ବିଜେପିର ‘ସେବା ସପ୍ତାହ’ ଅଭିଯାନ ଆରମ୍ଭ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଦେଶର ବିକାଶ ଯାତ୍ରାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶାସନ କାଳରେ ଦେଶର ଗରିବ ସବୁଠୁ ବେଶୀ ଲାଭାନ୍ୱିତ ହୋଇଛନ୍ତି ବୋଲି ଶନିବାର ଭୁବନେଶ୍ୱର ଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ସପ୍ତାହ ଅବସରରେ ବିଜେପିର ରାଜ୍ୟସ୍ତରୀୟ ସେବା ସପ୍ତାହ ଅଭିଯାନ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।

ଏହି ଅବସରରେ ରାଜଧାନୀ ଭୁବନେଶ୍ୱରର ଭରତପୁର ଅଞ୍ଚଳରେ ରକ୍ତଦାନ ଶିବିର, ଦିବ୍ୟାଙ୍ଗମାନଙ୍କୁ ଉପକରଣ ବଣ୍ଟନ, ସ୍ୱାସ୍ଥ୍ୟ ଶିବିର ଆୟୋଜନ କରାଯାଇଥିଲା। ଶ୍ରୀ ପ୍ରଧାନ କହିଛନ୍ତି ଯେ ଜଳ ସଂରକ୍ଷଣ ଓ ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକର ବର୍ଜନ କରିବା ସହ ଏହାର ଜନସଚେତନତା ମୋଦୀଙ୍କ ଜନ୍ମଦିନରେ ସର୍ବଶ୍ରେଷ୍ଠ ଉପହାର ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଦେଶକୁ ପୁନଃନିର୍ମାଣ କରିବାର ଲକ୍ଷ୍ୟ ‘ସେବା ସପ୍ତାହ’ ମାଧ୍ୟମରେ ସାକାର ହୋଇପାରିବ ଏବଂ ଏଥିପାଇଁ ୧୨୫ କୋଟି ଲୋକଙ୍କୁ ନିଜେ ଦାୟିତ୍ୱ ନେଇ ପାଦେ ଆଗକୁ ବଢିବା ପାଇଁ ପଡିବ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଆସନ୍ତା ୧୭ ତାରିଖ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୬୯ ବର୍ଷ ପୂର୍ତ୍ତି ଅବସରରେ ଦେଶର ପ୍ରଧାନସେବକଙ୍କ ଆଦର୍ଶକୁ ଦେଶର ସାମାନ୍ୟ ଲୋକ ପାଳନ କରିବା ନେଇ ଦଳ ପକ୍ଷରୁ ସେବା ସପ୍ତାହ ଅଭିଯାନ ଆରମ୍ଭ ହୋଇଛି। ଏହି ଅଭିଯାନ ଆଜି ଠାରୁ ଆରମ୍ଭ ହୋଇ ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ଜନ୍ମ ଦିବସର ସେବା ସପ୍ତାହରେ କେବଳ ପ୍ଲାଷ୍ଟିକ ବର୍ଜନ କରିବା, ଜଳ ସଂରକ୍ଷଣ କରିବାର ବିଷୟ ନୁହେଁ। ଆଧୁନିକ ଭୁବନେଶ୍ୱର ତିଆରି କରିବା ଏବଂ ଏକବିଂଶ ଶତାବ୍ଦୀରେ ସହର ତିଆରି କରିବା ଯେଉଁ ସହରରେ ଗରିବ ଲୋକର ଯେତେ ଅଧିକାର, ଧନୀ ଲୋକର ମଧ୍ୟ ସମାନ ଅଧିକାର। ଏହାକୁ ସେବା ସପ୍ତାହ ମାଧ୍ୟମରେ ପୂରା କରିବାର ଦାୟିତ୍ୱ ବିଜେପି ନେଉଛି। ସେ କହିଛନ୍ତି ଯେ ‘ସେବା ସପ୍ତାହ’ କେବଳ ଖବର ହୋଇ ନରହୁ। ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭଲ ପାଉଥିବା ସମସ୍ତ ଲୋକ ତାଙ୍କ ନାଁକୁ ସାକ୍ଷୀ ରଖି ଏହି ୭ ଦିନରେ ସେବା କରିବା ପାଇଁ ଶ୍ରୀ ପ୍ରଧାନ ଆହ୍ୱାନ କରିଥିଲେ।