ଆଇନ ଶୃଙ୍ଖଳା ପରିସ୍ଥିତି ଓ ବୀମା ରାଶି ପ୍ରଦାନ ଦାବିରେ ବିଜେପିର ବିକ୍ଷୋଭ

ବଲାଙ୍ଗିର,ଏନ୍ଏନ୍ଏସ୍ : ବଲାଙ୍ଗିରରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି ଓ ଚାଷୀମାନଙ୍କୁ କୃଷି ବୀମା ରାଶି ପ୍ରଦାନ ଦାବିରେ ବଲାଙ୍ଗିର ବିଧାନସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବିଜେପି ନେତା ଓ କର୍ମକର୍ତ୍ତାମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏହାସହ ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ବିଧାୟକ ପ୍ରାର୍ଥୀ ଅନନ୍ତ କୁମାର ଦାସ କହିଛନ୍ତି, ବଲାଙ୍ଗିରରେ ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ଭାବେ ବିପଯ୍ୟସ୍ତ ହୋଇପଡିଛି । ଚୋରି , ଡକାୟତି , ଲୁଣ୍ଠନ ବଢିବା ସହିତ ଅପରାଧିମାନେ କାୟା ବିସ୍ତାର କରିବାରେ ଲାଗିଛନ୍ତି । ପୁଲିସ ପ୍ରଶାସନ ଏ ସବୁକୁ ରୋକିବାରେ ବିଫଳ ହୋଇଥିବାରୁ ଜନସାଧାରଣରେ ଏକ ପ୍ରକାର ଭୟର ବାତାବରଣ ଦେଖାଦେଇଛି । ଏହା ସହିତ ଏହି ଅଞ୍ଚଳରେ କ୍ରମାଗତ ମରୁଡି ତଥା ସ୍ୱଳ୍ପ ବୃଷ୍ଟି ଯୋଗୁଁ ଚାଷରେ କ୍ଷିତଗ୍ରସ୍ତ ହୋଇ ଚାଷୀମାନଙ୍କ ଆର୍ଥିକ ମେରୁଦଣ୍ଡ ସମ୍ପୁର୍ଣ୍ଣ ଭାବେ ଭାଙ୍ଗିଯାଇଛି। ୨୦୧୯ ମସିହାରେ ଦେଓଗାଁ ଓ ବଲାଙ୍ଗୀର ବ୍ଲକରେ ମରୁଡି ପରିସ୍ଥିତି ଦେଖା ଦେଇଥିଲା । ହେଲେ ଚାଷୀମାନଙ୍କ ଚାଷ ଜମିର ସଠିକ କ୍ଷୟକ୍ଷତି ଆକଳନ କରାଯାଇନଥିଲା। କୃଷି ବିଭାଗ , ପରିସଂଖ୍ୟାନ ବିଭାଗ ଓ ରାଜସ୍ୱ ବିଭାଗ ମଧ୍ୟରେ ସମନ୍ୱୟର ଅଭାବରୁ ଚାଷୀମାନେ କୃଷିବୀମା ପାଇବାରୁ ବଞ୍ଚିତ ହେଉଛନ୍ତି ।

କେନ୍ଦ୍ର ସରକାରଙ୍କ ଦ୍ୱାରା ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ ସୁଦୃଢ କରିବା ପାଇଁ ଜମି ବୀମା ସୁବିଧା ଯୋଗାଇ ଦିଆଯାଉଛି । ଅନେକ ଚାଷୀ ନିଜେ ଟଙ୍କା ଦେଇ ବୀମା କରୁଛନ୍ତି । କିନ୍ତୁ ପ୍ରଶାସନିକସ୍ତରରେ ଅବହେଳା ଯୋଗୁଁ ଚାଷୀମାନେ ଉପଯୁକ୍ତ ପରିମାଣରେ ବୀମାରାଶି ପାଇବାରୁ ବଞ୍ଚିତ ହେଉଛନ୍ତି। ତେବେ ତୁରନ୍ତ କୃଷିବୀମାରୁ ବଞ୍ଚିତ ଚାଷୀମାନଙ୍କୁ ବୀମା ରାଶି ପ୍ରଦାନ କରିବା ପାଇଁ ଦଳ ତରଫରୁ ଦାବି କରାଯାଇଛି । ଏହି ବିକ୍ଷୋଭରେ ଗୋପାଳ ସିଂଦେଓ , ନିରଞ୍ଜନ ସେଲମା , ପିତମାମ୍ବର ଖମାରୀ , ଅନୀଲ ପାଣିଗ୍ରାହୀ , ଦିନେଶ ଶର୍ମା , ବବି ମିଶ୍ର , ହିତେଶ ସାହୁ , ଦିଲ୍ଲୀପ ବିଶ୍ୱାଲ , ରାଜା ନାୟକ, ଉଗ୍ରସେନ ପାତ୍ର , ଗୁଣନିଧି ପଟେଲ , ସୁନୀଲ ସେଠ , ସୁନୀଲ ମିଶ୍ର, ବନମାଳୀ ବେହେରା ଓ ଆଶିଷ ଦୋରା ପ୍ରମୁଖ ଉପସ୍ଥିତ ଥିଲେ।