ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେପି

ଭୁବନେଶ୍ୱର,ଏନ୍ଏନ୍ଏସ୍: ପିପିଲି ଉପନିର୍ବାଚନକୁ ହାତେଇବା ପାଇଁ ଶାସକ ବିଜେଡି ଭୋଟର ଭାଇଭଉଣୀମାନଙ୍କୁ ସିଧାସଳଖ ପ୍ରଭାବିତ କରୁଛି। ଗୋଟିଏ ପଟେ ମୁଖ୍ୟମନ୍ତ୍ରୀ ଏବଂ ବିଜେଡି ନିର୍ବାଚନ ପ୍ରଚାର କରିବେ ନାହିଁ ବୋଲି ଗଣମାଧ୍ୟମରେ ପ୍ରଚାର କରୁଥିବାବେଳେ ଅନ୍ୟପଟେ ଶାସକ ଦଳର ପ୍ରତ୍ୟକ୍ଷ ନିର୍ଦ୍ଦେଶ ଓ ତତ୍ତ୍ୱାବଧାନରେ ପିପିଲି ଉପନିର୍ବାଚନକୁ ସରକାରୀ ଅଫିସରମାନେ ପ୍ରଭାବିତ କରିବାରେ ଲାଗିଛନ୍ତି। ଏଭଳି ଅଭିଯୋଗ କରି ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ) ସୁଶୀଲ କୁମାର ଲୋହାନୀଙ୍କ ନିକଟରେ ଫେରାଦ ହୋଇଛି ରାଜ୍ୟ ବିଜେପି।
ରାଜ୍ୟ ବିଜେପି ମୁଖପାତ୍ର ସତ୍ୟବ୍ରତ ପଣ୍ଡା ଅଭିଯୋଗ କରିଛନ୍ତି ଯେ ପୂର୍ବରୁ ଡେଲାଙ୍ଗ ବ୍ଲକର ତହସିଲଦାର ମହେନ୍ଦ୍ର କୁମାର ବଢ଼େଇ ବ୍ଲକ ବିଜେଡି ସଭାପତିଙ୍କ ସହ ବୁଲି ମତଦାତାଙ୍କୁ ବିଜେଡି ସପକ୍ଷରେ ଭୋଟ ଦେବା ପାଇଁ ଧମକ ଦେଉଥିବାର ଅଭିଯୋଗ ହୋଇଥିଲା। ବର୍ତ୍ତମାନ ପୁରୀ ଉପଜିଲ୍ଲାପାଳ ଓ ପିପିଲି ବିଡିଓଙ୍କ ମାଧ୍ୟମରେ ଶାସକ ବିଜେଡି ଭୋଟରମାନଙ୍କୁ ପ୍ରଭାବିତ କରୁଛି। ନିର୍ବାଚନ ଆଦର୍ଶ ଆଚରଣ ବିଧିକୁ ଖୋଲାଖୋଲି ଉଲ୍ଲଂଘନ କରି ଶାସକ ବିଜୁ ଜନତା ଦଳ ଯେଉଁଭଳି ଭାବରେ ସରକାରୀ କଳ ଓ ଅଧିକାରୀମାନଙ୍କୁ ବ୍ୟବହାର କରି ଭୋଟ ହାତେଇବାର କୁଚକ୍ରାନ୍ତ କରୁଛି, ତାହା ଗଣତନ୍ତ୍ର ପ୍ରତି ଅତ୍ୟନ୍ତ ବିପଦ।
୨୦୧୮ର ହାଇକୋର୍ଟଙ୍କ ନିର୍ଦ୍ଦେଶାନୁଯାୟୀ ପିପିଲି ବ୍ଲକ ଅନ୍ତର୍ଗତ ଲକ୍ଷ୍ମୀନାରାୟଣପୁର ପଞ୍ଚାୟତ ପିଡିଏସ୍ ସାମଗ୍ରୀ ବଣ୍ଟନ ଦାୟିତ୍ୱ ସେହି ପଞ୍ଚାୟତକୁ ଦିଆଯାଇଥିଲା। କିନ୍ତୁ ଲକ୍ଷ୍ମୀନାରାୟଣପୁର ପଞ୍ଚାୟତ ଅନ୍ତର୍ଗତ ତିଗିରିଆରେ ପୁରୀ ଉପଜିଲ୍ଲାପାଳ ଏବଂ ପିପିଲି ବିଡିଓ ପିଡିଏସ୍ ବଣ୍ଟନରେ ମହାବୀର ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀକୁ ଦାୟୀତ୍ୱ ଦେଇଛନ୍ତି। ଏହା ସଂପୂର୍ଣ୍ଣ ଭାବେ ବେଆଇନ ଏବଂ ମନ୍ଦ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ବିଜେପି ଅଭିଯୋଗ କରିଛି। ସେହି ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଏହି ବଣ୍ଟନ କାର୍ଯ୍ୟରେ ସାମିଲ ହେବେନାହିଁ ବୋଲି ଲିଖିତ ଭାବେ ଜଣାଇ ଦେଇଛନ୍ତି। ଏପରିକି ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ପରିବର୍ତ୍ତେ ଜଣେ ନିର୍ଦ୍ଧିଷ୍ଟ ରାଜନୈତିକ ବ୍ୟକ୍ତିଙ୍କ ବ୍ୟାଙ୍କ୍ ଆକାଉଣ୍ଟରୁ ଟଙ୍କା ଯାଇଛି। ଏହା ଦ୍ୱାରା ନିର୍ବାଚନ ଆଚରଣ ବିଧି ଖୋଲାଖୋଲି ଉଲ୍ଲଙ୍ଘନ ହୋଇଛି ବୋଲି ବିଜେପି ଦର୍ଶାଇଛି। ଏ ସଂପର୍କରେ ସିଇଙ୍କୁ ଅବଗତ କରି ଦୋଷୀଙ୍କ ବିରୁଦ୍ଧରେ ବିହିତ କାର୍ଯ୍ୟାନୁଷ୍ଠାନ ପାଇଁ ଦଳ ଦାବି କରିଛି।