ଲଖନଉରେ ଆମ୍ବେଦକର ସ୍ମାରକ ସ୍ଥଳୀ ନିର୍ମାଣ କରିବ ବିଜେପି, ୨୯ ତାରିଖରେ ରାଷ୍ଟ୍ରପତି କରିବେ ଶିଳାନ୍ୟାସ

ଲଖନଉ,ଏଜେନ୍ସି: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପି ଭାରତରତ୍ନ ପ୍ରାପ୍ତ ବାବାସାହେବ ଭିମରାଓ ଆମ୍ବେଦକରଙ୍କ ନାମରେ ସ୍ମାରକ ସ୍ଥଳୀ ନିର୍ମାଣ କରିବ। ରାଜଧାନୀ ଲଖନଉରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଜୁନ୍ ୨୯ରେ ଏହାର ଶିଳାନ୍ୟାସ କରିବେ। ତେବେ ଦଳିତ ଭୋଟକୁ ହାତେଇବା ପାଇଁ ଏହି ଶିଳାନ୍ୟାସ ହେଉଥିବା କୁହାଯାଉଛି। ଶୁକ୍ରବାର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ଏହି ପ୍ରସ୍ତାବକୁ ମଞ୍ଜୁରି ଦେଇଛି।

ଜୁନ୍ ୨୯ରେ ରାଷ୍ଟ୍ରପତି କୋବିନ୍ଦ ବିଧାନସଭାର ସାମ୍ନାରେ ଥିବା ଲୋକଭବନ ସଭାଗାରରେ ଏହାର ଶିଳାନ୍ୟାସ କରିବେ। ଭିମରାଓ ଆମ୍ବେଦକରଙ୍କ ନାମରେ ହେବାକୁଥିବା ଏହି ସ୍ମାରକ ସ୍ଥଳୀର ନାମ ଆମ୍ବେଦକର ସାଂସ୍କୃତିକ ସେଣ୍ଟର ରଖାଯିବ। ଏହାର ଶିଳାନ୍ୟାସ ସମୟରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ରାଜ୍ୟପାଳ ଆନନ୍ଦୀବେନ୍‌ ପଟେଲ ଉପସ୍ଥିତ ରହିବେ। ଏହି ସ୍ମାରକ ସ୍ଥଳୀରେ ଡ. ଆମ୍ବେଦକରଙ୍କ ୨୫ ଫୁଟ ଉଚ୍ଚତା ବିଶିଷ୍ଟ ଏକ ମୂର୍ତ୍ତି ସ୍ଥାପନ କରାଯିବ। ସେହିପରି ଏହି ସ୍ମାରକ ସ୍ଥଳୀ ନିର୍ମାଣରେ ୪୫ କୋଟି ଟଙ୍କା ଖର୍ଚ୍ଚ ହେବ। ଏଠାରେ ୭୫୦ ଲୋକଙ୍କ ପାଇଁ ପ୍ରତୀକ୍ଷାଳୟ, ଲାଇବ୍ରେରୀ ଓ ମ୍ୟୁଜିୟମ ନିର୍ମାଣ ହେବ।