କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କୁ ଭେଟିଲେ ବିଜେପି ରାଜ୍ୟ ସମ୍ପାଦକ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲାର ୨ଟି ସମସ୍ୟାର ସମାଧାନ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିଜେପି ରାଜ୍ୟ ସମ୍ପାଦକ ଟଙ୍କଧର ତ୍ରିପାଠୀ ଭେଟିଛନ୍ତି। ଏହି ସମୟରେ ଶ୍ରୀ ପ୍ରଧାନଙ୍କୁ ଟଙ୍କଧର ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଝାରସୁଗୁଡ଼ା ଜିଲ୍ଲାର ବାଗଡ଼ିହି ରେଳ ଷ୍ଟେସନରେ କରୋନା ମହାମାରୀ ପୂର୍ବରୁ ତପସ୍ୱିନୀ ଏକ୍ସପ୍ରେସ, ରାଜ୍ୟରଣୀ ଏକ୍ସପ୍ରେସ ଓ ଇସ୍ପାତ ଏକ୍ସପ୍ରେସ ରହୁଥିଲା। କିନ୍ତୁ ମହାମାରୀ ସମୟରେ ରେଳ ବିଭାଗ ପକ୍ଷରୁ ତାହା ବନ୍ଦ କରାଯାଇଛି। ଝାରସୁଗୁଡ଼ା ଜିଲ୍ଲାର କିର୍ମିରା, ଲାଇକେରା , କୋଲାବିରା ଓ ସୁନ୍ଦରଗଡ଼ ଜିଲ୍ଲାର ଲକ୍ଷାଧିକ ଲୋକ ଏହି ରେଳ ଷ୍ଟେସନ ଉପରେ ନିର୍ଭର କରନ୍ତି। କିନ୍ତୁ ଟ୍ରେନ ଚଳାଚଳ ବନ୍ଦ ଯୋଗୁ ସେମାନେ ଏବେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେଣୁ ବାଗଡ଼ିହି ଷ୍ଟେସନରେ ତପସ୍ୱିନୀ ଏକ୍ସପ୍ରେସ, ରାଜ୍ୟରଣୀ ଏକ୍ସପ୍ରେସ ଓ ଇସ୍ପାତ ଏକ୍ସପ୍ରେସର ପୁନର୍ବାର ରହଣି କରାଯାଉ ବୋଲି ଶ୍ରୀ ତ୍ରିପାଠୀ ଦାବୀପତ୍ରରେ ଉଲ୍ଳେଖ କରିଛନ୍ତି। ଏହାସହ ୧୮୯୫ ମସିହାରେ ଝାରସୁଗୁଡ଼ାରେ ଏକ ପୋଷ୍ଟ ଅଫିସ୍ ଆରମ୍ଭ ହୋଇଥିଲା। କିନ୍ତୁ ୨୦ ବର୍ଷରୁ ଏହି ପୋଷ୍ଟ ଅଫିସ୍ ବନ୍ଦ ପଡ଼ିଛି। ତେଣୁ ବନ୍ଦ ପଡ଼ିଥିବା ପୋଷ୍ଟ ଅଫିସକୁ ପୁନର୍ବାର ଖୋଲିବା ପାଇଁ ଟଙ୍କଧର ଦାବୀପତ୍ର ପ୍ରଦାନ କରିଛନ୍ତି।