ଭୁବନେଶ୍ୱର,ଏନ୍ଏନ୍ଏସ୍: ଓଡିଶାର ଘରୋଇ ବିଜୁଳି ଉପଭୋକ୍ତାଙ୍କ ବିଜୁଳି ଟାରିଫ୍ ବଢିବା ନେଇ ଓଇଆରସିରେ ଚାଲୁଥିବା ଶୁଣାଣି ତଥା ବିଭିନ୍ନ ବିଜୁଳି ବିତରକ କମ୍ପାନୀ ମାନେ ଉପଭୋକ୍ତାଙ୍କ ବିଜୁଳି ସଂଯୋଗ କାଟିବା ଘଟଣାରେ ଦୃଢ ପ୍ରତିବାଦ କରିଛି ବିଜେପି। ରାଜ୍ୟ ସରକାର ବିଜୁଳି ବିଲ୍ ଆଦାୟ ମାମଲାରେ ଝିଂଟିକା ମାରି ବଣି ପୋଷିବା ନୀତି ଅବଲମ୍ବନ କରିଛନ୍ତି ବୋଲି ବିଜେପି ରାଜ୍ୟ ମୁଖପାତ୍ର ଗୋଲକ ମହାପାତ୍ର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।
ଆଜି ଦିନରେ ରାଜ୍ୟର ଘରୋଇ ବିଜୁଳି ଉପଭୋକ୍ତାଙ୍କ ବିଜୁଳି ଟାରିଫ୍ ବୃଦ୍ଧିକୁ ଦୃଢ ବିରୋଧ କରିବା ସହ ପର୍ଯ୍ୟାପ୍ତ ସମୟ ନଦେଇ ବିଜୁଳି ବିଲ୍ ବାକି ଥିବା ରାଜ୍ୟର ସାଧାରଣ ଗରିବ ଘରୋଇ ଉପଭୋକ୍ତାଙ୍କ ବିଜୁଳି ସଂଯୋଗ କାଟିଦେବାକୁ ମଧ୍ୟ ତାଙ୍କ ଦଳ ଦୃଢ ବିରୋଧ କରୁଛି ବୋଲି ଶ୍ରୀ ମହାପାତ୍ର କହିଛନ୍ତି। ରାଜ୍ୟରେ ୟୁନିଟ୍ ପିଛା ବିଜୁଳି ଦର ପାଖାପାଖି ୫୦ ପଇସା ପର୍ଯ୍ୟନ୍ତ ବୃଦ୍ଧି କରିବା ପାଇଁ ବିଭିନ୍ନ ବିତରଣକାରୀ ଓ ଉତ୍ପାଦନକାରୀ କମ୍ପାନୀ ଗୁଡିକ ଓଡିଶା ବିଦ୍ୟୁତ ନିୟାମକ ଆୟୋଗ ସାମ୍ନାରେ ଦାବୀକୁ ନେଇ ରାଜ୍ୟର ସାଧାରଣ ଗରିବ ଖାଉଟିମାନେ ଚିନ୍ତାରେ ଅଛନ୍ତି।
ରାଜ୍ୟର ବଡ ଶିଳ୍ପାନୁଷ୍ଠାନ, ବିଜୁଳି ଉତ୍ପାଦନକାରୀ କମ୍ପାନୀମାନଙ୍କୁ ରାଜ୍ୟର ଗରିବ ଜନସାଧାରଣଙ୍କ ଝାଳବୁହା ଟିକସ ଟଙ୍କାରୁ ରିହାତି ଅଥବା ବିଭିନ୍ନ ଆଳରେ ପଡି ରହିଥିବା ମୋଟା ବିଲ୍ ଆଦାୟ ନକରି କାଉ ଖାଇଲା ପଣସ ବଗ ମୁଣ୍ଡରେ ଅଠା ପରି ସାଧାରଣ ଲୋକଙ୍କ ଠାରୁ ଯୋର ଜବରଦସ୍ତି ରାଜ୍ୟ ସରକାର ବୋଝ ଲଦି ଦେଉଛନ୍ତି ବୋଲି ଶ୍ରୀ ମହାପାତ୍ର କହିଛନ୍ତିା
ଏହି ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାପାତ୍ର ସରକାରଙ୍କ ଦ୍ୱାରା ପ୍ରଦତ ବିଭିନ୍ନ ଦସ୍ତାବିଜ୍ ଉପସ୍ଥାପନ କରି ବିଜୁଳି ଶୁଳ୍କ ଆଦାୟ ମାମଲାରେ ପୁଞ୍ଜିପତି ବ୍ୟବସାୟୀଙ୍କ ପ୍ରତି କୋହଳ ଓ ଗରିବ ଉପଭୋକ୍ତାଙ୍କ ପାଇଁ ନିର୍ମମ ଆଭିମୁଖ୍ୟ ନେଇଥିବାରୁ ଦସ୍ତାବିଜ୍ ମାଧ୍ୟମରେ ଯୁକ୍ତି ଉପସ୍ଥାପନ କରିଛନ୍ତିା
ଶ୍ରୀ ମହାପାତ୍ର କହିଛନ୍ତି ଯେ, ରାଜ୍ୟର ୨୬ଟି ବଡ ଶିଳ୍ପ ସଂସ୍ଥାଙ୍କ ଉପରେ ୧୮୭୪ କୋଟି ଟଙ୍କାର ବକେୟା ବିଜୁଳି ବିଲ୍ ପଡିରହିଛି। ସରକାର ଓ ପ୍ରଶାସନର ପ୍ରଚ୍ଛନ୍ନ ଷଡଯନ୍ତ୍ରରେ ଏହି କମ୍ପାନୀମାନେ କୋଟରୁ ରହିତାଦେଶ ଆଣି ରାଜ୍ୟ ରାଜକୋଷକୁ ଋଗ୍ଣ କରିଛନ୍ତିା ରାଜ୍ୟ ସରକାର ବିଧାନସଭାରେ ଦେଇଥିବା ତଥ୍ୟ ଅନୁସାରେ ବାହାର ରାଜ୍ୟକୁ ଓଡିଶା ସରକାର ଯେଉଁ ବିଜୁଳି ବିକୁଛନ୍ତି ତାହାର ୟୁନିଟ୍ ପିଛା ମୂଲ୍ୟ ୩ଟ ୨୧ପଇସା ରହିଛି। ମାତ୍ର ବାହାର ରାଜ୍ୟ ମାନଙ୍କରୁ ଯେଉଁ ବିଜୁଳି ରାଜ୍ୟ ସରକାର କିଣୁଛନ୍ତି ତାହାର ୟୁନିଟ୍ ପିଛା ହାରାହାରି ମୂଲ୍ୟ ରହିଛି ୩ଟ ୮୧ ପଇସା। କିଣାବିକାରେ ଏହି ତାରତମ୍ୟ କାରଣରୁ ରାଜ୍ୟର ରାଜକୋଷ ଦୁର୍ବଳ ହେଉଛି। ଏହା ସହ କମ୍ ଦରରେ ବିଜୁଳି ବିକି ଚଢା ଦରରେ ବିଜୁଳି କିଣି ଏହାର ବୋଝ ସାଧାରଣ ଖାଉଟିଙ୍କ ମୁଣ୍ଡରେ ଲଦିବାର କାରଣ କଣ ବୋଲି ଶ୍ରୀ ମହାପାତ୍ର ପ୍ରଶ୍ନ କରିଛନ୍ତି।