ରାଜ୍ୟପାଳଙ୍କୁ ଭେଟିଲେ ବିଜେପି ବିଧାୟକ : ୬ଟି ବିଲ୍ ବିଧାନସଭାକୁ ଫେରସ୍ତ କରାଯାଉ

ଭୁବନେଶ୍ୱର, ଏନ୍ଏନ୍ଏସ୍: ବିଧାନସଭାରେ ବିନା ଆଲୋଚନାରେ ୬ ଗୋଟି ବିଲ୍ ପାରିତ ହେବା ପ୍ରସଙ୍ଗକୁ ନେଇ ରବିବାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ରାଜଭବନ ଯାଇ ଭେଟିଛନ୍ତି ବିଜେପି ବିଧାୟକ। ଶାସକ ବିଜେଡି ଦ୍ୱାରା ବିଧାନସଭା ଗୃହରେ ଅଗଣତାନ୍ତ୍ରିକ ଭାବେ ବିଭିନ୍ନ ବିଲ୍ ପାସ୍ କରାଯାଉଛି। ତରବରିଆ ଭାବେ ୬ ଗୋଟି ବିଲ୍ ପାରିତ କରାଗଲା। ବିରୋଧୀଦଳ ନେତା ଏବଂ ଅନ୍ୟ ବିଧାୟକମାନଙ୍କୁ ବିଲ୍ ସମ୍ପର୍କରେ ମତ ରଖିବା ପାଇଁ ଅନୁମତି ଦିଆଗଲା ନାହିଁ। ଏଭଳି ଅଭିଯୋଗ ଦର୍ଶାଇ ବିଲ୍ ଗୁଡ଼ିକୁ ପୁନର୍ବାର ବିଧାନସଭାକୁ ଫେରସ୍ତ କରାଯିବା ନେଇ ରାଜ୍ୟପାଳଙ୍କୁ ଅନୁରୋଧ କରିଛନ୍ତି ବିରୋଧୀଦଳ ନେତା ପ୍ରଦୀପ୍ତ ନାଏକ।

ଶ୍ରୀ ନାଏକ ରାଜ୍ୟପାଳଙ୍କୁ ଜଣାଇଛନ୍ତି ଯେ ବିଧାନସଭାରେ ବାଚସ୍ପତି ବିରୋଧୀଙ୍କୁ କହିବା ପାଇଁ ସୁଯୋଗ ଦେଉନାହାନ୍ତି। ବିଲ୍ ପାରିତ ହେବା ସମୟରେ ସେ ନିରପେକ୍ଷତା ଅବଲମ୍ବନ କରିବା ଦରକାର। ଗୋଟିଏ ବିଲରେ ଅନେକ ଦିଗ ରହିଥାଏ। ସେ ଦିଗ ଉପରେ ଆଲୋଚନା କରିବାର ଆବଶ୍ୟକତା ରହିଛି। ହେଲେ ଶାସକଦଳ ସଂଖ୍ୟା ଗରିଷ୍ଠତା ଗର୍ବରେ ନିଜ ଇଚ୍ଛା ଅନୁସାରେ ନିଷ୍ପତ୍ତିନେଉଛନ୍ତି। ବିଧାନସଭାରେ ଖଣି ଏବଂ ଆଇନଶୃଙ୍ଖଳା କଥା ଉଠିଲେ ଶାସକ ବିଜେଡି ଜାଣିଶୁଣି ବିଧାନସଭା ବନ୍ଦ କରାଉଛି। ଖଣି ସମ୍ପର୍କରେ ଆଲୋଚନା କରିବା ପାଇଁ ବିଜେଡି ଭୟ କରୁଛି କାହିଁକି ବୋଲି ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ର ପ୍ରଶ୍ନ ଉଠାଇଛନ୍ତି। ଏହି ପ୍ରତିନିଧିଦଳରେ ବିରୋଧୀଦଳ ମୁଖ୍ୟ ସଚେତକ ମୋହନ ମାଝୀ, ବିଧାୟକ କେ. ନାରାୟଣ ରାଓ, ସୁବାସ ପାଣିଗ୍ରାହୀ, ନିତ୍ୟାନନ୍ଦ ଗଣ୍ଡ, ମୁକେଶ ମହାଲିଙ୍ଗ ଏବଂ ବିଧାୟିକା କୁସୁମ ଟେଟେ ପ୍ରମୁଖ ସାମିଲ ଥିଲେ।