ହରିଶଙ୍କରରେ ବିଜେପିର ବିରାଟ କର୍ମୀ ସମ୍ମିଳନୀ

ପାଟଣାଗଡ଼,ଏନ୍‌ଏନ୍‌ଏସ୍‌: ପାଟଣାଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀର ଖପ୍ରାଖୋଲ ବ୍ଲକର ୩ ଓ ୪ ନମ୍ବର ଜୋନର ଏକ ବିରାଟ କର୍ମୀ ସମ୍ମିଳନୀ ପ୍ରସିଦ୍ଧ ଶୈବପୀଠ ହରିଶଙ୍କରରେ ଅନୁଷ୍ଠିତ ହୋଇଯାଇଛି । ୩ ଓ ୪ ନମ୍ବର ଜୋନର ସଭାପତି ଶଶୀ ପୂଜାରୀ ଓ ଦେବକାନ୍ତ ପାଣିଗ୍ରାହୀଙ୍କ ସଭାପତିତ୍ୱରେ ମୁଖ୍ୟଅତିଥି ଭାବେ ବଲାଙ୍ଗିର ଲୋକସଭା ସାଂସଦ ସଂଗୀତା ସିଂଦେଓ ଓ ସମ୍ମାନିତ ଅତିଥିଭାବେ ପୂର୍ବତନ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଓ ପୂର୍ବତନ ବ୍ଲକ ଅଧ୍ୟକ୍ଷ ନରସିଂହ ବୁଡ଼େକ ଯୋଗ ଦେଇଥିଲେ । ଏହି କର୍ଯ୍ୟକ୍ରମରେ ଏହି ୨ ଜୋନର ସହସ୍ରାଧିକ ବିଜେପି କର୍ମୀମାନେ ସାମିଲ ହୋଇଥିଲେ । ଆଗାମୀ ଦିନରେ ବିଜେପି କିପରି ଆହୁରି ସକ୍ରିୟ ହେବା ସଙ୍ଗେସଙ୍ଗେ ପାଟଣାଗଡ଼ ବିଧାନସଭା ଦଖଲ କରିବା ସେନେଇ କର୍ମୀମାନେ ଶପଥ ନେଇଥିଲେ । ଭାରତର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଯୋଜନାକୁ ଘରେ ଘରେ ପହଞ୍ଚାଇବା ପାଇଁ ମୁଖ୍ୟଅତିଥି ଶ୍ରୀମତୀ ସଂଗୀତା ସିଂଦେଓ କର୍ମୀଙ୍କୁ ଆହ୍ୱାନ ଦେଇଥିଲେ । ଆମ ଅଞ୍ଚଳରେ ପୁଷପୁନି ହେଉଛି ଚାଷୀଙ୍କର ବଡ଼ ପର୍ବ ଏହି ଦିନରେ ଚାଷୀମାନେ ନୂଆ ହଲିଆ ରଖିଥାନ୍ତି ତେଣୁ ଆଗାମୀ ନିର୍ବାଚନରେ ଆପଣ ମାନେ ମଧ୍ୟ ନୂଆ ବିଧାୟକ ଦେବା ପାଇଁ ପୂର୍ବତନ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଆହ୍ୱାନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଅଭୟ ତ୍ରିପାଠୀ ମଞ୍ଚ ପରିଚାଳନା କରିଥିବାବେଳେ ଅଞ୍ଚଳର ୪୦ଜଣ ଯୁବକ ବିଜେଡିରୁ ଇସ୍ତଫା ଦେଇ ବିଜେପିରେ ଯୋଗ ଦେଇଥିଲେ । ଏଥିରେ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ବିପ୍ର ବିଶି, ସାଧାରଣ ସମ୍ପାଦକ ସତ୍ୟାନନ୍ଦ ସେନ୍ଦ୍ରିଆ, ଧନ୍ଦାମୁଣ୍ଡା ସରପଞ୍ଚ ବୈଦ୍ୟନାଥ ମିଶ୍ର, କର୍ଣସିଂ ଠାକୁର, ଭରତ ସାହୁ ଓ ରୋହିତ ମେହେରଙ୍କ ସହ ୨୧ଟି ପଞ୍ଚାୟତର ପ୍ରମୁଖ ଓ ପଞ୍ଚାୟତ ପ୍ରଭାରୀ ଉପସ୍ଥିତ ଥିଲେ । ଶେଷରେ ଏମପିଙ୍କ ପ୍ରତିନିଧି ପ୍ରବୀଣ କୁମାର ଅଗ୍ରୱାଲ ଧନ୍ୟବାଦ ଦେଇଥିଲେ ।