‘ବିଜୁ ଯୁବ ବାହିନୀ’ ନାଁରେ ଓଡ଼ିଶାର ଯୁବକଙ୍କୁ ପ୍ରତାରିତ କରାଯାଇଛି: ବିଜେପି ଯୁବମୋର୍ଚ୍ଚା

ଭୁବନେଶ୍ୱର, ଏନ୍ଏନ୍ଏସ୍: ୨୦୧୯ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ବିଜୁ ଯୁବ ବାହିନୀ ଗଠନ କରିଥିଲେ। ଏବେ ଏହାକୁ ବନ୍ଦ କରି ଲକ୍ଷ ଲକ୍ଷ ଯୁବକ ଯୁବତୀଙ୍କ ଭବିଷ୍ୟତକୁ ଅନ୍ଧକାର ଭିତରକୁ ଠେଲି ଦେଇଛନ୍ତି। ବିଜେଡି ସରକାର ସମସ୍ତଙ୍କୁ ବୋକା ବନେଇ ମିଥ୍ୟା ପ୍ରତିଶ୍ରୁତି ଦେଇ ପ୍ରତାରଣା କରିଛନ୍ତି। ଓଡ଼ିଶା ଲୋକଙ୍କ ଝାଳବୁହା ପଇସାରେ ଯୁବକମାନଙ୍କୁ ପଥଭ୍ରଷ୍ଟ କରି ଏଭଳି ଢଙ୍ଗରେ ନିଜ ରାଜନୈତିକ ଫାଇଦା ପାଇଁ ବ୍ୟବହାର କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ନିନ୍ଦନୀୟ ଘଟଣା ବୋଲି ରାଜ୍ୟ ବିଜେପି ବିଜେପି ଯୁବମୋର୍ଚ୍ଚା ସଭାପତି ଇରାସିସ ଆଚାର୍ଯ୍ୟ ଅଭିଯୋଗ କରିଛନ୍ତି।

ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମଳନୀରେ ଶ୍ରୀ ଆଚାର୍ଯ୍ୟ କହିଛନ୍ତି ଯେ, ୨୦୧୩ ଷ୍ଟେଟ୍ ୟୁଥ୍ ପଲିସିକୁ ଆଧାର କରି ରାଜ୍ୟ ଯୁବ ଏବଂ କ୍ରୀଡା ମନ୍ତ୍ରାଳୟ “ବିଜୁ ଯୁବ ଶକ୍ତିକରଣ ଯୋଜନା” ତିଆରି କରିଥିଲେ। ତାକୁ ଆହୁରି କ୍ରିୟାଶୀଳ କରିବା ପାଇଁ ବିଜୁ ଯୁବ ବାହିନୀ ଗଠନ କରିଥିଲେ। ସେତେବେଳେ କୁହାଗଲା ଓଡ଼ିଶାରେ ୮୦୦୦ ଯୁବ ବାହିନୀ ଯୁନିଟ୍ ତିଆରି ହେବ। ଏଥିପାଇଁ ୬,୭୯୯ ଗ୍ରାମପଞ୍ଚାୟତ ତଥା ୧୧୪ ଏନଏସି ଓ ମ୍ୟୁନିସପାଲିଟିରେ ଆଗାମୀ ତିନିବର୍ଷ ପାଇଁ ପ୍ରାୟ ୪୫୦ କୋଟି ଟଙ୍କା ଖର୍ଚ୍ଚ କରାଯିବା ନେଇ ବଜେଟର ପ୍ରାବଧାନ କରାଗଲା। ରାଷ୍ଟ୍ର ନିର୍ମାଣ ଦିଗରେ ଯୁବକ ମାନେ କାର୍ଯ୍ୟ କରିବା ତଥା ବ୍ୟକ୍ତିତ୍ୱ ବିକାଶ, ବୃକ୍ଷ ରୋପଣ, ସ୍ୱେଚ୍ଛାକୃତ ରକ୍ତଦାନ, ନିଶା ନିବାରଣ ସଂପର୍କରେ ସଚେତନତା ସୃଷ୍ଟି ଇତ୍ୟାଦି ଉଦ୍ଦେଶ୍ୟରେ ଏଭଳି ଅଭିଯାନ ଆରମ୍ଭ ହୋଇଥିଲା। କିନ୍ତୁ ଏହାର ଠିକ୍ ଓଲଟା ସବୁ ଘଟିଲା। ଯୁବ ବାହିନୀ କର୍ମୀ ଗୁଣ୍ଡା ସାଜି ବାଇକ ଚୋରି କରିବା, ସାମ୍ବାଦିକଙ୍କୁ ମାଡ଼ ମାରିବା, ଥାନାରେ ପଶି ପୁଲିସଙ୍କୁ ଆକ୍ରମଣ କରିବା, ନିର୍ବାଚନ ବେଳେ ଲୋକଙ୍କୁ ଟଙ୍କା ବାଣ୍ଟି ଭୋଟ୍ ହାତେଇବା ଆଦି କାର୍ଯ୍ୟ କରିଥିଲେ ବୋଲି ଶ୍ରୀ ଆଚାର୍ଯ୍ୟ ଆକ୍ଷେପ କରିଛନ୍ତି।

ରାଜ୍ୟର ୧୫ ରୁ ୩୫ ବର୍ଷର ପ୍ରାୟ ୩ ଲକ୍ଷ ଯୁବକ ଯୁବତୀକୁ କିଛି ଦିନ ମାସିକିଆ ଭତ୍ତା ଦେଇ ନବୀନ ବାବୁ ପୁଣି ସେମାନଙ୍କୁ ବେକାର କରିଦେଲେ ବୋଲି ଶ୍ରୀ ଆଚାର୍ଯ୍ୟ ଅଭିଯୋଗ କରିଛନ୍ତି। ଓଡ଼ିଶାବାସୀଙ୍କ ଝାଳବୁହା ପଇସା ଓ କରଦାତାଙ୍କ ୪୫୦ କୋଟି ଟଙ୍କାର ବିନିମୟରେ କ’ଣ ଉପଲବ୍ଧି ହେଲା, ଯୁବକ ଯୁବତୀମାନଙ୍କର ପ୍ରତିଭା ଏବଂ ଦକ୍ଷତାର କ’ଣ ବିକାଶ ହେଲା, ବିଜୁ ଯୁବ ବାହିନୀ ପାଇଁ ଗଞ୍ଜି, ସାର୍ଟ, ମୋବାଇଲ, ନାଚଗୀତର ଆସର, ସିଙ୍ଗାପୁର ଗସ୍ତ ବାବଦକୁ କେତେ ଖର୍ଚ୍ଚ ହୋଇଛି ବୋଲି ସେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଶ୍ନ କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଜ୍ୟ ଯୁବମୋର୍ଚ୍ଚା ସଂପାଦକ ମନୋଜ ପଶ୍ଚିମକବାଟ, ପ୍ରକାଶ ଦଳେଇ, ବିକ୍ରମ ବିଶ୍ୱାଳ ଏବଂ ମିଡିଆ ସଂଯୋଜକ ସୁଜିତ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।