ରାଜ୍ୟ ସରକାରଙ୍କ ଭ୍ରଷ୍ଟାଚାର ଓ ଦୁର୍ନୀତି ବିରୋଧରେ ବିଜେପିର ବ୍ଲକ ଘେରାଉ

ନବରଙ୍ଗପୁର,ଏନ୍‌ଏନ୍‌ଏସ୍‌: ରାଜ୍ୟ ସରକାରଙ୍କ ବ୍ୟଭିଚାର, ଭ୍ରଷ୍ଟାଚାର ଓ ଦୁର୍ନୀତି ଚରମ ସୀମାରେ ପହଞ୍ଚିଛି । ପଞ୍ଚାୟତ ସ୍ତରରୁ ଆରମ୍ଭ କରି ବ୍ଲକ, ଜିଲ୍ଲା ତଥା ସଚିବ ପର୍ଯ୍ୟନ୍ତ ସମସ୍ତେ ଦୁର୍ନୀତିରେ ଲିପ୍ତ ରହି ପିସି କାରବାରରେ ସମ୍ପୃକ୍ତ ଥିବା ନେଇ ବିଜେପି ପକ୍ଷରୁ ଅଭିଯୋଗ ହୋଇଛି । ଏହି ଅବସରରେ ଆଜି ବିଜେପି ତେନ୍ତୁଳିଖୁଣ୍ଟି ବ୍ଲକ ଘେରାଉ କରି ବିକ୍ଷୋଭ ପଦର୍ଶନ କରିଥିବା ଦେଖିବାକୁ ମିଳିଛି । ନବରଙ୍ଗପୁର ଜିଲ୍ଲା ବିଜେପି ସଭାପତି ଜଗଦୀଶ ଚନ୍ଦ୍ର ବିଷୋୟୀଙ୍କ ନେତୃତ୍ୱରେ ରାଜ୍ୟ କାର୍ଯ୍ୟକାରିଣୀ ସଭାପତି ଗୌରୀ ଶଙ୍କର ମାଝୀ, ଜିଲ୍ଲା ଉପସଭାପତି ସନାତନ ତ୍ରିପାଠୀ, ଜିଲ୍ଲା ସାଧାରଣ ସମ୍ପାଦକ ଅଚ୍ୟୁତାନନ୍ଦ ବିଷୋୟୀ, ରାଜ୍ୟ କୃଷକ ମୋର୍ଚ୍ଚା ସଦସ୍ୟ ରମାପତି ବିଷୋୟୀ, ରାଜ୍ୟ ମହିଳା ମୋର୍ଚ୍ଚା ସଦସ୍ୟା ସୁକାନ୍ତି ବେହେରା, ଜିଲ୍ଲା କାଉନସିଲର ମମତା ମହାରଣା, ଜିଲ୍ଲା ମିଡିଆ ସଂଯୋଜକ ଦେବଦାସ ମହାଙ୍କୁଡ଼, ନବରଙ୍ଗପୁର ନଗର ମହିଳା ମୋର୍ଚ୍ଚା ସଭାପତି ପ୍ରଣତି ପଟ୍ଟନାୟକ, ମଣ୍ଡଳ ସଭାପତି ହରେକୃଷ୍ଣ ମୁଦୁଲି, ନନ୍ଦ ନନ୍ଦନ ବିଷୋୟୀ, ଅକ୍ଷୟ ମହାନ୍ତି, ସନ୍ତୋଷ ପାତ୍ର, ଅଭି ହରିଜନ ନୀଳକଣ୍ଠ ବିଷୋୟୀଙ୍କ ସମେତ ଶତାଧିକ ବିଜେପି କର୍ମୀ କୁର୍ମାକୋଟ ଆମ୍ବ ବଗିଚା ପରିସରରୁ ଏକ ଶୋଭାଯାତ୍ରା ମାଧ୍ୟମରେ ବିଜେଡିର ଦୁର୍ନୀତି ବିରୋଧରେ ସ୍ଲୋଗାନ ଦେଇ ବ୍ଲକ କାର୍ଯ୍ୟାଳୟ ପରିସରରେ ପହଞ୍ଚିଥିଲେ । ଏଠାରେ ନବୀନ ଶାସନ ସମୟରେ ହୋଇଥିବା ଦୁର୍ନୀତି ନେଇ ବିଜେପି ନେତା ଓ କର୍ମୀ ନାରାବାଜି କରିଥିଲେ । ଅଗଣତାନ୍ତ୍ରିକ ଶାସନ ବ୍ୟବସ୍ଥା ମଧ୍ୟରେ କେନ୍ଦ୍ର ସରକାରଙ୍କ ମନରେଗା ଟଙ୍କାରେ ବ୍ୟାପକ ଦୁର୍ନୀତି, ଯୋଗ୍ୟ ହିତାଧିକାରୀଙ୍କୁ ଆବାସ ଯୋଜନାରେ ଘର ମିଳୁନି, ଗାଁ ଗାଁରେ ପାନୀୟ ଜଳ ସମସ୍ୟା ଦେଖାଦେଇଛି, ଧର୍ଷଣ, ଲୁଣ୍ଠନ, ଅସାମାଜିକ କାର୍ଯ୍ୟକଳାପ ଏହି ସରକାର ଅମଳରେ ବ୍ୟାପକ ମାତ୍ରାରେ ବୃଦ୍ଧି ପାଇଥିବା ବିଜେପି ପକ୍ଷରୁ ଅଭିଯୋଗ ହୋଇଛି । ସେହିପରି ତେନ୍ତୁଳିଖୁଣ୍ଟି ବ୍ଲକ ଅଞ୍ଚଳରେ ଲାଗି ରହିଥିବା ବିଭିନ୍ନ ସମସ୍ୟା ଓ ଏହାର ସମାଧାନ ହେଉନଥିବା ନେଇ ସ୍ଥାନୀୟ ବିଡିଓ ମନୋଜ ପାଣିଗ୍ରାହୀଙ୍କୁ ବିଜେପି ନେତୃ ମଣ୍ଡଳୀ ଘେରି ପ୍ରଶ୍ନ ବାଣରେ ଘାଇଲା କରିଥିଲେ । ସାମ୍ବିଧାନିକ ବ୍ୟବସ୍ଥା ଅନୁଯାୟୀ ଶାସନ ବ୍ୟବସ୍ଥା ପରିଚାଳନା ଏବଂ ସମସ୍ତଙ୍କ ଭିତରେ ସମଭାବ ରଖି ପ୍ରଶାସନ କାର୍ଯ୍ୟ ପରିଚାଳନା ନକଲେ ଆଗାମୀ ଦିନରେ ପୁଣି ବିଜେପି ପକ୍ଷରୁ ବ୍ଲକ ଘେରାଉକୁ ତୀବ୍ରତର କରାଯିବ ବୋଲି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଗୌରୀ ଶଙ୍କର ମାଝୀ ପ୍ରକାଶ କରିଛନ୍ତି ।