ଭୁବନେଶ୍ୱର,ଏନ୍ଏନ୍ଏସ୍: ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନ ମଣ୍ଡଳୀ ହରିଦାସପୁର ପଞ୍ଚାୟତ ପିଇଓ ସ୍ମିତାରାଣୀ ଗଣଦୁଷ୍କର୍ମ ଏବଂ ହତ୍ୟାକାଣ୍ଡକୁ ଅଢେଇ ମାସ ବିତିଥିଲେ ବି ଏହି ହତ୍ୟାକାଣ୍ଡର ରହସ୍ୟ ଉପରୁ ପର୍ଦ୍ଦା ଉଠିପାରିଲା ନାହିଁ। ଏହି ପରିପ୍ରେକ୍ଷୀରେ ପୁଲିସ ମୁଖ୍ୟ ଅଭିଯୁକ୍ତକୁ ହେପାଜତକୁ ନନେଇ ଜାଣିଶୁଣି ଦୁର୍ବଳ ଚାର୍ଜସିଟ କରି ରୂପେଶ ଭଦ୍ରକୁ ଜାମିନ ଦେବାର ଷଡ଼ଯନ୍ତ୍ର କରିଛି ବୋଲି ବିଜେପି ରାଜ୍ୟ ସମ୍ପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର ଅଭିଯୋଗ କରିଛନ୍ତି।
ଏଥି ସହ ଏକ ସାମ୍ବାଦିକ ସମ୍ମିଳନୀରେ ଡ. ସାମନ୍ତସିଂହାର କହିଛନ୍ତି ଯେ, ପୁଲିସ ରୂପେଶ ଭଦ୍ରଙ୍କୁ ଗିରଫ କରିଛି କିନ୍ତୁ ତାକୁ ହେଫାଜତକୁ ନେଇ ନାହିଁ। କେଉଁ ଆଧାରରେ ପୁଲିସ ୨୦୦୦ ପୃଷ୍ଠାର ଚାର୍ଜସିଟ ଦାଖଲ କଲା? ମୃତା ସ୍ମିତାରାଣୀଙ୍କ ପୋଷ୍ଟମଟମ ରିପୋର୍ଟ ଅନୁଯାୟୀ ସ୍ମିତାରାଣୀଙ୍କ ଶ୍ୱାସରୁଦ୍ଧ ହେବାରୁ ମୃତ୍ୟୁ ହୋଇଛି ବୋଲି ଦର୍ଶାଯାଇଛି। କିନ୍ତୁ ପୋଲିସ ଘଟଣାର ୩ ଦିନ ପରେ ଏହାକୁ ଆତ୍ମହତ୍ୟାର ରୂପ ଦେଇ ଘଟଣାକୁ ଦିଗହରା କରିବାକୁ ବସିଥିବା ବିଜେପି ପକ୍ଷରୁ ଅଭିଯୋଗ ହୋଇଛି।
ଏ ନେଇ ରାମକୋର ବେଆଇନ ଜମି ଜବର ଦଖଲ ଏବଂ ସ୍ମିତାରାଣୀ ହତ୍ୟାକାଣ୍ଡରେ ରାମକୋ ଅଧିକାରୀ ଓ ୪ ଜଣ ବିଜେଡି ପ୍ରିତିନିଧୀଙ୍କ ଭୂମିକାକୁୁ ତଦନ୍ତ ପରିସରଭୃକ୍ତ କରାଯାଉ। ରାଜ୍ୟସରକାର ଏବଂ ଜିଲ୍ଲା ପ୍ରଶାସନ ଏହି ଘଟଣାରେ ନିବିଡ ଭାବେ ସଂପୃକ୍ତ ଅଛନ୍ତି ଏବଂ ଦୋଷୀ ମାନଙ୍କୁୁ ଘଂଟ ଘୋଡାଇବା ପାଇଁ ସବୁ ପ୍ରକାର ପ୍ରଚେଷ୍ଟା କରିଆସିଛନ୍ତି।
କେବଳ ସିବିଆଇ ତଦନ୍ତ ହେଲେ ହିଁ ସମସ୍ତ ଘଟଣାର ପର୍ଦ୍ଦାଫାଶ ହେବା ସହ ସ୍ମିତାରାଣୀ ଏବଂ ଓଡିଶାର ସମସ୍ତ ମହିଳାମାନଙ୍କୁ ନ୍ୟାୟ ମିଳିପାରିବ ବୋଲି ଡ. ସାମନ୍ତସିଂହାର କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ କୃଷକ ମୋର୍ଚ୍ଚା ରାଜ୍ୟ ସାଧାରଣ ସଂପାଦକ ସୁରଥ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ।