ଟେଷ୍ଟିଂ, ଟ୍ରେସିଂ, ଟ୍ରିଟମେଣ୍ଟକୁ ଶତ ପ୍ରତିଶତ ନିଶ୍ଚିତ କରାଯାଉ: ପୃଥ୍ୱୀରାଜ

ଭୁବନେଶ୍ୱର, ଏନ୍ଏନ୍ଏସ୍: ଆଜିଠାରୁ ୧୪ ତାରିଖ ପର୍ଯ୍ୟନ୍ତ ଖୋର୍ଦ୍ଧା ଜିଲ୍ଲାର ବାଣପୁର ବ୍ଲକ୍ ଓ ବିଜ୍ଞାପିତ ପରିଷଦ, ଚିଲିକା ବ୍ଲକ୍ ଏବଂ ବାଲୁଗାଁ ବିଜ୍ଞାପିତ ପରିଷଦ ଅଞ୍ଚଳକୁ ସମ୍ପୂର୍ଣ୍ଣ ସଟ୍ଡାଉନ ଘୋଷଣା କରାଯାଇଛି। ତେବେ ଏହି ସଟଡାଉନ ସମୟରେ ଉକ୍ତ ଅଞ୍ଚଳଗୁଡ଼ିକରେ ଶତ ପ୍ରତିଶତ ଟେଷ୍ଟିଂ, କଣ୍ଟାକ୍ଟ ଟ୍ରେସିଂ, ଟ୍ରିଟମେଣ୍ଟ, ଡୋରଟୁ ଡୋର ସର୍ଭେ ଏବଂ ସାନିଟାଇଜ ବ୍ୟବସ୍ଥା କରିବାକୁ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ଦାବି କରିଛନ୍ତି। ଶ୍ରୀ ହରିଚନ୍ଦନ କହିଛନ୍ତି ଯେ, ଗତ ୫ ମାସ ମଧ୍ୟରେ ଏହି ଭୂତାଣୁର ସଂକ୍ରମଣକୁ ପ୍ରତିହିତ କରିବା ପାଇଁ ବହୁ ଥର ଲକଡାଉନ ଓ ସଟଡାଉନ ହୋଇଛି। ମାତ୍ର ଏହି ସଂକ୍ରମଣ ନିୟନ୍ତ୍ରଣ ହେବା ଅପେକ୍ଷା ଦିନକୁ ଦିନ ବୃଦ୍ଧି ପାଇ ଚାଲିଛି। ଅନ୍ୟପଟେ ଏହି ଲକଡାଉନ ଓ ସଟଡାଉନ କାରଣରୁ ଜୀବନ ସହ ଜୀବିକା ଉପରେ ମଧ୍ୟ ବହୁ ପ୍ରଭାବ ପଡ଼ିଛି। ବିଶେଷ ଭାବେ କନିଷ୍ଠ ଓ ଅନଭିଜ୍ଞ ସରକାରୀ ଅଧିକାରୀମାନଙ୍କ ହାତରେ ଦାୟିତ୍ୱ ଦେଇ ସରକାର ନିଶ୍ଚିିନ୍ତରେ ବସି ରହିଛନ୍ତି। ଜିଲ୍ଲାରେ ଏହି ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଥିବାବେଳେ କୋଭିଡ୍ ପରିଚାଳନାରେ ସଫଳତା ସହ ପ୍ରମୁଖ ଭୂମିକା ନେଇଥିବା ସରପଞ୍ଚ ଓ ପଞ୍ଚାୟତ ପ୍ରତିନିଧିମାନଙ୍କରେ ମତ କାହିଁକି ନିଆଯାଉ ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି ଯେ, ଏତେ ବଡ଼ ଅଞ୍ଚଳକୁ ଏକା ସଙ୍ଗରେ ୩/୪ ଦିନ ପାଇଁ ସଟଡାଉନ କରିଦେଲେ କ’ଣ ଲାଭ ହେବ? ମାତ୍ର ୨ / ୩ ଦିନ ତଳେ କାର୍ଯ୍ୟରେ ଯୋଗ ଦେଇଥିବା ଜଣେ ବିଡିଓ ଏବଂ ଅନ୍ୟ କିଛି କନିଷ୍ଠ ଅଧିକାରୀଙ୍କର କେଉଁ ଅନୁଭବ ବଳରେ ଏଭଳି ବଡ଼ ନିଷ୍ପତ୍ତି ନିଆଗଲା ବୋଲି ଶ୍ରୀ ହରିଚନ୍ଦନ ପ୍ରଶ୍ନ କରିଛନ୍ତି। ସଂକ୍ରମଣକୁ ରୋକିବା ପାଇଁ ଲକଡାଉନ ସମୟରେ ଏହି ଅଞ୍ଚଳର ୧୦୦% ହାଉସ ସର୍ଭେ କରାଯାଇ କୋଭିଡ୍ ଲକ୍ଷଣ ଥିବା ଲୋକମାନଙ୍କୁ ଚିହ୍ନଟ କରାଯିବାର ବ୍ୟବସ୍ଥା କରାଯିବା ସହ ସାମାନ୍ୟ ଲକ୍ଷଣ ଥିବା ସମସ୍ତ ବ୍ୟକ୍ତିଙ୍କର ସ୍ୱାବ୍ ଟେଷ୍ଟ କରିବାକୁ ଦାବି କରିଛନ୍ତି। ଯଦି ଏହି ଭଳି ପ୍ରସ୍ତୁତି କରାଯାଇ ନାହିଁ, ତାହେଲେ ଏହି ଲକଡାଉନ କିମ୍ବା ସଟଡାଉନ ଘୋଷଣାର କୌଣସି ଗୁରୁତ୍ୱ ରହିବ ନାହିଁ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି।