପାଇଁ ପ୍ରତିବାଦ କରିଆସୁଥିବା ୟୁଥ ଏକ୍ସନ କମିଟି ଆଜି ମହିଳା ଓ ଶିଶୁ ବିକାଶ କ୍ୟାବିନେଟ ମନ୍ତ୍ରୀ ଟୁକୁନି ସାହୁଙ୍କୁ କଳାପତାକା ଦେଖାଇ ବିରୋଧ ପ୍ରଦର୍ଶନ କରିଛନ୍ତି।

ଆଜି ମନ୍ତ୍ରୀ ତୁଷୁରା ଡାକ୍ତରଖାନା ପରିଦର୍ଶନ ସହ ଏକ ଇଣ୍ଡୋର ଷ୍ଟାଡିୟମ ନିର୍ମାଣ ପାଇଁ ଜାଗା ଚିହ୍ନଟ କରିବାକୁ ଆସିଥିଲେ। ପୂର୍ବରୁ ସଂଗଠନ ପକ୍ଷରୁ ତୁଷୁରାକୁ ନେତା ମନ୍ତ୍ରୀ ଆସିବା ମନା ବୋଲି ସହରର ବିଭିନ୍ନ କାନ୍ଥରେ ପୋଷ୍ଟର ଲଗାଯାଇଥିଲା। ତୁଷୁରା ମହିପୁର ଛକରେ ସଂଗଠନର କର୍ମକର୍ତ୍ତା ମାନେ ପ୍ଲା-କାର୍ଡ ସହ କଳାପତକା ଦେଖାଇ ମନ୍ତ୍ରୀଙ୍କୁ ବିରୋଧ କରିଥିଲେ। ଏନେଇ ତୁଷୁରା ପୁଲିସ ୬ ଜଣଙ୍କୁ ଗିରଫ କରିବାରୁ ତୁଷୁରାର ଲୋକମାନେ ଥାନା ସମ୍ମୁଖରେ ଧାରଣାରେ ବସି ପ୍ରତିବାଦ କରିଛନ୍ତି। ତୁଷୁରା ଡାକ୍ତରଖାନାରେ ଥିବା ଡାକ୍ତରଙ୍କୁ ଅନ୍ୟତ୍ର ବଦଳି କରିବା ପରେ ତୁଷୁରାରେ ଅସନ୍ତୋଷ ଦେଖାଦେଇଛି। ଅନ୍ୟପଟେ ଆଜି ଡାକ୍ତରଖାନାରେ ଜଣେ ସ୍ଥାୟୀ ଡାକ୍ତର ଭାବେ ଡ଼ ସୂର୍ଯ୍ୟକାନ୍ତ ମହାପାତ୍ର ଯୋଗଦେଇଥିବା ବଲାଙ୍ଗିର ସିଡ଼ିଏମଓ ଭୀମ ସାହୁ ସୂଚନା ଦେଇଛନ୍ତି।