ବିଜେପି କର୍ମୀଙ୍କ ଉପରେ ହମଲା : ୯ମୃତ

କୋଲକାତା, ଏଜେନ୍ସି: ପଶ୍ଚିମବଙ୍ଗରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ରାଜ୍ୟରେ ବ୍ୟାପକ ହିଂସାକାଣ୍ଡ ଘଟିଛି। କୋଲକାତାରେ ବିଜେପି କାର୍ଯ୍ୟାଳୟକୁ ପୋଡ଼ି ଦିଆଯାଇଥିଲାବେଳେ ସୋମବାର ଦଳର ଦୁଇଜଣ କର୍ମକର୍ତ୍ତାଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ପଶ୍ଚିମବଙ୍ଗର ବିଜେପି ସଭାପତି ଦିଲ୍ଲୀପ ଘୋଷ କହିଛନ୍ତି, ନିର୍ବାଚନ ଘୋଷଣା ହେବାର ୨୪ଘଣ୍ଟା ମଧ୍ୟରେ ୯ଜଣଙ୍କ ମୃତ୍ୟୁ ଘଟିଛି। ପ୍ରାୟ ୪ ହଜାର ଘର ଭଙ୍ଗାରୁଜା କରାଯାଇଛି। ତୃଣମୂଳ କଂଗ୍ରେସର କର୍ମୀମାନେ ବିଜେପି କର୍ମୀଙ୍କୁ ଟାର୍ଗେଟ୍ କରିଥିବା ଅଭିଯୋଗ ହେବାପରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ରିପୋର୍ଟ ମଗାଯାଇଛି। ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା ସ୍ଥିତି ଅନୁଧ୍ୟାନ ପାଇଁ ମଙ୍ଗଳବାର ପଶ୍ଚିମବଙ୍ଗ ଗସ୍ତରେ ଯାଉଥିବା ଜଣାପଡ଼ିଛି।
ଦିଲ୍ଲୀପ ଘୋଷ କହିଛନ୍ତି, ଏବେ ରାଜ୍ୟରେ ଆତଙ୍କର ବାତାବରଣ ଖେଳିଯାଇଛି। ଏଭଳି ସ୍ଥିତିରେ ଶାସକ ଦଳ ନିରବଦ୍ରଷ୍ଟା ସାଜିଛି। ପୁଲିସ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ। ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ୍ ପାତ୍ର ହମଲାର ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି। ଏଥିରେ ବିଜୟ ଉତ୍ସବ ପାଳନ କରାଯିବାବେଳେ କିଛି ଲୋକ ଏକ ଘରେ ପଶି ଭଙ୍ଗାରୁଜା କରୁଥିବା ଦେଖିବାକୁ ମିିଳିଛି।