କିଏ ସତ କହୁଛି? ଗୃହ ରାଷ୍ଟ୍ରମନ୍ତ୍ରୀ ନା ଏସ୍ଆଇଟି ମୁଖ୍ୟ: ପ୍ରଦୀପ୍ତ ନାଏକ

ପରୀକୁ ନ୍ୟାୟ ପାଇଁ ପଦଯାତ୍ରା”ର ଦ୍ୱିତୀୟ ଦିନ

ଭୁବନେଶ୍ୱର,ଏନ୍ଏନ୍ଏସ୍: ପରୀ ହତ୍ୟା ମାମଲାର ସିବିଆଇ ତଦନ୍ତ ଏବଂ ମନ୍ତ୍ରୀ ଅରୁଣ ସାହୁଙ୍କ ବହିଷ୍କାର ଦାବିରେ ରାଜ୍ୟ ବିଜେପି ଭୁବନେଶ୍ୱରରୁ ପରୀର ଗାଁ ନୟାଗଡ଼ ଯଦୁପୁର ଯାଏଁ ପଦଯାତ୍ରା କାଢ଼ିଛି। ଆଜି ଏହି ପଦଯାତ୍ରାର ଦ୍ୱିତୀୟ ଦିନରେ ଯାଆଁଳା ଠାରୁ ବାହାରି ଖୋର୍ଦ୍ଧା ଦେଇ ସାରୁଅ ଠାରେ ପହଞ୍ଚିଛନ୍ତି ଦଳୀୟ ନେତା ଏବଂ କର୍ମୀ। ଏହି ଅବସରରେ ପଦଯାତ୍ରାର ମଙ୍ଗ ଧରିଥିଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ। ଘଟଣାଟି ଦୁଷ୍କର୍ମ ଉଦ୍ଦେଶ୍ୟରେ ହୋଇଥିବାର ଏସଆଇଟି କହୁଥିବା ବେଳେ ବିଧାନସଭାରେ ଗୃହ ରାଷ୍ଟ୍ରମନ୍ତ୍ରୀ ରଖିଥିବା ଉତ୍ତର ସତ ନା ଏସଆଇଟି ମୁଖ୍ୟ କହୁଥିବା କଥା ସତ ବୋଲି ଶ୍ରୀ ନାଏକ ପ୍ରଶ୍ନ କରିଛନ୍ତି।
ଶ୍ରୀ ନାଏକ କହିଛନ୍ତି ଯେ ୫ ବର୍ଷୀୟ ଝିଅ ପରୀକୁ ରାଜ୍ୟସରକାର ନ୍ୟାୟ ଦେବାକୁ ଚାହୁଁନାହାଁନ୍ତି। ମୁଖ୍ୟମନ୍ତ୍ରୀଙ୍କ ପାଇଁ ନିରୀହ ନାବାଳିକାଠୁ ତାଙ୍କ ଦଳର ମନ୍ତ୍ରୀ ହେଉଛନ୍ତି ଗୁରୁତ୍ୱପୂର୍ଣ୍ଣ। ମନ୍ତ୍ରୀ ଅରୁଣ ସାହୁଙ୍କୁ ସୁରକ୍ଷା ଦେବାପାଇଁ ରାଜ୍ୟସରକାର କିଛି ବି ପନ୍ଥା ଆପଣାଇପାରନ୍ତି। ତଦନ୍ତର ଆଳ ଦେଖାଇ ନିର୍ଦ୍ଦୋଷକୁ ଦୋଷୀ କରାଇବାରେ ମାହିର ଏସ୍ଆଇଟି ପରୀ ହତ୍ୟାକାଣ୍ଡରେ ଜଣେ ନିରୀହ ଅନୁସୂଚିତ ଜାତିର ନାବାଳକକୁ ଦୋଷୀ ସଜାଇ ଗିରଫ କରିଛି। ଏସଆଇଟି ମୁଖ୍ୟ ଅରୁଣ ବ୍ରୋଥା ବିଜେଡିର ହାତବାରିଶୀ ସାଜି ମୁଖ୍ୟ ଅଭିଯୁକ୍ତ ବାବୁଲି ନାଏକ ଏବଂ ତାଙ୍କୁ ଘଣ୍ଟ ଘୋଡ଼ାଉଥିବା ଦେଉଥିବା ମନ୍ତ୍ରୀ ଅରୁଣ ସାହୁଙ୍କ ପାଇଁ ସୁରକ୍ଷା କବଚ ସାଜିଛନ୍ତି।

ବିଧାନସଭା ଭିତରେ ଓ ବାହାରେ ପରୀ ସମେତ ରାଜ୍ୟର ନିଖୋଜ ୫୫୦୦ରୁ ଉଦ୍ଧ୍ୱର୍ ଶିଶୁଙ୍କୁ ଖୋଜି ଉଦ୍ଧାର କରିବା ଓ କୋଳଶୂନ୍ୟ ହୋଇଥିବା ମା’ ମାନଙ୍କୁ ନ୍ୟାୟ ପ୍ରଦାନ ପାଇଁ ବିଜେପି ପ୍ରଥମରୁ ଦାବି କରିଆସୁଛି। ଏଭଳି ଏକ ସମ୍ବେଦନଶୀଳ ଘଟଣାରେ ବିଜେପି ରାଜ୍ୟପାଳଙ୍କ ପାଖରେ ମଧ୍ୟ ଫେରାଦ ହେଲା। ରାଜ୍ୟସରକାର ଭୟଭୀତ ହୋଇ ବିଧାନସଭା ଗୃହକାର୍ଯ୍ୟକୁ ବନ୍ଦ କରିଦେଲେ। ରାଜ୍ୟସରକାର ଚଞ୍ଚକତା କରି ନିଜର ଦୋଷ ଦୁର୍ବଳତାକୁ ଲୁଚାଇବା ପାଇଁ ଏସ୍ଆଇଟି ତଦନ୍ତର ଘୋଷଣା କଲେ। କିନ୍ତୁ ଗଠିତ ଏସ୍ଆଇଟିର ବୈଧତାକୁ ନେଇ ପ୍ରଶ୍ନ ଉଠିଛି।

ଏସ୍ଆଇଟି ମୁଖ୍ୟ ଟଙ୍କା ଲାଞ୍ଚ ଯାଚି ତଦନ୍ତକୁ ପ୍ରଭାବିତ କରିବା ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ପାଇଛି। ପରୀ ଘଟଣାକୁ ଚପାଇ ଦେବାପାଇଁ ତଦନ୍ତ ଆଳରେ ଏସଆଇଟି ଯଦୁପୁରରେ କେବଳ ଡ୍ରାମା କରୁଛି ବୋଲି ଶ୍ରୀ ନାଏକ ଅଭିଯୋଗ କରିଛନ୍ତି। ତୁରନ୍ତ ଘଟଣାର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦିଆଯିବା ସହ ମନ୍ତ୍ରୀ ଅରୁଣ ସାହୁଙ୍କୁ ରାଜ୍ୟ ମନ୍ତ୍ରିମଣ୍ଡଳରୁ ବହିଷ୍କାର କରାଯାଉ ବୋଲି ସେ ଦାବି କରିଛନ୍ତି।

ଦ୍ୱିତୀୟ ଦିନ ପଦଯାତ୍ରାରେ ଅନୁସୂଚିତ ଜାତି ମୋର୍ଚ୍ଚା ରାଜ୍ୟ ସଭାପତି ବିଭୁପ୍ରସାଦ ତରାଇ, ରାଜ୍ୟ ସଂପାଦକ କାଳନ୍ଦୀ ସାମଲ, ରାଜ୍ୟ ମୁଖପାତ୍ର ସୁଦୀପ୍ତ ରାୟ, ଡ.ଯତୀନ ମହାନ୍ତି, ଠାକୁର ରଣଜିତ୍ ଦାସ, ସୋନାଲି ସାହୁ, ଯୁବମୋର୍ଚ୍ଚା ସଭାପତି ଇରାଶିଷ ଆଚାର୍ଯ୍ୟ, ଭୁବନେଶ୍ୱର ଜିଲ୍ଲା ସଭାପତି ବାବୁ ସିଂ, ଖୋର୍ଦ୍ଧା ଜିଲ୍ଲା ସଭାପତି ରଶ୍ମି ମହାପାତ୍ର, ଯାଜପୁର ଜିଲ୍ଲା ସଭାପତି ଗୌତମ ରାୟ, ପୁରୀ ଜିଲ୍ଲା ସଭାପତି ଆଶ୍ରିତ ପଟ୍ଟନାୟକ, ଅଶୋକ ମିଶ୍ର, ବିଶ୍ୱରଂଜନ ବଡଜେନା, କାଳୁ ଖଣ୍ଡାୟତରାୟଙ୍କ ସମେତ ହଜାର ହଜାର କାର୍ଯ୍ୟକର୍ତ୍ତା ସାମିଲ ହୋଇଥିଲେ। ଏହି ପଦଯାତ୍ରା ଅବସରରେ ପଦଯାତ୍ରୀଙ୍କୁ ବିଭିନ୍ନ ସ୍ଥାନରେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ସମେତ ସଚେତନ ନାଗରିକ, ବୁଦ୍ଧିଜୀବୀ, ସାମାଜିକ କର୍ମୀ, ଛାତ୍ରନେତା ତଥା ସମାଜର ବିଭିନ୍ନ କ୍ଷେତ୍ରର ନେତୃତ୍ୱ ମାନେ ସ୍ୱାଗତ ଓ ସମ୍ବର୍ଦ୍ଧନା ଜଣାଇଥିଲେ।