ବେଲପଡ଼ା ବିଡିଓଙ୍କ ମନମୁଖୀ କାର୍ଯ୍ୟକଳାପକୁ ନେଇ ବ୍ଲକ ଅଫିସ ସମ୍ମୁଖରେ ବିଜେପିର ଅନଶନ

ପାଟଣାଗଡ଼,ଏନ୍‌ଏନ୍‌ଏସ୍‌: ବଲାଙ୍ଗିର ଜିଲ୍ଲାର ବେଲପଡ଼ା ବ୍ଲକର ବିଡିଓ ଭିକ୍ଟର ସରେନଙ୍କ ମନମୁଖୀ କାର୍ଯ୍ୟକଳାପକୁ ନେଇ ଅସନ୍ତୋଷ ପ୍ରକାଶ କରିବା ସହ ୨୫ ଓ ୨୬ ନମ୍ବର ଜୋନର ଜିଲ୍ଲା ପରିଷଦ ସଭ୍ୟାଙ୍କୁ ଅଣଦେଖା କରିବା ପ୍ରତିବାଦରେ ଆଜି ବେଳପଡ଼ା ବ୍ଲକ ଅଫିସ ସମ୍ମୁଖରେ ବିଜେପି ପକ୍ଷରୁ ଅନଶନ କରାଯାଇଛି । ଏଥିରେ ୨୫ ନମ୍ବର ଜୋନର ସଭ୍ୟା ଶବ୍ଦମିର୍ଧା ଓ ୨୬ ନମ୍ବର ଜୋନର ସଭ୍ୟା ଅନିମା ଦାସଙ୍କ ନେତୃତ୍ୱରେ ଶତାଧିକ ବିଜେପି କର୍ମୀ ଯୋଗ ଦେଇଥିଲେ । ମଣ୍ଡଳରୁ କୁଡ଼ୋ ଭଟାପୋଲ ନିର୍ମାଣ ପାଇଁ ୩୦ ଲକ୍ଷ ଟଙ୍କା, ବିଜୁ କେବିକେ ଯୋଜନା ମଣ୍ଡଳ କଲେଜର ଉନ୍ନତୀକରଣ ପାଇଁ ୩୦ ଲକ୍ଷ ଟଙ୍କା ଓ ବ୍ଲକକୁ ଆସୁଥିବା ସିଏଫସି ଏସଏଫସି ଅନୁଦାନକୁ ସରକାରୀ ଦଳର ନେତାଙ୍କ ପ୍ରରୋଚନାରେ କାମ ଦିଆଯାଉଥିବା ନେଇ ଜିଲ୍ଲା ପରିଷଦ ସଭ୍ୟାମାନେ ଅଭିଯୋଗ କରିଛନ୍ତି । ସେହିପରି ଗମ୍ଭାରୀ ଗାଁରେ ଅତି ନିମ୍ନମାନର ପାନୀୟ ଜଳ ପ୍ରକଳ୍ପ କାମ ହୋଇଥିବା ଦର୍ଶାଇ ବାରମ୍ବାର ଜିଲ୍ଲା ପରିଷଦ ସଭ୍ୟା ବିଡିଓଙ୍କ ନିକଟରେ ଦାବି କରିଥିଲେ ମଧ୍ୟ କୌଣସି ପ୍ରକାର ପଦକ୍ଷେପ ନେଉନଥିବାରୁ ଜନ ଅସନ୍ତୋଷ ପ୍ରକାଶ ପାଇଛି । ଉକ୍ତ ବ୍ଲକରେ ଜିଲ୍ଲା ପରିଷଦଙ୍କ ସେୟାର ଅର୍ଥକୁ ହରିଲୁଟ କରୁଥିବା ମଧ୍ୟ ଅଭିଯୋଗ ହୋଇଛି । ବ୍ଲକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମନମୁଖୀ କର୍ଯ୍ୟକଳାପ ଓ ବିଭିନ୍ନ ଉନ୍ନୟନ କାମରେ ସରକାରୀ ଦଳର ନେତାଙ୍କ ସହ ମିଶି ପିସି କାରବାର ହେଉଥିବା ଅଭିଯୋଗ କରି ତୁରନ୍ତ ବିଡିଓଙ୍କ ବଦଳି ମଧ୍ୟ ବିଜେପି ଦାବୀ କରିଛିି । ଏହି ଅନଶନରେ ପ୍ରଶାନ୍ତ ଦାସ, କୁନୁ ମୁଣ୍ଡା ଓ ନୀଳ ପାଣିଗ୍ରାହୀଙ୍କ ସମେତ ଶତାଧିକ ବିଜେପି କର୍ମୀ ସହଯୋଗ କରିଛନ୍ତି ।