ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା ଓ ସୁଶାନ୍ତ ସିଂଙ୍କୁ କଳା ପତାକା ଦେଖାଇବା ପୂର୍ବରୁ ବିଜେପି ଯୁବମୋର୍ଚ୍ଚା କର୍ମୀଙ୍କୁ ଟେକି ନେଲା ପୁଲିସ

ଦେବଗଡ଼,ଏନ୍‌ଏନ୍‌ଏସ୍‌: ବିଜେଡି ପ୍ରତିଷ୍ଠା ଦିବସ ଅବସରରେ ସାମିଲ ହେବାକୁ ଆସିଥିବା ମାହାଙ୍ଗା ବିଧାୟକ ପ୍ରତାପ ଜେନା ଓ ଭଟଲି ବିଧାୟକ ସୁଶାନ୍ତ ସିଂଙ୍କୁ ବିଜେପି ଯୁବ ମୋର୍ଚ୍ଚା କଳା ପତାକା ଦେଖାଇବା ପୂର୍ବରୁ ଶାସନ ସାହିରୁ ପୁଲିସ ଉଠାଇ ନେଇଛି । ଜିଲ୍ଲା ଉତ୍ସବ ପ୍ରଧାନପାଟରେ ଅତିଥିଭାବେ ଯୋଗଦେବା ସହ ବିଜେଡିର ପ୍ରତିଷ୍ଠା ଦିବସ ପାଳନ କାର୍ଯ୍ୟକ୍ରମରେ ଆସିଥିବା ୨ ପୂର୍ବତନ ମନ୍ତ୍ରୀଙ୍କୁ ଦେବଗଡ଼ରେ ବିଜେପି ଯୁବ ମୋର୍ଚ୍ଚା ବିରୋଧ କରିବ ବୋଲି ପୂର୍ବରୁ ଘୋଷଣା କରିଥିଲା । ଜିଲ୍ଲା ଉତ୍ସବରେ ଦେବଗଡ଼ ବିଧାୟକଙ୍କୁ ପ୍ରତିଦିନ ନିମନ୍ତ୍ରଣ ନ କରି ଅନ୍ୟ ବିଧାନସଭା ଆସନର ବିଧାୟକଙ୍କୁ ନିମନ୍ତ୍ରଣ କରାଯାଉଥିବା ଅଭିଯୋଗ କରି ବିରୋଧ ପାଇଁ ପ୍ରଶାସନକୁ ପୂର୍ବରୁ ବିଜେପି ଯୁବ ମୋର୍ଚ୍ଚା ଚେତାବନୀ ଦେଇଥିଲା । ପୂର୍ବ ଯୋଜନା ଅନୁଯାୟୀ ଆଜି ୨ ପୂର୍ବତନ ମନ୍ତ୍ରୀ ସର୍କିଟ ହାଉସଠାରୁ ବାହାରି ଇଣ୍ଡୋର ଷ୍ଟାଡିୟମ ଅଭିମୁଖେ ବାହାରିଥିବାବେଳେ ଶାସନ ସାହି ନିକଟରେ ଗାଡ଼ି ପହଞ୍ଚିବାର କିଛି ସମୟ ପୂର୍ବରୁ ସେଠାରେ କଳା ପତାକା ପ୍ରଦର୍ଶନ ପାଇଁ ପ୍ରସ୍ତୁତ ହୋଇ ରହିଥିବା ବିଜେପି ଯୁବ ମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଦୟା ଶଙ୍କର ଦ୍ୱିବେଦୀ ଓ ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ସନ୍ତୋଷ କୁମାର ଭୂତିଆଙ୍କ ସମେତ ୮ କର୍ମୀଙ୍କୁ ଦେବଗଡ଼ ଥାନା ପୁଲିସ ଉଠାଇ ନେଇ ଥାନାରେ ଅଟକ ରଖିଛି ।