ନାବାଳିକା ଅପହରଣ ଘଟଣାରେ ଯାଜପୁର ଏସ୍‌ପିଙ୍କୁ ଟାର୍ଗେଟ କଲା ବିଜେପି

ଯାଜପୁର,ଏନ୍ଏନ୍ଏସ୍: ଯାଜପୁର ଜିଲ୍ଲା ଧର୍ମଶାଳା  ଅଞ୍ଚଳରୁ ନାବାଳିକା ଅପହରଣ ଘଟଣାରେ ଯାଜପୁର ଏସ୍‌ପିଙ୍କୁ ବିଜେପିର ଟାର୍ଗେଟ। ଏଥିସହ ଏହି ଘଟଣାକୁ ସ୍ମିତାରାଣୀ ପାର୍ଟ -୨ ବୋଲି ବିଜେପି ପକ୍ଷରୁ ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି। ବଜରଙ୍ଗୀ ଲେଡିଜକର୍ଣ୍ଣର ମହିଳା ନିର୍ଯାତନାର କେନ୍ଦ୍ରବିନ୍ଦୁ ପାଲଟିଥିବା ବେଳେ ସେଠାରେ ଗରିବ ମହିଳାମାନଙ୍କୁ ନିର୍ଯାତନା ଦିଆଯାଉଛି। ସେହିପରି ଉକ୍ତ ଲେଡିଜକର୍ଣ୍ଣର ଘରଟିକୁ ବେଆଇନ ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଥିବା ଶ୍ରୀମତୀ ସାମନ୍ତସିଂହାର କହିଛନ୍ତି।

ନାବାଳିକା ଅପହରଣର ମୁଖ୍ୟ ଅଭିଯୁକ୍ତର ଭାଇ ଓ ଭାଉଜ ଧର୍ମଶାଳା ଥାନାରେ କାମ କରୁଛନ୍ତି। ସେମାନଙ୍କ ଜାଣତରେ ଏଭଳି କାମ ଚାଲୁଥିଲା। ତେଣୁ ସେମାନଙ୍କୁ କାର୍ଯ୍ୟରୁ ବହିଷ୍କାର କରିବା ସହ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ବିଜେପି ପକ୍ଷରୁ ଦାବି ହୋଇଛି। ଏଥିସହ ବର୍ତ୍ତମାନ ଯାଜପୁରର ଏସ୍‌ପିଙ୍କୁ ତୁରନ୍ତ ବଦଳି କରିବା ପାଇଁ ଦାବି ହୋଇଛି। ଏହାର ଜବାବରେ ବିଜେଡି କହିଛି ଯେ ଗତ ୧୨ ତାରିଖରେ ଧର୍ମଶାଳା ଅଞ୍ଚଳରୁ ଜଣେ ନାବାଳିକାକୁ ଅପହରଣ କରାଯାଇଥିବା ବେଳେ ଉକ୍ତ ଘଟଣାରେ ୪ଜଣଙ୍କୁ ଗିରଫ କରାଯାଇଛି।